ହାଇଦ୍ରାବାଦ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କର 77 ବର୍ଷ ବୟସରେ ନିଧନ ହୋଇଛି । ଦୀର୍ଘ ସମୟରୁ ନିମୋନିଆ ରୋଗରେ ପୀଡିତ ଥିଲେ ଜୟପାଲ । ତେବେ ଶନିବାର ମଧ୍ୟ ରାତ୍ରିରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦର ଏଆଇଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରେଡ୍ଡୀ ।
ଜୟପାଲ 1942 ମସିହା ଜାନୁଆରୀ 16 ତାରିଖରେ ହାଇଦ୍ରାବାଦର ମଦଗୁଲରେ ଜନ୍ମ ଗ୍ରହଣ କରିଥିଲେ । ସେ କଂଗ୍ରେସର ଜଣେ ଟାଣୁଆ ନେତା ଭାବରେ ଚର୍ଚ୍ଚିତ ଥିଲେ । ଜୟପାଲ ରେଡ୍ଡୀ ୟୁପିଏ ସରକାରଙ୍କ ସମୟରେ କେନ୍ଦ୍ରମନ୍ତ୍ରୀ ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ ମନ୍ତ୍ରଣାଳୟର ଦାୟିତ୍ବ ମିଳିଥିଲା ତାଙ୍କୁ । ଏହା ପୂର୍ବରୁ ସେ 1998 ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲଙ୍କ କ୍ୟାବିନେଟରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଥିଲେ । 2009 ମସିହା ଲୋକସଭା ନିର୍ବାଚନରେ ଜୟପାଲ ଚବେଲ୍ଲା ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ଏହା ବ୍ୟତୀତ ଜୟପାଲ ରେଡ୍ଡୀ 1969 ରୁ 86 ମଧ୍ୟରେ ଆନ୍ଧ୍ର ପ୍ରଦେଶର କଲାବାକୁର୍ତ୍ତିରୁ 4 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ ହେବା ପରେ 1977 ମସିହାରେ କଂଗ୍ରେସ ଛାଡି ଜନତା ଦଳରେ ସାମିଲ ହୋଇଥିଲେ ଜୟପାଲ । ତେବେ 22 ବର୍ଷ ପରେ 1999 ରେ ପୁଣିଥରେ କଂଗ୍ରେସକୁ ଫେରିଥିଲେ ।