ଶ୍ରୀନଗର: ମିଶନ କାଶ୍ମୀରରେ କଂଗ୍ରେସ । ଧାରା 370 ହଟିବା ପରେ କାଶ୍ମୀର ସ୍ଥିତି ପରିଖିବାକୁ ଅଣ୍ଟା ଭିଡିଛନ୍ତି ବିରୋଧୀ । ହେଲେ ସେପଟେ ବର୍ତ୍ତମାନ ସମୟରେ କାଶ୍ମୀରରେ କୌଣସି ରାଜନୈତିକ ଦଳ ନେତାମାନଙ୍କୁ ଗସ୍ତ ନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଗତକାଲି ଜମ୍ମୁ-କାଶ୍ମୀର ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯାଇଥିବାବେଳେ ତାଙ୍କୁ ସେଠାରୁ ଫେରାଇ ଦେଇଛନ୍ତି । କିନ୍ତୁ ଜମ୍ମୁ-କାଶ୍ମୀରରେ ପ୍ରବେଶ ନେଇ ଜଣେ ଅଧିକାରୀଙ୍କୁ ରାହୁଲ ବୁଝାଉଥିବାର ଭିଡିଓ ସାମ୍ନାକୁ ଆସିଛି ।
''ମୋତେ ସରକାରଙ୍କ ନିକଟରୁ ନିମନ୍ତ୍ରଣ ମିଳିଛି । ଆଉ ଘଟଣା ଏହା ଯେ, ରାଜ୍ୟପାଳ ମଧ୍ୟ କହୁଛନ୍ତି ନିମନ୍ତ୍ରଣ କରାଯାଇଛି କିନ୍ତୁ ଏଠାରେ ଆପଣ ମତେ କହୁଛନ୍ତି ଅନୁମତି ନାହିଁ, ଆଉ କେନ୍ଦ୍ର ସରକାର କହୁଛନ୍ତି କାଶ୍ମୀରରେ ସ୍ଥିତି ନିୟନ୍ତ୍ରଣ ରହିଛି, ତେବେ ଯଦି ସ୍ଥିତି ନିୟନ୍ତ୍ରଣାଧିନ, କାହିଁକି ଆମମାନଙ୍କୁ ଅନୁମତି ମିଳୁନାହିଁ'' ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଆଉ ଏହି ଘଟଣା ତାଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରୁଛି ବୋଲି ସେ କହିଛନ୍ତି ।
ଯେଉଁଠି ଶାନ୍ତିର ବାତାବରଣ ସ୍ଥିତି ରହିଛି ଆମେ ସେହି ସ୍ଥାନକୁ ଯିବୁ ଏବଂ 10-15 ଜଣ ବ୍ୟକ୍ତିଙ୍କ ସହ ଆଲୋଚନା କରିବୁ । ଯଦି ବିଳମ୍ବ ହେଉଛି ତେବେ ଆମେ ଦଳଗତ ନଯାଇ ଜଣେ ଜଣେ କରି ଯିବୁ ବୋଲି କହିଛନ୍ତି ଗାନ୍ଧୀ ।
ଗତ ଶନିବାର ସିପିଆଇ, ସିପିଆଇଏମ, ଏନସିପି, ଟିଏମସି, ଡିଏମକେ ପରି ପ୍ରାୟ 10 ଟି ବିରୋଧୀ ଦଳ ଜମ୍ମୁ-କାଶ୍ମୀର ଗସ୍ତରେ ଯାଇଥିଲେ । କିନ୍ତୁ ସେମାନଙ୍କୁ ଶ୍ରୀନଗର ଏୟାରଫୋର୍ଟ ଠାରୁ ଅସମ୍ବାଧିନକ ଓ ଅଗଣତାନ୍ତ୍ରିକ ରୂପେ ପଠାଇଦିଆଯାଇଥିଲା ।
ସେଠାରୁ ଫେରିବାର ପରେ ରାହୁଲ ଗାନ୍ଧୀ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁଃର୍ବ୍ୟବହାର କରାଯାଇଥିବାବେଳେ ଏବେ କାଶ୍ମୀରର ସ୍ଥିତି ଠିକ ନାହିଁ ବୋଲି ସେ କହିଛନ୍ତି ।