ETV Bharat / bharat

ଅନ୍ୟ ଏକ ବିଶ୍ବ ମହାମାରୀ - ବିଶ୍ବ ମହାମାରୀ

କୋରୋନା ଭାଇରସ୍‌ର ପ୍ରାଦୁର୍ଭାବ ଜାରି ରହିଥିବା ସମୟରେ, ବିଜ୍ଞାନକୁ ଅସ୍ବୀକାର ନାମକ ଅନ୍ୟ ଏକ ବିଶ୍ବ ମହାମାରୀ ବି ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଛି ବୋଲି ମନେହୁଏ । ଏକାଧିକ କାରଣରୁ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସୋନାରୋ ‘ଟ୍ରମ୍ପ୍‌ ଅଫ୍‌ ଦି ଟ୍ରପିକ୍‌ସ’ ବା କ୍ରାନ୍ତିବଳୟର ଟ୍ରମ୍ପ୍‌ଙ୍କୁ ସାକ୍ଷାତ କରିଛନ୍ତି । ସେଥିରୁ ଗୋଟିଏ ହେଲା ଯେ, କୋରୋନା ଭାଇରସ୍‌କୁ ବିଶ୍ବ ମହାମାରୀ ରୂପେ ଅଗ୍ରାହ୍ୟ କରି ଟ୍ରମ୍ପ୍‌ ଏହାକୁ ଏକ ‘ଛୋଟକାଟର ଫ୍ଲୁ’ ବା ‘ସର୍ଦ୍ଦି’ ବୋଲି ବର୍ଣ୍ଣନା କରିଥିଲେ । ଅଧିକ ପଢନ୍ତୁ...

The Other Pandemic
The Other Pandemic
author img

By

Published : Apr 30, 2020, 5:15 PM IST

ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଲେ ଯେ, କରୋନା ଭାଇରସ୍‌ର ପ୍ରତିକାର ସ୍ବରୂପ ଇଞ୍ଜେକ୍‌ସନ ଜରିଆରେ ସଂକ୍ରମଣ ପ୍ରତିରୋଧକ ଆହରଣ କରିବା ସମ୍ଭାବନା ରହିଛି, ସେତେବେଳେ ସେ ଏମିତି ଅନେକ ନେତାଙ୍କ ଗହଣରେ ସାମିଲ ହୋଇଥିଲେ, ଯେଉଁମାନେ କି ବିଜ୍ଞାନକୁ ଅଗ୍ରାହ୍ୟ କରିଆସିଛନ୍ତି । ସେମାନଙ୍କ ଇତିହାସରେ ଏମିତି ବି ତ ହୋଇଛି । ଆଧୁନିକ ବିଜ୍ଞାନର ଜନକ ଗାଲିଲିଓ ଗାଲିଲେଇଙ୍କୁ ମଧ୍ୟ ରୋମାନ୍‌ କାଥୋଲିକ୍‌ ଚର୍ଚ୍ଚ ପକ୍ଷରୁ କେବଳ ଏଥିପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଯେ ସେ ସୂର୍ଯ୍ୟ ଚାରିପଟେ ପୃଥିବୀ ବୁଲୁଥିବା କଥା କହିଥିଲେ ଏବଂ ଏହା ଧର୍ମଶାସ୍ତ୍ର ବିରୋଧୀ ବୋଲି ସେମାନେ ବିଶ୍ବାସ କରୁଥିଲେ ।

ଇସ୍ରାଏଲୀ-ଆମେରିକୀୟ ଖଗୋଳ-ପଦାର୍ଥ ବିଜ୍ଞାନୀଙ୍କ ‘ଗାଲିଲିଓ ଆଣ୍ଡ ଦି ସାଇନ୍‌ସ ଡିନାୟର୍‌ସ’ ଶୀର୍ଷକ ନୂତନ ପୁସ୍ତକରେ ସେ କହିଛନ୍ତି ଯେ, “ସରକାରୀ ଭାବେ ବିଜ୍ଞାନ ବିରୋଧୀ ଆଭିମୁଖ୍ୟରେ ଭରପୂର ଏକ ବିଶ୍ବରେ, ବିଜ୍ଞାନ ଓ ଧର୍ମ ମଧ୍ୟରେ ଅନାବଶ୍ୟକ ଦ୍ବନ୍ଦ୍ବ ଏବଂ ମାନବିକତା ଓ ବିଜ୍ଞାନ ମଧ୍ୟରେ ବିସ୍ତାରିତ ବିଭେଦର ଧାରଣା ଜନ୍ମିଥିବା ସମୟରେ, ସର୍ବପ୍ରଥମେ ଗାଲିଲିଓ ଙ୍କ କଥା ମନକୁ ଆସେ ଏବଂ ଏହା ଏକ ସୁଦୃଢ଼ ସ୍ବାଧୀନ ଭାବଧାରାର ଗୁରୁତ୍ବକୁ ସ୍ମରଣ କରାଇ ଦିଏ ।”

