'ଭାଇ'.... ଡାକଟା କେଡେ ସୁନ୍ଦର, କେତେ ମଧୁର। ଡାକିଦେଲେ ଖାଲି ମନ ହାଲକା ହୋଇଯାଏନି, ବରଂ ଖୁସିରେ ପେଟ ପୁରିଯାଏ। ଭାଇ ଶବ୍ଦରେ ରହିଥାଏ ଅଫୁରନ୍ତ ଭଲପାଇବା ଓ ସ୍ନେହଭରା ଆବିଳତା। ଯାହା ସମ୍ପର୍କର ସେତୁକୁ ମଜବୁତ କରିଥାଏ। ବାପାଙ୍କ ପରେ ଯଦି କେହି ସାହାଭରସା, ସେ ହେଉଛି ଭାଇ। ଗୋଟିଏ ସୂତାରେ ହିଁ ବାନ୍ଧି ହୋଇଯାଇଥାଏ ସମ୍ପର୍କର ସେତୁବନ୍ଧ । ଭାଇ ଓ ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ହୋଇ ରହିଯାଇଥାଏ ରକ୍ଷାବନ୍ଧନର ସ୍ମରଣୀୟ ଦିନଟି ।
ମନର ଆବିଳତାକୁ ବୁଝି ପାରୁଥିବା, ଦୁଃଖର ସମୟରେ ପାହାଡ ଭଳି ଛିଡା ହେଉଥିବା, ପେଟର ଭୋକକୁ ଚିହ୍ନିପାରୁଥିବା, ଆଖିର ଲୁହକୁ ଠଉରାଇ ପାରୁଥିବା, ବୋଉ-ବାପା ମାରିବାବେଳେ ପିଠିରେ ହାତ ଦେଉଥିବା, ସାଇକେଲ ପଛରେ ବସାଇ ସ୍କୁଲ ନେଉଥିବା, ମନର ଆଶାକୁ ବୁଝିପାରୁଥିବା, ବୋଉ ଗାଳିଦେଲେ ଆଖିରୁ ଲୁହ ପୋଛି ଦେଉଥିବା, ଖାଇବାବେଳେ ନିଜ ଭାଗ ପାଇଁ ଝଗଡା କରୁଥିବା ମଣିଷ ଜଣଙ୍କ ହେଉଛି 'ଭାଇ' ।
ଘରେ ସମସ୍ତଙ୍କର ପ୍ରିୟର ପାତ୍ର ହୋଇଥିବା ଭାଇ, କିନ୍ତୁ ଭଉଣୀର ଅତି ନିକଟତର ହୋଇଥାଏ। ସେଥିପାଇଁ ତ ଗେହ୍ଲୀ ଭଉଣୀ ରାକ୍ଷୀ ପୂର୍ଣ୍ଣିମାରେ ଭାଇର ହାତରେ ସ୍ନେହବୋଳା ଫିତାଟିଏ ବାନ୍ଧି ଦେଇଥାଏ। ଆଉ ବାନ୍ଧିଲାବେଳେ ଭାଇଠୁ ପ୍ରଣ କରିନେଇଥାଏ କି, ଜୀବନର ପ୍ରତି ମୂହୁର୍ତ୍ତରେ ଯେ କୌଣସି ବି ଅସୁବିଧା ଆସିଲେ, କେହି ଠିଆ ହେଉ ନ ହେଉ, ତୁ ଠିଆ ହେବୁ। ଖାଲି ଏତିକି ନୁହେଁ, ମୁରୁକି ହସ ଦେଇ ଭାଇକୁ ପାଉଣା ମାଗିଥାଏ। ଆଉ ସବୁବେଳେ ଭାଇ ସହ ଝଗଡା କରୁଥିବା ଭାଇ ତା ହାତକୁ 10 ଟଙ୍କା ବଢେଇ ଦେଇଥାଏ, ଆଉ କହେ ଏତିକି ରଖ, ପରେ ନେବୁ।
ବଡ ଭଉଣୀ କିଛି ନ କହିଲେ ବି, ସାନ ଭଉଣୀ ପାଉଣା ଊଣା ନେଇ ଝଗଡା କରିଥାଏ। କିନ୍ତୁ ଭାଇ ଆଗରେ ଟଙ୍କାର ମୂଲ୍ୟ କିଛି ନ ଥାଏ। ଜୀବନରେ ଯଦି ମନରୁ ଦୁଃଖ ଓ ଶୁଖିଲା ମୁହଁକୁ ଚିହ୍ନିପାରୁଥିବା ଭାଇଟା ଥିବ, ଆଉ କଣ ବା ଦରକାର। ବୋଉ ଭଉଣୀକୁ ମାରିଲା ମାତ୍ରେ, ଭାଇ କୋହଭରା କଣ୍ଠରେ କହେ ବୋଉ ତୁ ମୋତେ ପଛେ ମାରେ, କିନ୍ତୁ ତାଙ୍କୁ କିଛି କହେନା। ତା ଆଖିରେ ଲୁହ ମୁଁ ସହିପାରିବିନି। ସେଥିପାଇଁ ତ ସେ ଭାଇ....
