ଭାରତରେ ଦେଶବ୍ୟାପୀ ଲକ୍ଡାଉନ୍ ବା ତାଲାବନ୍ଦ ବେଶ୍ ଫଳପ୍ରଦ ହୋଇଛି, କିନ୍ତୁ ଜୀବିକା ଅର୍ଜନ ପନ୍ଥାର ସୁରକ୍ଷା ସହିତ ଅର୍ଥନୀତିର ପୁନରୁତ୍ଥାନ ପାଇଁ ଏବେ ଏହାକୁ କୋହଳ କରିବାର ସମୟ ଆସିଛି ବୋଲି କହିଛନ୍ତି ୟୁଏସ୍-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ ବା USISPFର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ମୁକେଶ ଅଘି । ନ୍ୟୁୟର୍କରୁ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହ କଥାବାର୍ତ୍ତା କରି ଡକ୍ଟର ଅଘି, ଲକ୍ଡାଉନ୍ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଟ୍ରମ୍ପ ପ୍ରଶାସନକୁ ସମାଲୋଚନା କରିଛନ୍ତି ଏବଂ ଏହା ଦ୍ବାରା ଭିଏତନାମ ସହ ଯୁଦ୍ଧ ତୁଳନାରେ ଅଧିକ ସଂଖ୍ୟକ ଆମେରିକୀୟ କୋରୋନା ଭାଇରସ୍ରେ ପ୍ରାଣ ହରାଇଛନ୍ତି ବୋଲି କହିଛନ୍ତି । ଯାହାହେଲେ ବି,ସାରା ବିଶ୍ବର ଅର୍ଥବ୍ୟବସ୍ଥା ଦ୍ରୁତ ହାରରେ ସଂକୁଚିତ ହେବାରେ ଲାଗିଥିବା ସମୟରେ, ଆମେରିକା ସଦୃଶ ଭାରତ ମଧ୍ୟ ଏକ ବଡ଼ ଧରଣର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ୍ ପ୍ରଦାନ କରି ଆବଶ୍ୟକ ପୁଞ୍ଜି ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ବାରୋପ କରିଛନ୍ତି ।
ଡକ୍ଟର ଅଘି କହିଛନ୍ତି, “ପ୍ରତିଟି ଜୀବନ ଗୁରୁତ୍ବପୂର୍ଣ୍ଣ କିନ୍ତୁ ଆମ ଦେଶର 130 କୋଟି ଲୋକଙ୍କ ସହ ତୁଳନା କଲେ କୌଣସି ସଂଖ୍ୟା ସେତେ ବଡ଼ ନୁହେଁ । ଏବେ ବଡ଼କଥା ହେଲା ଯେ କେମିତି ଆପଣ ସେମାନଙ୍କୁ ଜୀବିକା ଅର୍ଜନର ସୁଯୋଗ ଦେବାକୁ ଯାଉଛନ୍ତି ? ଯୁକ୍ତରାଷ୍ଟ୍ର ଆମେରିକାରେ ଆମର ଅନୁଭବ ଏହା ଯେ ଆର୍ଥିକ ବର୍ଷର ଶେଷ ଚତୁର୍ଥାଂଶରେ ଜୀବିକା ଭୁଶୁଡ଼ି ପଡ଼ିଛି, 4.8 ପ୍ରତିଶତ ସଂକୁଚିତ ହୋଇଛି ଏବଂ ଟ୍ରିଲିୟନ୍ (ଲକ୍ଷେ କୋଟି) ଟ୍ରିଲିୟନ୍ ଡଲାରର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ୍ ପ୍ରଦାନ କରାଯାଇଛି । ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ୍ ଦୃଷ୍ଟିରୁ ଭାରତରେ ଏହା ଖୁବ୍ କମ୍ ଦିଆଯାଇଛି । ଅର୍ଥନୀତିକୁ ଧୀରେ ଧୀରେ ସଜାଡ଼ି ନେବା ପ୍ରଚେଷ୍ଟାରେ ଆକଳନ କରାଯାଇ ଦେଖାଯାଇଛି ଯେ, ବ୍ୟବସ୍ଥା ଉପରେ ନାଗରିକମାନଙ୍କର ଏବଂ ବ୍ୟବସାୟୀ ସଂପ୍ରଦାୟର ଆସ୍ଥା ଗଠନ କରିବା ଦିଗରେ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିବା ବେଶ୍ ଗୁରୁତ୍ବପୂର୍ଣ୍ଣ ।
କିନ୍ତୁ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ର ଏବଂ କ୍ଷୁଦ୍ର ଖୁଚୁରା ଦୋକାନୀଙ୍କ ଉପରେ ଧ୍ୟାନ ଦେବା ଅଧିକ ଗୁରୁତ୍ବପୂର୍ଣ୍ଣ କଥା । ସେମାନେ ଯଦି ବୁଡ଼ିଯିବେ, ତେବେ ଆସନ୍ତା 6-12 ମାସ ଭିତରେ ଅର୍ଥନୀତିର ପୁନରୁଦ୍ଧାର କରିବା କଷ୍ଟକର ହୋଇପଡ଼ିବ ।” ଭାରତରେ ହଠାତ୍ ଏଭଳି ଦେଶବ୍ୟାପୀ କଠୋର ଲକ୍ଡାଉନ୍ ଜାରି କରିବାର ଆବଶ୍ୟକତା କ’ଣ ଥିଲା ଏବଂ ଏହା କେତେଦିନ ଯାଏଁ ଜାରି ରହିବା ଉଚିତ ବୋଲି ପଚରା ଯିବାରୁ, ଡକ୍ଟର ଅଘି କହିଲେ, “ପ୍ରଧାନ ମନ୍ତ୍ରୀ ମୋଦି ଏକ ଚମତ୍କାର କାମ କଲେ, ଅମଲାତନ୍ତ୍ର କର୍ମତତ୍ପର ହୋଇଉଠିଲା ଏବଂ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ନାଗରିକମାନେ ସମୟର ଏହି ଆହ୍ବାନକୁ ଶୁଣିଲେ ଏବଂ ସମସ୍ତେ ଏକତ୍ର ହୋଇ ଲକ୍ଡାଉନ୍ ଉପରେ ଦୃଷ୍ଟିନିବଦ୍ଧ କଲେ । ଏହା ବେଶ୍ ପ୍ରଭାବଶାଳୀ ହୋଇଛି ଏବଂ ଏଥିରୁ ସକାରାତ୍ମକ ଫଳାଫଳ ମିଳିଛି, କିନ୍ତୁ ଏବେ ଏହାକୁ କୋହଳ କରିବାର ସମୟ ଆସିଛି । ଦେଶବାସୀଙ୍କୁ ଏବଂ ଅର୍ଥନୀତିକୁ ତାଲାବନ୍ଦ କରି ରଖାଯାଇପାରିବ ନାହିଁ ଏବଂ ଜୀବିକା ଉପରେ କୁପ୍ରଭାବ ପଡ଼ିବାକୁ ଦିଆଯାଇପାରିବ ନାହିଁ । କାରଣ, 60 ପ୍ରତିଶତ ଭାରତୀୟ ଅର୍ଥବ୍ୟବସ୍ଥା ସାମଗ୍ରୀ ବ୍ୟବହାର ଉପରେ ନିର୍ଭରଶୀଳ । ଯଦି ଆପଣ ସେହି ସାମଗ୍ରୀ ବ୍ୟବହାରକୁ ବନ୍ଦ କରିଦେବେ, ତେବେ ଅର୍ଥନୀତି ସଂପୂର୍ଣ୍ଣ ଭାବରେ ଧିମେଇ ଯିବ । ତେଣୁ ଆପଣଙ୍କୁ ଧୀରେ ଧୀରେ କୋହଳ କରିବାକୁ ପଡ଼ିବ ।