ତଥାପି, କରୋନା ଭାଇରସ୍‌ର ପ୍ରାଦୁର୍ଭାବ ଜାରି ରହିଥିବା ସମୟରେ, ବିଜ୍ଞାନକୁ ଅସ୍ବୀକାର ନାମକ ଅନ୍ୟ ଏକ ବିଶ୍ବ ମହାମାରୀ ବି ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଛି ବୋଲି ମନେହୁଏ । ଏକାଧିକ କାରଣରୁ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସୋନାରୋ ‘ଟ୍ରମ୍ପ୍‌ ଅଫ୍‌ ଦି ଟ୍ରପିକ୍‌ସ’ ବା କ୍ରାନ୍ତିବଳୟର ଟ୍ରମ୍ପ୍‌ଙ୍କୁ ସାକ୍ଷାତ କରିଛନ୍ତି । ସେଥିରୁ ଗୋଟିଏ ହେଲା ଯେ, କୋରୋନା ଭାଇରସ୍‌କୁ ବିଶ୍ବ ମହାମାରୀ ରୂପେ ଅଗ୍ରାହ୍ୟ କରି ଟ୍ରମ୍ପ୍‌ ଏହାକୁ ଏକ ‘ଛୋଟକାଟର ଫ୍ଲୁ’ ବା ‘ସର୍ଦ୍ଦି’ ବୋଲି ବର୍ଣ୍ଣନା କରିଥିଲେ । ବୋଲସୋନାରୋଙ୍କ କହିବା ଅନୁସାରେ, ସେମାନେ ‘ନର୍ଦ୍ଦମା’ ଭିତରକୁ ଲମ୍ଫ ପ୍ରଦାନ କରିଲେ ବି ବ୍ରାଜିଲ୍‌ର ଲୋକଙ୍କୁ ସର୍ଦ୍ଦି କ’ଣ, “କେବେହେଲେ କିଛି ଧରେନାହିଁ” ଏବଂ ସେମାନେ ହୁଏତ ଏହି ଭୂତାଣୁର ବ୍ୟାପ୍ତିକୁ ରୋକିବା ଲାଗି ନିଜ ଭିତରେ “ରୋଗନାଶକ ତତ୍ତ୍ବ”ର ବିକାଶ କରିସାରିଛନ୍ତି ବୋଲି ସେ କହିଥିଲେ । କିନ୍ତୁ ତା ସହିତ ଜଙ୍ଗଲକ୍ଷୟ ସଂପର୍କିତ ତଥ୍ୟକୁ ମିଥ୍ୟା ବୋଲି ଅଭିହିତ କରି ସେ ମହାକାଶ ବିଜ୍ଞାନ ସଂସ୍ଥାର ମୁଖ୍ୟଙ୍କୁ ପଦଚ୍ୟୁତ ମଧ୍ୟ କରିଥିଲେ ।

