ନୂଆଦିଲ୍ଲୀ: ଲୋକସଭା ସାଂସଦଙ୍କ ସହ ବୈଠକ ଡାକିଲେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଭର୍ଚୁଆଲ ମାଧ୍ୟମରେ ଶନିବାର ଏହି ବୈଠକ ଅନୁଷ୍ଠିତ ହେବ । ଦେଶରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ଉପରେ କରାଯିବ ଆଲୋଚନା ।
ପୂର୍ବ ଲଦାଖରେ ଚୀନର ସୀମା ଉଲ୍ଲଙ୍ଘନ ସମେତ କୋରୋନା ପାଇଁ ଭୁଶୁଡିବାକୁ ବସିଥିବା ଅର୍ଥ ବ୍ୟବସ୍ଥା ଉପରେ ବିଚାର କରାଯିବ । ଏହା ପୂର୍ବରୁ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଭିଡ ଓ ଚୀନର ମୁକାବିଲା ପାଇଁ ଅନେକ ଚିଠି ଲେଖି ଜଣାଇଛନ୍ତି ।
କଂଗ୍ରେସ ସହ ଜଡିତ ଭିତ୍ତିଭୂମି ଉପରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପରେ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଆରଜିଏଫ ଏବଂ ଅନ୍ୟାନ୍ୟ ଟ୍ରଷ୍ଟର ଆର୍ଥିକ ଅନୁଦାନ ପାଇଁ ସରକାର ଆନ୍ତ -ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ଯାହାକୁ ନେଇ କଂଗ୍ରେସରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଆଜି ଏହି ବୈଠକ ଡକାଯାଇଛି ।
ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ମୋଦିଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଟ୍ବିଟ କରି ସେ କହିଛନ୍ତି, "ଶ୍ରୀ ମୋଦି ବିଶ୍ୱାସ କରନ୍ତି ଯେ ବିଶ୍ୱ ତାଙ୍କ ଭଳି । ସେ ଭାବନ୍ତି ପ୍ରତ୍ୟେକଙ୍କର ମୂଲ୍ୟ ଅଛି କିମ୍ବା ଭୟଭୀତ ହୋଇପାରନ୍ତି । "
ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ସେ କଦାପି ବୁଝିବେ ନାହିଁ ଯେଉଁମାନେ ସତ୍ୟ ପାଇଁ ଲଢନ୍ତି ସେମାନଙ୍କର କୌଣସି ମୂଲ୍ୟ ନାହିଁ ଏବଂ ସେମାନଙ୍କୁ ଭୟଭୀତ କରାଯାଇପାରିବ ନାହିଁ।
ସେପଟେ, ଦଳ ମଧ୍ୟ କହିଛି ମୋଦିଙ୍କ ଏପରି କାର୍ଯ୍ୟରେ କଂଗ୍ରେସ କଦାପି ମଧ୍ୟ ଭୟଭୀତ ହେବ ନାହିଁ । ଦଳର ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି, “ମୋଦି ସରକାର ବିଦେଶୀ ଉତ୍ସ, ବ୍ୟକ୍ତିବିଶେଷ, ସଂସ୍ଥା, ସଂଗଠନ ଏବଂ ସରକାର ସମେତ ସମସ୍ତ ଉତ୍ସରୁ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ଦେଇଥିବା ଦାନ ଏବଂ ରାଶି ଉପରେ ତଦନ୍ତ କରିବେ କି?
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