ଲକ୍ଡାଉନ୍ ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକା ଆଦୌ ଭଲ କରିନାହିଁ । ଆମେ ଏହାକୁ ଆହୁରି ଅଧିକ ଭଲ ଭାବରେ କରିପାରିଥାଆନ୍ତୁ । ଏବେ ଆମେରିକାରେ କୋରୋନା ଭାଇରସ୍ରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଭିଏତ୍ନାମ ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ତୁଳନାରେ ଅଧିକ । ତେଣୁ, ଲକ୍ଡାଉନ୍ ପରିପ୍ରେକ୍ଷୀରେ ଭାରତ ଖୁବ୍ ଭଲ କରିଥିବା ବେଳେ ତାହା ତୁଳନାରେ ଆମେରିକାକୁ ନିହାତି ତଳ ପାହ୍ୟାରେ ହିଁ ରଖାଯିବ ।”
ଅଧିକରୁ ଅଧିକ ଜିନିଷପତ୍ରକୁ ଅତ୍ୟାବଶ୍ୟକ ବର୍ଗରେ ସାମିଲ କରିବା ଏକ ସକାରାତ୍ମକ ସଂକେତ ଏବଂ ଆଗାମୀ ଦୁଇ-ଚାରି ସପ୍ତାହରେ ଭାରତର ଅଧିକାଂଶ ବଜାର ଖୋଲିଯିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ବିଶ୍ବ ମହାମାରୀ ପାଇଁ ଚୀନ୍କୁ ଉତ୍ତରଦାୟୀ କରିବା ପ୍ରସଙ୍ଗରେ ଡକ୍ଟର ଅଘି କହିଲେ ଯେ, ଯୁକ୍ତରାଷ୍ଟ୍ର ଆମେରିକାର ମିସୋରୀ ରାଜ୍ୟ ପକ୍ଷରୁ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା ବିରୋଧରେ ମକଦ୍ଦମା ଦାୟର କରାଯିବା ଘଟଣାରୁ ସଂକେତ ମିଳୁଛି ଯେ ସାରା ବିଶ୍ବ ବେଜିଂକୁ ଉତ୍ତରଦାୟୀ କରିବା ପାଇଁ ଚେଷ୍ଟା କରିବ । କିନ୍ତୁ ଭାରତ ଏହି ସଂକଟପୂର୍ଣ୍ଣ ସ୍ଥିତିର ସକାରାତ୍ମକ ଉପଯୋଗ ଲାଗି ପଦକ୍ଷେପ ନେବା ସହିତ ବିଶ୍ବ ଯୋଗାଣ ଶୃଙ୍ଖଳରେ ନିଜ ଉପସ୍ଥିତି ଜାହିର କରିବା ଦିଗରେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ ।
