ଶ୍ରୀନଗର: ଜମ୍ମୁ-କାଶ୍ମୀରକ ସୋପିଆନ ଜିଲ୍ଲାରେ ଆତଙ୍କବାଦୀ ଦୁଇ ଜଣ ଟ୍ରକ ଡ୍ରାଇଭରଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଏହାସହ ଟ୍ରକରେ ନିଆଁ ଲଗାଇଛନ୍ତି ଆତଙ୍କୀ । ଏହି ଆକ୍ରମଣରେ ଅନ୍ୟ ଜଣେ ଟ୍ରକ ଡ୍ରାଇଭର ଗମ୍ଭୀର ଭାବରେ ଆହତ ହୋଇଛନ୍ତି । ସୂତ୍ର ମୁତାବକ ଚାଳକ ମାନେ ସେଓ ନେବା ପାଇଁ ଆସିଥିଲେ । ବିଗତ ଦୁଇ ସପ୍ତାହ ଭିତରେ ଏହା ତୃତୀୟ ଘଟଣା । ଏହି ଘଟଣାରେ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହିଁନ୍ତି ।
ପୋଲିସ ସୂଚନା ମୁତାବକ ରାଜସ୍ଥାନ, ହରିୟାଣା ଓ ପଞ୍ଜାବର ତିନି ଜଣ ଟ୍ରକ ଡ୍ରାଇଭର ସୋପିଆନ ଜିଲ୍ଲାର ଚିତ୍ରା ଗ୍ରାମକୁ ସେଓ ଲୋଡ୍ କରିବା ପାଇଁ ଆସିଥିଲେ । ଏହି ସମୟରେ ଆତଙ୍କୀ ଗୁଳିବର୍ଷା କରିଥିଲେ ।
ମୃତ ଦୁଇ ଡ୍ରାଇଭରଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି । ମୃତକଙ୍କ ମଧ୍ୟରୁ ଜଣେ ରାଜସ୍ଥାନର ଅଲୱାର ନିବାସୀ ଇଲିୟାସ ଖାନ ବୋଲି ଜଣାପଡିଛି । ଅନ୍ୟ ଜଣେ ଡ୍ରାଇଭରଙ୍କ ପରିଚୟ ପତ୍ର ଏପର୍ଯ୍ୟନ୍ତ ମିଳିପାରିନାହିଁ । ଏଥିସହ ପଞ୍ଜାବରର ହୋସିୟାରପୁର ନିବାସୀ ଜୀବନ ସିଂହ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଲଗାତାର ଭାବରେ ସେଓ ବ୍ୟବସାୟୀ ଓ ସେଓ କାରବାରରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡିତ ଲୋକଙ୍କୁ ଆତଙ୍କୀ ଟାର୍ଗେଟ କରୁଛନ୍ତି । ଏହାକୁ ନେଇ ସେଓ ବେପାରୀ ଓ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏହା ରାଜ୍ୟରେ ସେଓ ବେପାର ଉପରେ ପ୍ରଭାବ ପକାଇବାର ଆଶଙ୍କା ଦେଖାଦେଇଛି ।