ୱାଶିଂଟନ: ଆମେରିକା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ପ୍ରବକ୍ତା ମୋର୍ଗାନ ଓର୍ଟାଗସ କାଶ୍ମୀରରେ ଲାଗିଥିବା କଟକଣାକୁ କୋହଳ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିସହିତ ସେ ନଜରବନ୍ଦୀରେ ଥିବା ରାଜନେତାଙ୍କ ଉପରେ ଲାଗିଥିବା କଡା ପ୍ରତିବନ୍ଧକରେ ସାମାନ୍ୟ ଆଶ୍ବସ୍ତି କରିବାକୁ କହିଛନ୍ତି ।
ମୋର୍ଗାନ ନଜରବନ୍ଦୀ ଏବଂ ଘାଟିରେ ଥିବା କିଛି ଅଞ୍ଚଳରେ ମୋବାଇଲ ଏବଂ ଇଣ୍ଟରନେଟ ସେବା ବନ୍ଦକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ, କାଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ହେବା ଉଚିତ୍ ନୁହେଁ । ଜମ୍ମୁ-କାଶ୍ମୀରରେ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦକୁ ଗୋଟିଏ ମାସ ପୂରିଛି । ଅଗଷ୍ଟ 5ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ଘାଟିବାସୀଙ୍କୁ ଝଟକା ଦେଇଥିଲା । ତେବେ କେତେକ ଏହି ନିଷ୍ପତ୍ତିକୁ ସ୍ବାଗତ କରୁଥିବାବେଳେ ଅନେକ ଏହି ନିଷ୍ପତ୍ତିକୁ ବିରୋଧ ମଧ୍ୟ କରୁଛନ୍ତି ।
ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଲାଗୁ ହୋଇଥିବା ବିଭିନ୍ନ ପ୍ରକାରର କଟକଣାକୁ ଉଠାଇବା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ଆଗତ କରାଯାଇଥିଲା । ଯାହାର ଶୁଣାଣି ଆସନ୍ତା ସେପ୍ଟେମ୍ବର 16 ତାରିଖରେ କରାଯିବ ।