ସେ କହିଲେ, “ଭାରତ ଏହାର ନୀତି ପ୍ରଣୟନରେ ପାରଦର୍ଶିତା ଏବଂ ପ୍ରତ୍ୟାଶିତ ପନ୍ଥା ଗ୍ରହଣ କରିବା ଦରକାର । ଏହା କେବଳ ବଜାରରେ ଉପଲବ୍ଧ କରାଇବା ଭଳି ନୁହେଁ, ବରଂ ଅନ୍ୟମାନଙ୍କ ସହ ପ୍ରତିଯୋଗିତାମୂଳକ ମନୋଭାବ ପ୍ରଦର୍ଶନ ଲାଗି କ୍ଷେତ୍ର ପ୍ରସ୍ତୁତି କରିବା ଆବଶ୍ୟକ । ଯେତେବେଳେ ୱାଲମାର୍ଟ ଆସି ଫ୍ଲିପ୍କାର୍ଟକୁ କିଣିଲା, ସେତେବେଳେ କ’ଣ ହେଲା ? ଦୁଇ ସପ୍ତାହ ପରେ ସେମାନେ ନୀତି ବଦଳାଇ ଦେଲେ । ଆନ୍ଧ୍ର ପ୍ରଦେଶରେ କ’ଣ ହେଲା ? ଯେତେବେଳେ ସରକାର ବଦଳିଗଲା ସେମାନେ ସବୁ ଚୁକ୍ତି ବାତିଲ କରିଦେଲେ । ଚୁକ୍ତିନାମା ନୀତିନିଷ୍ଠ ଭାବେ ହେବା ଦରକାର । କର୍ପୋରେଟ୍ ଟିକସ ହ୍ରାସ କରି ଭାରତ ଏକ ବହୁତ ବଡ଼ କାମ କରିଛି ଏବଂ ଟିକସ ହାର ହ୍ରାସକୁ ଦୃଷ୍ଟିରେ ରଖି ନିର୍ମାଣକାରୀମାନେ ଏଠାକୁ ଆସୁଛନ୍ତି । କିନ୍ତୁ ଆପଣଙ୍କୁ ଶ୍ରମ ସଂସ୍କାର ଏବଂ ଜମିଜମା କ୍ଷେତ୍ରରେ ସଂସ୍କାର ଆଣିବା ଉପରେ ଧ୍ୟାନ ଦେବାକୁ ହେବ । ଆମେ ଯଦି ଭିଏତନାମ, କାମ୍ବୋଡିଆ ଏବଂ ଅନ୍ୟାନ୍ୟ ଭୂଭାଗ ସହିତ ପ୍ରତିଯୋଗିତା କରିବାକୁ ପ୍ରସ୍ତୁତ ହେଉଛୁ, ତେବେ ଆମକୁ ଏହି ସମସ୍ତ ଦିଗ ଉପରେ ପୁଣି ନଜର ପକାଇବାକୁ ହେବ ଏବଂ ନିଶ୍ଚିତ କରିବାକୁ ହେବ ଯେ ଆମ ପାଖରେ ଆଗକୁ ବଢ଼ିବା ପାଇଁ ଆଶାପୂର୍ଣ୍ଣ ମନୋଭାବ ରହିଛି ଏବଂ ଏହା ହିଁ ଗୁରୁତ୍ବପୂର୍ଣ୍ଣ ।”ପୂର୍ବରୁ ଏଲ୍ ଆଣ୍ଡ ଟି, ଇନ୍ଫୋଟେକ୍ ଏବଂ ଆଇବିଏମ୍ ଇଣ୍ଡିଆ ସମେତ ଅନେକ ସଂସ୍ଥାର ଶୀର୍ଷ ପଦବୀରେ କାର୍ଯ୍ୟଭାର ସମ୍ଭାଳିଥିବା ଡକ୍ଟର ଅଘି, ବେକାର ସମସ୍ୟା ବୃଦ୍ଧି ହିଁ ଉଦ୍ବେଗର ବଡ଼ କାରଣ ବୋଲି ଅଭିହିତ କରିଥିଲେ । ସେ କହିଥିଲେ ଯେ, “ଗତ ଦୁଇ ସପ୍ତାହରେ ଆମେରିକାରେ ଆବେଦନକାରୀ ବେକାରଙ୍କ ସଂଖ୍ୟା 2 କୋଟି 60 ଲକ୍ଷରେ ପହଞ୍ଚିଛି ।