ତେଣେ ଇଂଲଣ୍ଡରେ, ପ୍ରଧାନ ମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌, ନିଜେ ରୋଗଗ୍ରସ୍ତ ହେବା ପୂର୍ବରୁ କୋରୋନା ଭାଇରସ୍‌ ସଂପର୍କିତ ପାଞ୍ଚଟି କ୍ୟାବିନେଟ୍‌ ବୈଠକରେ (କୋବ୍ରା ମିଟିଂ) ଯୋଗ ଦେଇ ନଥିଲେ । କିନ୍ତୁ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ପ୍ରତି ତାଙ୍କର ସଂଶୟପୂର୍ଣ୍ଣ ଦୃଷ୍ଟିକୋଣକୁ ବିଚାରକୁ ନେଲେ ବିଶ୍ବ ମହାମାରୀ ପ୍ରତି ତାଙ୍କ ଆଭିମୁଖ୍ୟରେ କିଛି ଅସ୍ବାଭାବିକତା ନଥିଲା । ଜଳବାୟୁ ବିଜ୍ଞାନକୁ ଅସ୍ବୀକାର କରିଆସୁଥିବା ବିଭିନ୍ନ ଗୋଷ୍ଠୀ ହିଁ 2019ରେ ତାଙ୍କର ନିର୍ବାଚନ ପ୍ରଚାରରେ ସବୁଠାରୁ ଅଧିକ ଚାନ୍ଦା ଦେଇଥିଲେ । ବିଜ୍ଞାନକୁ ଅସ୍ବୀକାର କରୁଥିବା ଏହି ସମ୍ଭ୍ରାନ୍ତ ଗୋଷ୍ଠୀରେ ଅନ୍ୟମାନେ ବି ରହିଛନ୍ତି । ମାସ୍କ ପିନ୍ଧୁଥିବା ଲୋକଙ୍କୁ ଭର୍ତ୍ସନା କରୁଥିବା କାମ୍ବୋଡିଆର ଶକ୍ତିଶାଳୀ ନେତା ହୁନ୍‌ ସେନ୍‌ଙ୍କଠାରୁ ଆରମ୍ଭ କରି, ତାଙ୍କ ‘ଦୃଢ଼ ନୈତିକ ଚରିତ୍ର’ ହିଁ ସଂକ୍ରମଣକୁ ପ୍ରତିରୋଧ କରିବ ବୋଲି ବିଶ୍ବାସ କରୁଥିବା ମେକ୍‌ସିକୋର ରାଷ୍ଟ୍ରପତି ଆନ୍ଦ୍ରେସ୍‌ ଓବ୍ରାଡରଙ୍କ ପର୍ଯ୍ୟନ୍ତ ।

ଏଠାରେ ପୂର୍ବରୁ ଆମେ ଗାଲିଲିଓଙ୍କ ସହିତ ବି ରହିଆସିଛୁ ବୋଲି ଲିବିଓଙ୍କ ନୂତନ ପୁସ୍ତକରେ ସେ ଆମକୁ ସ୍ମରଣ କରାଇ ଦିଅନ୍ତି । ସେ ଲେଖିଛନ୍ତି, “ଆଜି ଆମେ ବିଜ୍ଞାନ ପ୍ରତି ଯେଉଁ ଘୃଣା ମନୋଭାବ ଓ ଶତ୍ରୁଭାବକୁ ଅନୁଭବ କରୁଛୁ, ଠିକ୍‌ ସେହି ଦୃଷ୍ଟିକୋଣ ବିରୋଧରେ ଗାଲିଲିଓ ସଂଗ୍ରାମ କରୁଥିଲେ । ବିଜ୍ଞାନକୁ ଧର୍ମଶାସ୍ତ୍ରୀୟ ବ୍ୟାଖ୍ୟାରୁ ଅଲଗା କରିବା ଏବଂ କୌଣସି ‘ଉଦ୍ଦେଶ୍ୟ’ ସାଧନ ଲାଗି ନୁହେଁ, ବରଂ ପ୍ରକୃତିର ନିୟମକୁ ପରୀକ୍ଷଣ ଲବ୍‌ଧ ଫଳାଫଳ ଦୃଷ୍ଟିରୁ ହୃଦୟଙ୍ଗମ କରିବା କ୍ଷେତ୍ରରେ ଗାଲିଲିଓ ଥିଲେ ଅନ୍ୟତମ ପ୍ରଥମ ବ୍ୟକ୍ତି, ଯେ କି, ଏହି ଅନ୍ତର୍ନିହିତ ଧାରଣାକୁ ଲୋକଲୋଚନକୁ ଆଣିଥିଲେ ଯେ, ଆମ ନିଜର ଏବଂ ଆମ ଗ୍ରହର ଭାଗ୍ୟ ନିର୍ଦ୍ଧାରଣ ଦାୟିତ୍ବ ନେବା ଲାଗି ବିଜ୍ଞାନ ଆମକୁ ବାଧ୍ୟ କରେ ।