ଭାଇ ଆଗରେ ଦୁନିଆର ସବୁ ସମ୍ପତ୍ତି ତୁଚ୍ଛ। ଯେଉଁଘରେ ଭାଇ-ଭଉଣୀ ରହିଥାଆନ୍ତି, ସେ ଘର, ଘର ନୁହେଁ ସ୍ବର୍ଗ। ସମ୍ପର୍କର ଅନ୍ୟ ନାମ ଭାଇ। ସବୁ ସମ୍ପର୍କରୁ ଉର୍ଦ୍ଧ୍ବରେ ଭାଇ-ଭଉଣୀର ସମ୍ପର୍କ। ଏହା ଖାଲି ଏକ ପର୍ବ, କିନ୍ତୁ ସମ୍ପର୍କ ତ ଜନ୍ମଜନ୍ମାନ୍ତର। ଭାଇ ଭଉଣୀକୁ ଓ ଭଉଣୀ ଭାଇକୁ ଘଡିଏ ନ ଦେଖିଲେ ରହିପାରିବନି। ଦୁହେଁ ପରସ୍ପର ସହ ଏମିତି ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ଯେ, କେହି ଚାହିଁଲେ ବି ଅଲଗା କରିପାରିବେନି।
ଏବେ ସମୟ ବଦଳିଛି । ରାକ୍ଷୀ ଆଉ ଭାଇ-ଭଉଣୀଙ୍କ ସୀମା ସରହଦରେ ନରହି ଏବେ ରାକ୍ଷୀ ସବୁ ସମ୍ପର୍କର ସେତୁବନ୍ଧ ହୋଇଯାଇଛି । ଝିଅ ହେଉ କି ପୁଅଟିଏ ସାଙ୍ଗ ସାଙ୍ଗକୁ ରାକ୍ଷୀଟିଏ ସ୍ନେହରେ ବାନ୍ଧିଦେଉଛି । ବୟସ୍କଙ୍କ ହାତରେ କୁନିପିଲାଟିଏ ରାକ୍ଷୀ ବାନ୍ଧିଦେଇ ଆଶୀର୍ବାଦ କାମନା କରୁଥିବାର ଦେଖାଯାଉଛି । ନଣନ୍ଦ ତା ଭାଉଜ ହାତରେ ସମ୍ପର୍କ ଦୃଢ ହେବା ନେଇ ରାକ୍ଷୀଟିଏ ବାନ୍ଧି ଦେଉଛି । ତେଣୁ ରାକ୍ଷୀରେ ନ ଥାଏ ବୟସର ତାରତମ୍ୟ।
ବିଭିନ୍ନ ସ୍ଥାନରେ ରାକ୍ଷୀ ପୂର୍ଣ୍ଣିମା:
ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ତେବେ ଅନ୍ୟ ରାଜ୍ୟମାନଙ୍କରେ ଏହି ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି । ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମା ନାରିକେଳ ପୂର୍ଣ୍ଣିମା ଭାବେ ପାଳିତ ହେଇଥାଏ । ଏହି ଦିନ ସମୁଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ । ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି ଯେଉଁମାନେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି ସେମାନଙ୍କ ପାଇଁ ଏହି ପର୍ବ ଯଥେଷ୍ଟ ମହତ୍ତ୍ବ ରଖେ । ଗୁଜରାଟରେ ଏହି ଦିନ ପବିତ୍ରୋପନ ମଧ୍ୟ ପାଳିତ ହୋଇଥାଏ । ଶ୍ରାବଣର ପ୍ରତି ସୋମବାର ଶିବ ମନ୍ଦିରରେ ଜଳଲାଗି ସହ ପୂର୍ଣ୍ଣମୀରେ ଏହି ପର୍ବ ବହୁତ ଆଡ଼ମ୍ବର ସହିତ ପାଳିତ ହେଇଥାଏ । ଉତ୍ତର ଭାରତରେ ଏହି ପର୍ବ କାଜରି ପୂର୍ଣ୍ଣିମା ଭାବେ ଜଣାଶୁଣା । ଭଲ ଫସଲ ଉତ୍ପାଦନ ପାଇଁ ଏହି ଦିନ ଦେବୀଙ୍କୁ ପୂଜା କରାଯାଇଥାଏ ।
ପୁରାଣ ଓ ଇତିହାସରେ ରାକ୍ଷୀ ପୂର୍ଣ୍ଣିମା:
ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୌଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ । ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ ।
ସେହିପରି ଦ୍ବାପର ଯୁଗକୁ ନେଇ ଅନ୍ୟ ଏକ କାହାଣୀ ଅଛି, ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବାବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହେଇଯାଇଥିଲା । ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ । ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନ କରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ ।
ଇତିହାସରେ ମଧ୍ୟ ଭାଇ-ଭଉଣୀ ସମ୍ପର୍କର ଝଲକ ଦେଖିବାକୁ ମିଳିଥିଲା। ମଧ୍ୟ ଯୁଗର ରାଜପୁତ ଯୋଦ୍ଧାମାନେ ପରାକ୍ରମୀ ଥିଲେ । ସେମାନେ ଯୁଦ୍ଧରେ ମନ ପ୍ରାଣ ଦେଇ ଲଢୁଥିଲେ । ଏମିତି ଏକ ଯୁଦ୍ଧରେ ଚିତୋରର ରାଣୀ କର୍ଣ୍ଣାବତୀ ସ୍ବାମୀଙ୍କୁ ହରାଇବାପରେ ଯେତେବେଳେ ଅନୁଭବ କଲେ ଯେ, ସୁଲତାନ ବାହାଦୁରଶାହାଙ୍କୁ ପ୍ରତିହତ କରାଯାଇପାରିବ ନାହିଁ, ସେତେବେଳେ ସେ ଉପାୟଟିଏ ଚିନ୍ତାକଲେ । ମୋଗଲ ସମ୍ରାଟ ହୁମାୟୁନଙ୍କ ନିକଟକୁ ଏକ ରାକ୍ଷୀ ପଠେଇ ଦେଲେ । ହୁମାୟୁନ ମଧ୍ୟ ଏହାକୁ ଭଉଣୀର ସ୍ନେହ ମନେ କରି ଚିତୋରର ସୁରକ୍ଷାପାଇଁ ତୁରନ୍ତ ତାଙ୍କର ସୈନ୍ୟବାହିନୀ ପଠେଇଦେଇଥିଲେ ।
ବଳଭଦ୍ର ଜୟନ୍ତୀ:
ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ବାସ ରହିଛି ।
ଭାଇ-ଭଉଣୀ ପାଇଁ ପଦିଏ ଗୀତ:
"ଭାଇ ଭଉଣୀର ଅପୂର୍ବ ସେନେହ, ରହିଥାଏ ହୃଦେ ଭରି
ସତେ କି ପ୍ରଭୁ ଜଗନ୍ନାଥ, ଭଉଣୀ ସୁଭଦ୍ରା ପରି
ଏମିତି ଅଟେ ସେ ପବିତ୍ର ବନ୍ଧନ, ଛିଡେଇଲେ ଛିଡେନାହିଁ
ସ୍ନେହ ମମତାର ମଧୁର ସମ୍ପର୍କ, ଅଟଇ ଭଉଣୀ-ଭାଇ
ଭଉଣୀ ସାଥିରେ ଭାଇଟିଏ ଥିଲେ, ଯାଏ ନାହିଁ ସିଏ ଡରି
ଚାଲୁଥାଏ ସିଏ ଜୀବନର ପଥ, ଭାଇକୁ ଭରସା କରି"
ଭାଇ ସହ ଝଗଡା:
ଭାଇ ସହ ଝଗଡା କରିବାର ମଜା ନିଆରା। ଏହି ଝଗଡା ଆଉ କାହା ସହ କଲେ ମଜା ଲାଗେନା। ସବୁ ଅଳି-ଅର୍ଦ୍ଦଳି ଭାଇ ପାଖରେ କଲେ ହିଁ ଭଲଲାଗେ। କାହିଁକି କେଜାଣି ସେ ଯେତେ ମାରିଲେ ବି ସେ ମାଡ କାଟେନି। କେତେ ବଡ ହେବା ଯାଏଁ ଭାଇ-ଭଉଣୀର ମାଡଗାଳି ଲାଗିଥାଏ। ବୋଉ-ବାପା ଯେତେ କହିଲେ ବି ସେ ଝଗଡା କଣ ବନ୍ଦ ହୁଏ। କିଛି ସମୟ ପାଇଁ ବନ୍ଦ ହୋଇ ପୁଣି ଆରମ୍ଭ ହୋଇଥାଏ। ବାପାମାନେ ଝିଅର ପକ୍ଷ ନେଲା ବେଳକୁ ବୋଉମାନେ ପୁଅର ପକ୍ଷ ନେଇଥାଆନ୍ତି । ଭଉଣୀ କିଛି ନ କଲେ ବି ଭାଇ ତା ସହ ଆଗେ ଝଗଡା କରିଥାଏ। ତେଣୁ ଭାଇ-ଭଉଣୀ ଥିବା ପ୍ରତ୍ୟେକଙ୍କ ଘରୁ ସବୁବେଳେ ଏୟା ହିଁ ଶୁଭୁଥାଏ, ବୋଉ ଦେଖିଲୁ....ଭାଇ କେମିତି ମୋ ସହ ଲାଗୁଛି। ଯେତେ ଝଗଡା ହେଲେ ମଧ୍ୟ ଭାଇ-ଭଉଣୀ କେବେ କଥାବାର୍ତ୍ତା ବନ୍ଦ କରିନଥାନ୍ତି ।
ହିନ୍ଦୀ ଓ ଓଡିଆ ଚଳଚ୍ଚିତ୍ରରେ ରାକ୍ଷୀ ପୂର୍ଣ୍ଣିମା:
ଭାଇ-ଭଉଣୀର ପବିତ୍ର ସମ୍ପର୍କକୁ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଖୁବ୍ ସୁନ୍ଦର ଭାବେ ଚିତ୍ରିତ କରାଯାଇଥାଏ। ଏହି ସମ୍ପର୍କ କଣ, କାହିଁ ଏତେ ନିଜର, ସବୁ ସମ୍ପର୍କ ବ୍ୟତୀତ ଏହା କାହିଁକି ସର୍ବୋପରି, ଏହାର ନିଚ୍ଛକ ଚିତ୍ର ଚଳଚ୍ଚିତ୍ରରେ ଆଦୃତ ହୋଇଥାଏ। ଚଳଚ୍ଚିତ୍ରରେ ଅଭିନୟ କରୁଥିବା ସମସ୍ତ ଅଭିନେତା-ଅଭିନେତ୍ରୀ ଭାଇ-ଭଉଣୀର ଚରିତ୍ରକୁ ଖୁବ୍ ସୁନ୍ଦର ଭାବେ ତୋଳି ପାରିଥାନ୍ତି। ଯାହା ଦର୍ଶକଙ୍କ ହୃଦୟକୁ ବେଶ୍ ଛୁଇଁଥାଏ । ଏହି ଚଳଚ୍ଚିତ୍ର ଦେଖି କେହି କେହି କାନ୍ଦି ପକାଇଥାନ୍ତି । ଚାଲନ୍ତୁ ଜାଣିବା ସେହି ଚଳଚ୍ଚିତ୍ର ସମ୍ପର୍କରେ କିଛି....