ଆଗକୁ ଏହା ଆହୁରି ନାଟକୀୟ ଭାବେ ବଢ଼ିବ ବୋଲି ଆମେ ଆଶା କରୁଛୁ । ଏହାର ଅର୍ଥ ବର୍ତ୍ତମାନର ଅର୍ଥବ୍ୟବସ୍ଥାରେ ବେକାରୀ ପରିମାଣ ପ୍ରାୟ ଦଶ ପ୍ରତିଶତରୁ ଅଧିକ ହୋଇଯାଇଛି । ତିନି ସପ୍ତାହ ତଳେ ବେକାର ହାର ଶୂନ ପ୍ରତିଶତ ରହିଥିଲା ବୋଲି ଆମେରିକା ଖୁସିଗୀତ ଗାଉଥିଲା । ତେଣୁ ଏହା ହିଁ ବଡ଼ ଚିନ୍ତା ।” ସେ ଆହୁରି କହିଲେ ଯେ, “ବ୍ୟବସାୟିକ ସଂସ୍ଥା ଓ ଉପଭୋକ୍ତାଙ୍କ ଆସ୍ଥା ଦୋହଲି ଯାଇଛି । ବ୍ୟବସାୟ ବନ୍ଦ ହୋଇଯାଇଛି । ଗୋଦାମ ବନ୍ଦ ଥିବାରୁ ସେମାନେ ଜିନିଷ ପଠାଇ ପାରୁନାହାନ୍ତି । ଏସବୁର ପୁନରୁଦ୍ଧାର କରିବା ଲାଗି ବ୍ୟାପକ ଏବଂ ଅସାଧାରଣ ଉଦ୍ୟମ ଆବଶ୍ୟକ । ଆପଣ 2021କୁ ପୁନରୁତ୍ଥାନର ବର୍ଷ ରୂପେ ଦେଖିବେ ନାହିଁ । ଏଥିପାଇଁ ହୁଏତ 2022 ଲାଗିଯାଇପାରେ କିମ୍ବା ତା’ଠୁଁ ଆହୁରି ଆଗକୁ ଯାଇପାରେ । ତେଣୁ, ଆପଣ ଯେତେବେଳେ ଅର୍ଥବ୍ୟବସ୍ଥାକୁ 4.5 ପ୍ରତିଶତରୁ ଆଗକୁ ନେବା ପାଇଁ ଭାରତକୁ ସଂଘର୍ଷ କରୁଥିବା ଦେଖନ୍ତି, ସେତେବେଳେ ଲକ୍ଡାଉନ୍ର ଏକ ନାଟକୀୟ ପ୍ରଭାବ ପଡ଼ିଥିବା ଅନୁଭବ କରନ୍ତି । ଆପଣଙ୍କ ପାଇଁ ସରକାରଙ୍କ ନିକଟରୁ ଏକ ବଡ଼ ଧରଣର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ୍ ତ ଦରକାର, କିନ୍ତୁ ତା’ଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଦେଶ ପାଇଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ବା FDI ଯୋଗାଡ଼ କରିବା । ଫଳରେ ଭାରତରେ ପୁଞ୍ଜି ବିନିଯୋଗ ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ, ଯାହାକି ଖୁବ୍ ଗୁରୁତ୍ବପୂର୍ଣ୍ଣ । ଅର୍ଥନୀତିକୁ ଆଗେଇ ନେବା ପାଇଁ ହେଲେ ଆଗାମୀ ଦଶ ବର୍ଷ ପାଇଁ ଆପଣଙ୍କୁ ପ୍ରତି ବର୍ଷ 100 ବିଲିୟନ (ଶହେ କୋଟି) ଆମେରିକୀୟ ଡଲାର ନିବେଶ ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ ।”
