ନୂଆଦିଲ୍ଲୀ: ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସ ଭବନ ଉପରେ ହୋଇଥିବା ଆକ୍ରମଣ ପାଇଁ ବିଜେପିକୁ ଟାର୍ଗେଟ କରିଛି ଆମ ଆଦମି ପାର୍ଟି (ଆପ) । ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ଏହି ଘଟଣା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁ ନେଇଛି ଆପ୍ । ଦଳ କହିଛି ଯେ ଅମିତ ଶାହ ହିଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ କରାଇଛନ୍ତି । ଆପ୍ ମୁଖପାତ୍ର ସୌରଭ ଭରଦ୍ବାଜ ଏହି ଅଭିଯୋଗ କରିବା ସହ ଆକ୍ରମଣର ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି ।
ଆପ ଜାରି କରିଥିବା ଭିଡିଓରେ କିଛି ବିଜେପି କର୍ମୀ ଗେଟ ଭାଙ୍ଗୁଥିବା ଦୃଶ୍ୟ କଏଦ ହୋଇଥିବା ଦେଖାଯାଇଛି । ତେବେ ସୌରଭ କହିଛନ୍ତି ପ୍ରଥମେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ତାଙ୍କ ଦଳର ଗୁଣ୍ଡା ମାନଙ୍କୁ ପଠାଇ ସିସୋଦିଆଙ୍କ ବାସବବନରେ ଏହି ଆକ୍ରମଣ କରାଇଛନ୍ତି । ପରେ ନିଜେ ପୁଣି ତାଙ୍କ ସୁରକ୍ଷା ପାଇଁ ପୋଲିସ ବଳ ମୁତୟନ କରାଇଛନ୍ତି ।
ସୂଚନା ଅନୁସାରେ ଦିଲ୍ଲୀର ମେୟରଙ୍କୁ ଆକ୍ରମଣ ପାଇଁ ଆପ ନେତା ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଭାଜପାର ବହୁ କର୍ମୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସରକାରୀ ବାସ ଭବନ ଆଗରେ ଏକାଠି ହୋଇ ନାରାବାଜି କରିଥିଲେ । ଉକ୍ତ ଘଟଣା ପାଇଁ ବିଜେପି କର୍ମୀ ମାନେ ଆପ ସରକାରକୁ ଦାୟୀ କରିବା ସହ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଇସ୍ତଫା ମଧ୍ୟ ଦାବି କରିଥିଲେ । ସେହି ସମୟରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ଭାଜପା କର୍ମୀ ସିସୋଦିଆଙ୍କ ବସଭବନର ଗେଟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା ।
ଅନ୍ୟ ପଟେ ଭାଜପା ଏହି ଘଟଣା ପାଇଁ ଆପକୁ ଦାୟୀ କରିଛି । ଆପ ନେତା ମାନେ ଦିଲ୍ଲୀର ମେୟରଙ୍କୁ ଆକ୍ରମଣ କରିବା ପାଇଁ ଯୋଜନା କରୁଥୁବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲ ନିଜେ ସେଠାରେ ଉପସ୍ଥିତ ଥିଲେ ବୋଲି ଅଭିଯୋଗ କରିଛି ବିଜେପି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