ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(NPR)କୁ ଅପଡେଟ କରିବାକୁ ମଞ୍ଜୁରୀ ଦେଇଛନ୍ତି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କ'ଣ ଏହି NPR । ଏହି ଜନଗଣନା କେବଳ ସାଧାରଣ ଜନଗଣନା ଭଳି ନା ଏଥିରେ ଆଉ କିଛି ବିଶେଷତ୍ବ ରହିଛି । ତେବେ କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଡକର କ୍ୟାବିନେଟ ବୈଠକରେ ଏ ବାବଦରେ ସମ୍ପୂର୍ଣ୍ଣ ବିବରଣୀ ସହ ବିସ୍ତୁତ ଭାବେ କହିଛନ୍ତି । ଚାଲନ୍ତୁ ଜାଣିବା...
ଜନଗଣନାର ନୂଆରୂପ NPR
ପ୍ରତି 10 ବର୍ଷରେ ହେଉଥିବା ଜନଗଣନାର ନୂଆରୂପ ହେଲା ନ୍ୟାସନାଲ ପପୁଲେସନ ରେଜିଷ୍ଟର(NPR) । NPR ତିଆରି କରିବାର ଉର୍ଦ୍ଦେଶ୍ୟ ଦେଶରେ ସାମାନ୍ୟ ନିବାସୀଙ୍କୁ ବ୍ୟାପକ ପରିଚୟ ପ୍ରଦାନ କରିବା ସହ ଡାଟାବେସ ତିଆରି କରିବା । ଏହି ଡାଟାରେ ଜନସଂଖ୍ୟା ସହ ବାୟୋମେଟ୍ରିକ ତଥ୍ୟ ମଧ୍ୟ ସାମିଲ ରହିବ । ମାତ୍ର ଏହାକୁ ନାଗରିକତାର ପ୍ରମାଣ ଭାବେ ବିବେଚିତ କରାଯିବ ନାହିଁ ।
NPR ପରିଧିରେ ରହୁଥିବା ସମସ୍ତେ ହେଲେ ଭାରତୀୟ
ନ୍ୟାସନାଲ ପପୁଲେସନ ରେଜିଷ୍ଟର(NPR) ଉପରେ 2020 ମସିହା ଏପ୍ରିଲ1 ରୁ କାମ ଆରମ୍ଭ ହୋଇ 30 ସେପ୍ଟେମ୍ବର ଯାଁଏ ଚାଲିବ । NPR ଅଧିନରେ ତିଆରି କରିବାକୁ ଥିବା ଡାଟାବେସରେ ଏଥର କିଛିଟା ପରିବର୍ତ୍ତନ କରାଯାଇଛି । NPRରେ ସମସ୍ତ ନାଗରିକଙ୍କ ତଥ୍ୟ ରଖାଯିବ । ଆସାମର ନାଗରିକଙ୍କ ବ୍ୟତୀତ NPR ସବୁ ଭାରତୀୟ ନାଗରିକଙ୍କ ଉପରେ ଲାଗୁ କରାଯିବ ।
ମଗାଯିବନି କୌଣସି ଦସ୍ତାବିଜ
NPRରେ କୌଣସି ପ୍ରମାଣ, ଡକ୍ୟୁମେଣ୍ଟ ଏବଂ ବାୟୋମେଟ୍ରିକର ଆବଶ୍ୟକତା ଦରକାର ପଡିବନି । ଏଥିରେ ନାଗରିକ ଯାହା ବି ସୂଚନା ଦେବେ, ସେସବୁକୁ ସଠିକ୍ ବିବେଚିତ କରାଯିବ । ଅର୍ଥାତ୍ ଜନଗଣନା ପାଇଁ କୌଣସି ବି ଦସ୍ତାବିଜର ଆବଶ୍ୟକତା ଦରକାର ପଡିବ ନାହିଁ ।
ଖାସ୍ ଆପରେ ମିଳିବ NPR
ଚଳିତଥର ହେବାକୁ ଥିବା ଜନଗଣନା ଟେକ୍ନୋଲୋଜି ଉପରେ ଆଧାରିତ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଥିପାଇଁ ଏକ ସ୍ବତନ୍ତ୍ର ଆପକୁ ଡିଜାଇନ କରାଯାଇଛି । ଆଉ ଏହି ଆପ ଜରିଆରେ NPR ଅପଡେଟ କରାଯିବ । ସରକାରଙ୍କ ମତରେ ଏହି ଆପ ଦ୍ବାରା ଜନଗଣନା ଆହୁରି ସରଳୀକରଣ ହେବ ।
ଇଂରେଜଙ୍କ ଅମଳରୁ ଚାଲିଆସୁଛି ନିୟମରେ ଆସିବ ପରିବର୍ତ୍ତନ
ବର୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ 15 ଧର ଜନଗଣନା ହୋଇଥିବାବେଳେ ସ୍ବାଧୀନତା ପରେ 7 ଥର ଓ ସ୍ବାଧୀନତା ପୂର୍ବରୁ 8 ଥର ଜନଗଣନା ହୋଇଛି । ଏବେ ପର୍ଯ୍ୟନ୍ତ ଜନଗଣନା ଇଂରେଜ ଅମଳ କାଳରୁ ଚାଲିଆସୁଥିବାବେଳେ ଏବେ ଏଥିରେ ପରିବର୍ତ୍ତନ କରାଯିବ ।