ଭାରତ ମଧ୍ୟ ଅସ୍ବୀକାରବାଦର ଏହି ବିଶ୍ବ ମହାମାରୀରୁ ବର୍ତ୍ତି ପାରିନାହିଁ । ଅସ୍ବୀକାରବାଦ ବା ‘ଡେନିଆଲିଜ୍‌ମ’ ପଦର ସ୍ରଷ୍ଟା ବିଜ୍ଞାନ ଲେଖକ ମାର୍କ ହୁଫ୍‌ନାଗଲ୍‌ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନରୁ ଆରମ୍ଭ କରି ବିବର୍ତ୍ତନ ଏବଂ ଏଚ୍‌ଆଇଭି/ଏଡ୍‌ସ ପର୍ଯ୍ୟନ୍ତ, ବିଭିନ୍ନ ବିଷୟ ବିରୋଧରେ ଅସ୍ବୀକାରବାଦୀମାନେ ପାଞ୍ଚଟି କାର୍ଯ୍ୟପଦ୍ଧତି ଅବଲମ୍ବନ କରିଥାଆନ୍ତି: ଷଡ଼ଯନ୍ତ୍ର, ଚୟନଶୀଳତା (ସୁବିଧା ଦୃଷ୍ଟିରୁ ବାଛିନେବା), ନକଲି ବିଶେଷଜ୍ଞ, ଅସମ୍ଭବ ପ୍ରତ୍ୟାଶା (ଅବସର ଅନୁସାରେ ଲକ୍ଷ୍ୟ ବଦଳାଇବା) ଏବଂ ସାଧାରଣ ତର୍କଦୋଷ । ଏହି ଧରଣର ଅସ୍ବୀକାରବାଦ ବଳରେ ହିଁ ଜଣେ ପୂର୍ବତନ ବରିଷ୍ଠ ମନ୍ତ୍ରୀ ଡାରୱିନ୍‌ଙ୍କ ବିବର୍ତ୍ତନବାଦକୁ ବାଜେକଥା ବୋଲି କହିଥିଲେ ଏବଂ ଟେଲିଭିଜନ ଦର୍ଶକମାନଙ୍କ ମଧ୍ୟରେ ବହୁସଂଖ୍ୟକ ଅନୁଗାମୀ ରହିଥିବା ଜଣେ ଆଧ୍ୟାତ୍ମିକ ଗୁରୁ, ଯୋଗ ବଳରେ ଏଚ୍‌ଆଇଭି “ରୋଗମୁକ୍ତ” ହୋଇପାରିବା ବୋଲି କହିଥିଲେ । ସେହିଭଳି, ଭୂତାଣୁର ମୁକାବିଲା ଲାଗି ଗୋମୂତ୍ର ଏକ ଶକ୍ତିଶାଳୀ ମିଶ୍ରଣର ଅଂଶ ବୋଲି ଆସାମର ଜଣେ ବିଜେପି ବିଧାୟକ ଦର୍ଶାଇଥିଲେ ।

ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ ରିସର୍ଚ୍ଚର ପ୍ରଫେସର ଅର୍ଣ୍ଣବ ଭଟ୍ଟାଚାର୍ଯ୍ୟ ଉଲ୍ଲେଖ କରିଛନ୍ତି ଯେ, କୋରୋନା ଭାଇରସ୍‌ ସର୍ବବ୍ୟାପୀ ମହାମାରୀ ଯୋଗୁଁ ଆଜିର ଲକ୍‌ଡାଉନ୍‌ ବିଶ୍ବରେ “ଇନ୍‌ଫୋଡେମିକ୍‌” ବା ସୂଚନା-ମହାମାରୀ ଅଧିକ ଚିନ୍ତାଜନକ । କ୍ଷତିକାରକ ନହେଲେ ବି ମିଥ୍ୟା ସୂଚନାରୁ ଆରମ୍ଭ କରି ଜୀବନ ପ୍ରତି ବିପଦର କାରଣ ହେବା ପର୍ଯ୍ୟନ୍ତ ଏକଦମ ଭୁଲ ସୂଚନା, ଟେଲିଭିଜନ୍‌ ଚ୍ୟାନେଲ, ହ୍ବାଟ୍‌ସଆପ୍‌ ଏବଂ ଟ୍ବିଟରରେ ଭୂତାଣୁ ତୁଳନାରେ ତୀବ୍ର ଗତିରେ ପ୍ରସାରିତ ହେଉଛି । ସେ ଆହୁରି ଲେଖିଛନ୍ତି, “ଆଉ ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ନିର୍ବୋଧମାନେ ସ୍ଥିତିକୁ ଆହୁରି ଖରାପ କରୁଛନ୍ତି । ତାଙ୍କ ବିବୃତିଗୁଡ଼ିକ ଅବାନ୍ତରଠାରୁ ଆହୁରି କଦର୍ଯ୍ୟ । ଇଞ୍ଜେକ୍‌ସନ ଦେଇ ଶରୀରରେ ରୋଗ ସଂକ୍ରାମଣନାଶକ ଔଷଧ ପୂରାଇବା ଭଳି ତାଙ୍କର ନିର୍ଲଜ ବିବୃତିରୁ ବିଜ୍ଞାନକୁ ଅସ୍ବୀକାର କରିବାର ମନୋଭାବ ପରିଲକ୍ଷିତ ହୁଏ । ଆମେରିକାରେ ହେଉ କି ଭାରତରେ, ଯେଉଁଠି ବିଜ୍ଞାନସମ୍ମତ ଧାରା ସମ୍ବିଧାନରେ ସ୍ଥାନିତ ହୋଇଛି ବୋଲି ଆମେ ଗର୍ବ କରୁ, ସେହି ଆଧୁନିକ ସମାଜରେ ଅସ୍ବୀକାରବାଦର ଏହି ଚେର ମାଡ଼ିବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନରୁ ଆରମ୍ଭ କରି ଆନୁବଂଶିକ ଭାବେ ପରିବର୍ତ୍ତିତ ବା ଜିଏମ୍‌ ଫସଲରେ, ହୋମିଓପାଥିର ବିଶ୍ବାସରେ ହେଉ କି ଚମତ୍କାରିତାରୁ ରୋଗମୁକ୍ତିରେ, ବିଜ୍ଞାନ ପ୍ରତି ଅସ୍ବୀକାରବାଦ ସାରା ବିଶ୍ବରେ ଏକ ମହାମାରୀର ରୂପ ନେଇଛି ଏବଂ ଧୀରେ ଧୀରେ ପ୍ରସାରିତ ହେବାରେ ଲାଗିଛି ।

ପାରସ୍ପରିକ ସଂପର୍କ ସହିତ କାର୍ଯ୍ୟକାରଣ ସଂପର୍କକୁ ଗୋଳେଇ ଘାଣ୍ଟି ଦେବା ସହଜ । ସେହିଭଳି ନିଜ ସୁବିଧାକୁ ଦେଖି ତଥ୍ୟ ଆହରଣ କରିବା ଏବଂ ନିଜକୁ ସୁହାଇଲା ଭଳି ପରିସଂଖ୍ୟାନ ଗ୍ରହଣ କରିନେବା ମଧ୍ୟ ସହଜ । ବିଶେଷତଃ କର୍ତ୍ତୃପକ୍ଷ ଏବଂ ‘ଗୁରୁଜନ’ଙ୍କୁ ସମ୍ମାନ ପ୍ରଦାନ କରିଆସୁଥିବା ଏକ ସଂସ୍କୃତିରେ, ସେମାନଙ୍କ ବିବୃତିକୁ ବିରୋଧ କରିବା କିମ୍ବା ଭୁଲ ବୋଲି ଦର୍ଶାଇବା କେବଳ କଷ୍ଟକର ନୁହେଁ, ବରଂ ବିପଜ୍ଜନକ ମଧ୍ୟ । ଏମିତି କି ସ୍କୁଲ୍‌ରେ ମଧ୍ୟ ‘କାହିଁକି’ ବୋଲି ପଚାରିବାକୁ ଆମକୁ ଅନୁପ୍ରେରିତ କରାଯାଏ ନାହିଁ । ଏବଂ ସେହିଠାରୁ ହିଁ ସମଗ୍ର ପ୍ରକ୍ରିୟା ଆରମ୍ଭ ହୁଏ । ଆମେ ବସବାସ କରୁଥିବା ପୃଥିବୀରେ ଆମ ଜୀବନଧାରାକୁ ଅର୍ଥପୂର୍ଣ୍ଣ କରିବା ଲାଗି ଏକ ଉପାୟ ରୂପରେ ନୁହେଁ, ବରଂ ସ୍କୁଲ୍‌ ପରୀକ୍ଷା ପରେ ଭୁଲିଯିବା ଭଳି ଏକ ହତଭାଗ୍ୟ ବିଷୟ ରୂପେ ପରିଗଣିତ ହୁଏ ବିଜ୍ଞାନ । ‘ଲାଇଫ୍‌ ଅଫ୍‌ ଗାଲିଲିଓ’ ଶୀର୍ଷକ ତାଙ୍କର ସୁବିଖ୍ୟାତ ନାଟକରେ ବର୍ଟୋଲ୍‌ଟ ବ୍ରେକ୍‌ଟ ଲେଖିଛନ୍ତି: ଚିନ୍ତା କରିବା ହିଁ ମାନବ ଜାତି ପାଇଁ ଅନ୍ୟତମ ସର୍ବାଧିକ ଆନନ୍ଦର ବିଷୟ ।