ରାକ୍ଷୀ ଭିଜିଗଲା ଆଖି ଲୁହରେ:
ରାକ୍ଷୀ ଟାଇଟେଲରେ ଓଡିଆ ଚଳଚ୍ଚିତ୍ର 'ରାକ୍ଷୀ ଭିଜିଗଲା ଆଖି ଲୁହରେ' ସଂଗ୍ରାମ ବିଶ୍ବାଳଙ୍କ ନିର୍ଦ୍ଦେଶନାରେ 1999 ମସିହାରେ ନିର୍ଦ୍ଦେଶିତ ହୋଇଥିଲା । ଏଥିରେ ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ମିହିର ଦାସ, ଦେବୁ ବୋଷ, ବିଜୟ ମହାନ୍ତି ଓ ଅପରାଜିତା ମହାନ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିରେ ବିଜୟ ମହାନ୍ତି ବଡ଼ଭାଇ ଓ ରଚନା ବାନାର୍ଜୀ ସାନ ଭଉଣୀ ଭୂମିକାରେ ଅଭିନୟ କରିଥିଲେ।
ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ:
ରତିକାନ୍ତ କାନୁନଗୋଙ୍କ ପ୍ରଯୋଜିତ ଓ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ରାକ୍ଷୀ ବାନ୍ଧିଲି ମୋ’ ରଖିବ ମାନ’ ସିନେମାର ନାମକରଣରୁ ହିଁ ଜଣାଯାଏ ଯେ ଏହାର କଥାବସ୍ତୁ ମଧ୍ୟ ଭାଇ-ଭଉଣୀଙ୍କ ସମ୍ପର୍କ ଉପରେ ଆଧାରିତ। ଅଭିନେତା ମିହିର ଦାସ ଏଥିରେ ଭାଇ ଓ ଅଭିନେତ୍ରୀ ଅନୁ ଚୌଧୁରୀ ଭଉଣୀ ଭୂମିକାରେ ଚମତ୍କାର ଅଭିନୟ କରିଥିଲେ। ଏଥିରେ ଗୋଟେ ଗୀତ ସମସ୍ତଙ୍କ ମନକୁ ଛୁଇଁ ପାରିଥିଲା....
'ଭାଇ ତୋତେ ମୋର ରହିଲା ରାଣ, କହିବୁନି କଥା ପଦିଏ ଟାଣ
ତୋ ଆଖିରେ କେବେ ଦେବିନି ମୁଁ ଲୁହ, ହସେଇବି ତୋତେ ସାରା ଜୀବନ
ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ.......'
