ରାଞ୍ଚି: ପୁରା ଦେଶରେ ଏବେ ବର୍ଷା ବିତ୍ପାତ । ଅସ୍ତବ୍ୟସ୍ତ ଜନଜୀବନ । ସାଧାରଣ ଜୀବନକୁ ସୁଧାରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ଝାଡ଼ଖଣ୍ଡ ସରକାରଙ୍କ ଗୁରୁତର ଅବହେଳାର ଏକ ନଗ୍ନ ନମୂନା ଦେଖିବାକୁ ମିଳିଛି । ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଏକ ସ୍କୁଲରେ ବର୍ଷା ସମୟରେ ପିଲାଙ୍କ ଅବହେଳାର ଦୃଶ୍ୟ ଦେଖିବାକୁ ମିଳିଛି ।
ପ୍ରବଳ ବର୍ଷା କାରଣରୁ ସ୍କୁଲ ରୁମ ଓ ଛାତ୍ରାବାସରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଫଳରେ ଏଠାରେ ପଢୁଥିବା ପାଖାପାଖି 360 ପିଲାଙ୍କ ଜୀବନ ପ୍ରତି ବିପଦ ରହିଛି । କ୍ଲାସ ରୁମରେ ପ୍ରବଳ ବର୍ଷା କାରଣରୁ ପାଦେ ଉଞ୍ଚର ପାଣି ରହିଛି । କେବଳ ଯେ କ୍ଲାସ ରୁମ ତାହା ନୁହେଁ, ଲାଇବ୍ରେରୀ ଓ ହଷ୍ଟେଲରେ ମଧ୍ୟ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି ।
ଶୋଇବା ସ୍ଥାନରେ ସାପ
ତେବେ ଲଗାତାର ଭାବେ ଏକ ଘରୋଇ ସ୍କୁଲ କ୍ୟାମ୍ପସ ଓ ଛାତ୍ରାବାସରେ ପାଣି ପଶୁଥିବାରୁ ପିଲାମାନଙ୍କୁ ରହିବାରେ ସମସ୍ୟା ଦେଖାଦେଇଛି । ଅନ୍ୟପଟେ ଦୀର୍ଘ ସମୟ ଧରି କ୍ୟାମ୍ପସ ଓ ଛାତ୍ରାବାସ ପରିସରରୁ ପାଣି ନିଷ୍କାସନ ହୋଇ ପାରୁନଥିବାରୁ ସେଠାରେ ସାପ ହଷ୍ଟେଲ ରୁମ ମଧ୍ୟକୁ ପଶିଯାଉଥିବା ଦେଖିବାକୁ ମିଳିଛି । ଏନେଇ ପିଲାମାନେ କହିଛନ୍ତି କି ବିଗତ କିଛି ଦିନ ଧରି ସେମାନେ ଶୋଉଥିବା ସ୍ଥାନକୁ ସାପ ଉଠିବାକୁ ପ୍ରୟାସ କରୁଥିଲା । ବାଡ଼ି, ଠେଙ୍ଗା ମାଧ୍ୟମରେ ସାପକୁ ମାରି ଦିଆଯାଇଥିଲା । ଏଥିରୁ ଆପଣମାନେ ଜାଣିପାରୁଥିବେ ଏଠାରେ ବିପଦ କିଭଳି ଭାବେ ରହୁଛି ବୋଲି ଛାତ୍ରୀ କହିଛନ୍ତି।
ଚିନ୍ତାଶୂନ୍ୟ ହଷ୍ଟେଲ ଓ୍ବାର୍ଡନ
ତେବେ ଏଭଳି ଅବସ୍ଥାରେ ପିଲାମାନେ ବିଗତ 7 ଦିନ ଧରି ରହିଆସୁଛନ୍ତି । ମାତ୍ର ସେଠାରୁ ପାଣି ନିଷ୍କାସନ କରିବା, କିମ୍ବା କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇନଥିବା ଛାତ୍ରୀ ଅଭିଯୋଗ କରିଛନ୍ତି । ତେବେ ଏନେଇ ହଷ୍ଟେଲ ଓ୍ବାର୍ଡନ ଅଞ୍ଜନା ମିଶ୍ରଙ୍କୁ ପଚରା ଯିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ବରଂ ସେ ଓଲଟା ସ୍କୁଲକୁ ଆସିବାକୁ କାହା ଠାରୁ ଅନୁମତି ଆଣିଛନ୍ତି ବୋଲି ସାମ୍ବାଦିକଙ୍କୁ ପ୍ରଶ୍ନ କରିଥିଲେ । ସେପଟେ ଛାତ୍ରୀ ଏଭଳି ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ କଣ ଖାଇବୁ, କେମିତି ରହିବୁ, କେମିତି ପଢିବୁ ବୋଲି ସେ ପ୍ରଶ୍ନ କରିଥିଲେ ।
ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ହେଉଛି ଯେ, କଲେଜ ପରିସରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କୌଣସି ସରକାରୀ କର୍ମଚାରୀଙ୍କ ପାଦ ଏପର୍ଯ୍ୟନ୍ତ ପଡ଼ିନାହିଁ । ପାଠ ପଢା ପୁରା ବନ୍ଦ ହୋଇଯାଇଥିବା ବେଳେ ସରକାରୀସ୍ତରରେ ଏହା ଉପରେ ପରଦା ପକାଇବାକୁ ଚେଷ୍ଟା ଚାଲିଥିବା ଜଣାପଡ଼ିଛି।
ଅଧିକ ପଢନ୍ତୁ: ପ୍ରଯୋଜକରୁ ପାଲଟିଲେ ପରିବା ଚାଷୀ
ନେତାଙ୍କୁ ନିର୍ବାଚନ ଚିନ୍ତା !
ତେବେ ଏଭଳି ସମସ୍ୟା ନେଇ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମାତ୍ର ତାଙ୍କ ସହ ଯୋଗାଯୋଗ ହୋଇ ପାରିନଥିବା ବେଳେ ତାଙ୍କର ବ୍ୟକ୍ତିଗତ ସଚିବ କହିଥିଲେ କି ମନ୍ତ୍ରୀ ଏବେ ନିର୍ବାଚନ ମଣ୍ଡଳୀ ବୁଲିବାକୁ ଯାଇଛନ୍ତି । କଥା ହେଇ ହେବ ନାହିଁ ବୋଲି ସେ କହିଥିଲେ । ତେବେ ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ ମନ୍ତ୍ରୀଙ୍କୁ ନିର୍ବାଚନ ଚିନ୍ତା ଘାରିଛି । ସେପଟେ ସଚିବଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ ସମସ୍ୟାର ସମାଧାନ ଖୁବ ଶୀଘ୍ର ହେବ ।
ତେବେ ସେ ଯାହା ବି ହେଉ ସରକାରଙ୍କ ନିଷ୍ପତ୍ତି ଓ ସମସ୍ୟା ମଧ୍ୟରେ 360 ପିଲାଙ୍କ ଜୀବନ ବାଜି ଲାଗିଛି । ସମସ୍ୟାର ସମାଧାନ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।