ଦୁଃଖର ବିଷୟ ଯେ, ଭାରତୀୟମାନେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସାଟେଲାଇଟ୍‌ ଏବଂ ସାରା ବିଶ୍ବରେ ଆଦୃତ କେତେକ ସ୍ବଳ୍ପମୂଲ୍ୟର ଜୀବନରକ୍ଷାକାରୀ ଔଷଧ ଭଳି ସାଂପ୍ରତିକ ସଫଳତାକୁ ଭୁଲି ଯାଇ ତା ବଦଳରେ ଅତୀତକୁ ମୁହାଁଇଛନ୍ତି ଏବଂ ପ୍ଲାଷ୍ଟିକ୍‌ ସର୍ଜରୀ ଭଳି ବୈଜ୍ଞାନିକ ସଫଳତା ଏବଂ ଶୂନ୍‌ର ଆବିଷ୍କାରକୁ ନେଇ ଉଲ୍ଲସିତ ହେଉଛନ୍ତି । ବିଶ୍ବର ସବୁଠାରୁ ଶକ୍ତିଶାଳୀ ନେତା ଯେତେବେଳେ ବିଜ୍ଞାନରେ ବିଶ୍ବାସ କରନ୍ତି ନାହିଁ ଏବଂ 2018 ମସିହା ପାଇଁ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସେଣ୍ଟର୍‌ସ ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ୍‌)ର ବଜେଟରେ 15 ବିଲିଅନ୍‌ (ଶହେ କୋଟି) ଡଲାର କାଟ୍‌ କରନ୍ତି ଏବଂ ବିଶ୍ବରେ ରୋଗ ପ୍ରତିରୋଧ ପ୍ରତି ଅବଦାନରେ 80 ପ୍ରତିଶତ ହ୍ରାସ କରାନ୍ତି, ଅନ୍ୟ ନେତାମାନେ ଯେଭଳି ଏହି ମୂର୍ଖତାପୂର୍ଣ୍ଣ ଆଚରଣ ସୃଷ୍ଟିକାରୀ ବିଶ୍ବ ମହାମାରୀର ଭୂତାଣୁ ଦ୍ବାରା ସଂକ୍ରମିତ ନ ହୁଅନ୍ତି, ତାହା ହିଁ ଗୁରୁତ୍ବପୂର୍ଣ୍ଣ କଥା ।

କାବେରୀ ବାମଜାଇ

(‘ଇଣ୍ଡିଆ ଟୁଡେ’ର ପୂର୍ବତନ ସଂପାଦିକା । ‘ଦି ଟାଇମ୍‌ସ ଅଫ୍‌ ଇଣ୍ଡିଆ ଏବଂ ‘ଇଣ୍ଡିଆନ୍‌ ଏକ୍‌ସପ୍ରେସ୍‌’ରେ ମଧ୍ୟ ସେ କାମ କରିଛନ୍ତି । ଚିବ୍‌ନିଙ୍ଗ ସ୍କଲାରଶିପ୍‌ ପାଇଛନ୍ତି । ‘ବଲିଉଡ୍‌ ଟୁଡେ’ ଶୀର୍ଷକ ପୁସ୍ତକର ପ୍ରଣେତା ଏବଂ ଭାରତୀୟ ସିନେମାରେ ମହିଳାଙ୍କ ଉପରେ ପ୍ରସାରିତ ଜୁବାନ୍‌ ସିରିଜ୍‌ରେ ଦୁଇଟି ଉଚ୍ଚକୋଟୀର ପ୍ରବନ୍ଧ ଲେଖିଛନ୍ତି । ସେ ସିଆଇଆଇର ଜାତୀୟ ମହିଳା ସଶକ୍ତୀକରଣ କମିଟିର ସଦସ୍ୟା ଏବଂ ଗଣମାଧ୍ୟମ ଜଗତର ବିଭିନ୍ନ ସାମ୍ମୁଖ୍ୟରେ ଜଣେ ନିରନ୍ତର ବକ୍ତା)

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.