ସେହିପରି ଏଇ ତ ଦୁନିଆଁ, ସୁଭଦ୍ରା, ଛୋଟି ବେହେନ, ରାକ୍ଷୀ, ସଚ୍ଚା-ଝୁଠା, ହରେକୃଷ୍ଣ ହରେରାମ, ରକ୍ଷାବନ୍ଧନ, ବତନ କେ ରଖୱାଲେ ଓ ଓଡିଆ ଚଳଚ୍ଚିତ୍ରରେ ଫେରିଆ ମୋ ସୁନା ଭଉଣୀ, ଜଗା ହାତରେ ପଘା, ଆକାଶେ କି ରଙ୍ଗ ଲାଗିଲା, ସାଥିରେ ପରି ଅନେକ ଚଳଚ୍ଚିତ୍ରରେ ଭାଇ-ଭଉଣୀର ସ୍ନେହ ଓ ଭଲପାଇବା ଦେଖିବାକୁ ମିଳିଥିଲା ।
ଗୀତ-ଗୀତରେ ରାକ୍ଷୀ ପୂର୍ଣ୍ଣିମା:
1) ମେରେ ଭୈୟା, ମେରେ ଚନ୍ଦା, ମେରେ ଅନମୋଲ ରତନ...
ତୁଝସେ ବଦଲେ ମେଁ ଜମାନେ ସେ କୋଇ ଚିଜ ନା ଲୁଁ....
2) ଭାଇ ତୋତେ ମୋର ରହିଲା ରାଣ...କହିବୁନି କଥା ପଦିଏ ଟାଣ...
3) ମୋ ହାତରେ ବାନ୍ଧି ଦେଲୁ ରାକ୍ଷୀ...ରାକ୍ଷୀ ତୋର ରହିଲା ସାକ୍ଷୀ
4) ଭୈୟା ମେରେ ରାକ୍ଷୀ କେ ବନ୍ଧନ କୋ ନିଭାନା...
ଭୈୟା ମେରେ ଛୋଟେ ବେହନ କୋ ନା ଭୁଲାନା..
5) ଫୁଲୋଁ କାଁ ତାରୋଁ କାଁ ସବକା କହନା ହେ...
ଏକ ହଜାରୋଁ ମେଁ ମେରି ବେହନା ହେ....
ସାରି ଉମର ହମେ ସଙ୍ଗ ରେହନା ହେ....
6) ବେହେନା ନା ଭାଇ କେ କଲାଇ ମେଁ, ପ୍ୟାର ବାନ୍ଧା ହେ...
ପ୍ୟାର କେ ଦୋ ତାର ସେ, ସଂସାର ବାନ୍ଧା ହେ....
ଭଗବାନଙ୍କ ହାତରେ ବାନ୍ଧନ୍ତୁ ରାକ୍ଷୀ:
ଭାଇ ନଥିଲେ ମନଦୁଃଖ ନ କରି ଘରେ ଥିବା ଠାକୁରଙ୍କ ହାତରେ ରାକ୍ଷୀ ବାନ୍ଧିପାରିବେ। ସେ ପରା ଆଗ ଆପଣଙ୍କ ରକ୍ଷକ। ସମସ୍ତ ଅସୁବିଧାରୁ ରକ୍ଷା କରୁଥିବା ସେ ହେଉଛନ୍ତି ପ୍ରଥମ ଭାଇ। ସେଥିପାଇଁ ରାକ୍ଷୀ ପୂର୍ଣ୍ଣିମା ଦିନ ବହୁ ମହିଳା ଓ ଯୁବତୀ ମନ୍ଦିରକୁ ରାକ୍ଷୀ ନେଇ ଯାଇଥାଆନ୍ତି । ତିଲକ-ଚନ୍ଦନ ଲଗାଇ ଦେଇ ଠାକୁରଙ୍କ ହାତରେ ରାକ୍ଷୀ ବାନ୍ଧି ଦେଇଥାଆନ୍ତି। ପଥରମୂର୍ତ୍ତୀ ସିନା ପାଉଣା ଦେଇପାରିବ ନାହିଁ, କିନ୍ତୁ ସାରା ଜୀବନ ରକ୍ଷା କରିବାର ପ୍ରତିଶୃତି ଦେଇପାରିବ। ଅଦୃଶ୍ୟ ଶକ୍ତି ଭାବେ ସେ ସବୁବେଳେ ଭଉଣୀ ରୂପୀ ଭକ୍ତର ଆଖେ ପାଖେ ରହିଥିବ। ଭାଇ ହୋଇ ତାର ଭଲମନ୍ଦ ବୁଝୁଥିବ।