ଏଚ୍1ବି ଭିସା ଧାରକଙ୍କ ଉପରେ ବିପରୀତ ଅର୍ଥନୈତିକ ସ୍ଥିତିର ପ୍ରଭାବ ସଂପର୍କିତ ପ୍ରଶ୍ନର ଉତ୍ତରରେ ଡକ୍ଟର ଅଘି କହିଲେ ଯେ ଏହା ଏକ ଚିନ୍ତାଜନକ ପ୍ରସଙ୍ଗ ଏବଂ ଗ୍ରୀନ୍ କାର୍ଡ ପାଇଁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ସଂକଟପୂର୍ଣ୍ଣ । ଡକ୍ଟର ଅଘି କହିଲେ, “ଏଚ୍1ବି ପ୍ରସଙ୍ଗ ଚିନ୍ତାଜନକ । ସେମାନେ ଯଦି ଚାକିରି ହରାନ୍ତି ତେବେ, ନୂଆ ଚାକିରିଟିଏ ଖୋଜିବା ଲାଗି ସେମାନଙ୍କ ପାଖରେ 60 ଦିନ ସମୟ ରହିଛି । ତା ନହେଲେ ସେମାନଙ୍କୁ ଦେଶ ଛାଡ଼ିବାକୁ ପଡ଼ିବ । ଏବେ ଏଚ୍1ବି ଭିସା ଧାରକଙ୍କ ସଂଖ୍ୟା ପ୍ରାୟ ଅଢ଼େଇ ଲକ୍ଷ । ସେମାନଙ୍କ ପାଇଁ ଚାକିରି ପାଇବା ପ୍ରକ୍ରିୟା ସଂକଟପୂର୍ଣ୍ଣ ହେବାରେ ଲାଗିଛି । ତା’ଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଆଉ 800,000 ଭାରତୀୟ ଗ୍ରୀନ୍ କାର୍ଡ ପାଇବାକୁ ଅପେକ୍ଷା କରିଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ବଳରେ ହିଁ ସେହି ପ୍ରକ୍ରିୟା ଅତି କମ୍ରେ 60 ଦିନ ପାଇଁ ବନ୍ଦ ହୋଇଯାଇଛି । ତାହା ମଧ୍ୟ ସଂକଟପୂର୍ଣ୍ଣ । ଏସବୁର ଏବଂ ମଧ୍ୟ ପ୍ରାଚ୍ୟରେ ଯାହା ଘଟୁଛି ସେସବୁର ପ୍ରଭାବ ମଧ୍ୟ ବିଦେଶରୁ ଭାରତକୁ ପଠାଯାଉଥିବା ଅର୍ଥ ପରିମାଣ ଉପରେ ପଡ଼ିବ ।” ନିକଟରେ ଦ୍ରୁତ ହାରରେ ହ୍ରାସ ପାଇଥିବା ତୈଳଦର ବର୍ତ୍ତମାନ ସମୟରେ ଭାରତ ପାଇଁ ଏକ ପରୋକ୍ଷ ଆଶୀର୍ବାଦ ସଦୃଶ ବୋଲି USISPFର ଅଧ୍ୟକ୍ଷ ମତ ଦେଇଥିଲେ ।
ଏ ସଂପର୍କିତ ନିଜ ମନ୍ତବ୍ୟରେ ସେ କହିଥିଲେ “ତୈଳଦର ହ୍ରାସ ଭାରତ ପାଇଁ ଏକ ଆଶୀର୍ବାଦ । ତୈଳ ବ୍ୟାରେଲ ପିଛା ଦର ଗୋଟିଏ ଡଲାର ବଢ଼ିଲେ, ଭାରତରେ ବିଦେଶୀ ମୁଦ୍ରା ବିନିମୟ ହାର ଉପରେ ଏହାର ପ୍ରଭାବ ଲକ୍ଷାଧିକ ଡଲାରରେ ପଡ଼ିଥାଏ । ବିଶ୍ବର ସର୍ବବୃହତ୍ ତୈଳ ଆମଦାନିକାରୀ ରାଷ୍ଟ୍ର ସମୂହ ମଧ୍ୟରେ ଭାରତ ରହିଥିବା କାରଣରୁ ବର୍ତ୍ତମାନ ସ୍ଥିତିରେ ଏହା ଭାରତର ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ଦିଗରେ ସହାୟତା କରିବ ବୋଲି ଆଶା କରାଯାଏ ।”