ଭାଇ ହାତରେ ବାନ୍ଧନ୍ତୁ ନାହିଁ ଏହି ରାକ୍ଷୀ:
1) କଳା ରଙ୍ଗ ଥିବା ରାକ୍ଷୀ ଭାଇ ହାତରେ ବାନ୍ଧନ୍ତୁ ନାହିଁ। କୁହାଯାଏ ଯେ, ଏହି ରଙ୍ଗର ରାକ୍ଷୀ ବାନ୍ଧିଲେ ଭାଇର ଅମଙ୍ଗଳ ହୋଇଥାଏ।
2) ରାକ୍ଷୀ ବାନ୍ଧିବାବେଳେ ଧ୍ୟାନ ରଖିଥିବେ, ଯେପରି ଏହି ରାକ୍ଷୀ ଛିଣ୍ଡି ନଥିବ। ନଚେତ୍ ଏହାଦ୍ବାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ।
3) ଭାଇର ମଣିବନ୍ଧରେ ପ୍ଲାଷ୍ଟିକ ରାକ୍ଷୀ ବାନ୍ଧନ୍ତୁ ନାହିଁ । ଏପରି କରିବାଦ୍ବାରା ଜୀବନରେ ଦୁର୍ଭାଗ୍ୟ ଆସିଥାଏ।
4) ଅଶୁଭ ଚିହ୍ନ ଥିବା ରାକ୍ଷୀ ଭାଇ ହାତରେ ବାନ୍ଧନ୍ତୁ ନାହିଁ। ଅନେକ ଲୋକ ରାକ୍ଷୀ କିଣିବା ସମୟରେ ଏହି ଚିହ୍ନ ପ୍ରତି ଧ୍ୟାନ ଦେଇ ନ ଥାନ୍ତି । ଏହାଦ୍ବାରା ଭାଇର ଅଶୁଭ ହୋଇଥାଏ।
5) ଭାଇଙ୍କ ହାତରେ ଭଗବାନଙ୍କ ଫଟୋ ଥିବା ରାକ୍ଷୀ ମଧ୍ୟ ବାନ୍ଧନ୍ତୁ ନାହିଁ । କାରଣ ଅଜାଣତରେ ରାକ୍ଷୀ ତଳେ ପଡ଼ିଗଲେ ଏଥିରେ ପାଦ ବାଜିବାର ସମ୍ଭାବନା ଥାଏ। ଏହାଦ୍ବାରା ପାପ ଭୋଗିବାକୁ ପଡ଼ିଥାଏ। ତେଣୁ ଭଗବାନଙ୍କ ପ୍ରତିମା ଥିବା ରାକ୍ଷୀ ବାନ୍ଧନ୍ତୁ ନାହିଁ।
କୋରୋନା ସଚେତନତା ରାକ୍ଷୀ:
ମହାମାରୀ କୋରୋନା ଯୋଗୁଁ ସମସ୍ତେ ଏବେ ବାହାରକୁ ଯିବାକୁ ଡରୁଛନ୍ତି । ରାକ୍ଷୀ କିଣିବାକୁ ମଧ୍ୟ ଭୟ ଲାଗୁଛି। ତେଣୁ କେହି କେହି ଘରେ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରି ବିକ୍ରି କରିବାକୁ ଲାଗିଲେଣି । କିଏ ଖାଲି ସୂତାରେ ରାକ୍ଷୀ କଲାଣି ତ ଆଉ କିଏ ଗୋବରରେ। ତେଣୁ ଗୁଜୁରାଟର କଚ୍ଛରେ ରାମକୃଷ୍ଣ ପରମହଂସ ନାମକ ଏକ ଟ୍ରଷ୍ଟ ଗୋବର ଓ ଗୋ-ମୁତ୍ର ବ୍ୟବହାର କରି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ଏହାଦ୍ବାରା କୋରୋନା ସଂକ୍ରମଣରୁ ମଧ୍ୟ ନିଜକୁ ଦୂରେଇ ରଖାଯାଇପାରିବ । ଏହାସହିତ ଗୁଜୁରାଟ ସୁରଟର ଜଣେ ବ୍ୟବସାୟୀ ପକେଟ ସାଇଜ ସାନିଟାଇଜର ଏବଂ ମାସ୍କ ବ୍ୟବହାର କରି ରାକ୍ଷୀ ପ୍ରସ୍ତୁତ କରିଛନ୍ତି। ଏଥିରୁ କେବଳ ଏତିକି ବାର୍ତ୍ତା ମିଳେ ଯେ, ଜଣେ ଭଉଣୀ କେବଳ ଭାଇ ହାତରେ ରାକ୍ଷୀ ବାନ୍ଧି ନ ଥାଏ, ଭାଇର ସୁରକ୍ଷା କଥା ମଧ୍ୟ ଚିନ୍ତା କରିଥାଏ। ଭାଇ ସେହି ସାନିଟାଇଜର ଏବଂ ମାସ୍କ ବ୍ୟବହାର କରି କିପରି କୋରୋନାରୁ ଦୂରେଇ ରହିପାରିବ । ଏହି ରାକ୍ଷୀ ଏବେ ସମସ୍ତଙ୍କ ପସନ୍ଦ ପାଲଟିପାରିଛି ।
ସାତ ଦରିଆ ପାରିରେ ଭାଇ:
ସେ ପା ଭାଇ, ଯେଉଁଠି ଥାଉ। ସବୁବେଳେ ସେ ତା ଭଉଣୀର। ତେଣିକି ସେ ପାଖରେ ଥାଉ କି ସାତ ଦରିଆ ପାରିରେ ଥାଉ। ଭଉଣୀକୁ ଦଣ୍ଡେ ନ ଦେଖିଲେ ସେ ରହିପାରିବ ନାହିଁ। ବାହାରେ ଥିଲାବେଳେ ସେ ଯେତେବେଳେ ଘର ଲୋକଙ୍କୁ ଫୋନ କରେ, ଆଗେ ତା ଭଉଣୀ କଥା ପଚାରେ। କାହିଁକିନା ଭଉଣୀ ତା ଜୀବନ। ପାଖରେ ଥିଲାବେଳେ ସେ ଆକଟ କରୁଥିଲା, ଦୂରରେ ରହିଲା ବୋଲି କଣ ଭୁଲିଯିବ। ଯା ପାଖରେ ଭାଇ ଅଛି, ତା ପାଖରେ ଶତ ସିଂହର ବଳ ଅଛି । ରାକ୍ଷୀ ପୂର୍ଣ୍ଣିମାରେ ଭାଇ ପାଖରେ ଥିଲା କେଡେ ଖୁସି। କିନ୍ତୁ ଯେଉଁମାନଙ୍କର ଭାଇ ବିଦେଶରେ ଅଛନ୍ତି, ତାଙ୍କ ପାଖକୁ ଭଉଣୀ ସ୍ନେହବୋଳା ରାକ୍ଷୀଟିଏ ପଠାଇଥାଏ। କିନ୍ତୁ ସେଥିରେ କଣ ମଜାଥାଏ, ଭାଇ ମଥାରେ ସିନ୍ଦୂର-ଚନ୍ଦନ ଲଗାଇ ଦେଇ ହାତରେ ରାକ୍ଷୀଟିଏ ବାନ୍ଧି ମିଠା ଖୁଆଇ ଦେବାରେ ଯେଉଁ ଭଲପାଇବା ରହିଥାଏ, ତାହା ପଠାଇଲାବେଳେ ଜଣାପଡି ନ ଥାଏ। କାଳେ ଭାଇ ପାଖରେ ରାକ୍ଷୀ ନ ପହଞ୍ଚିବ, ସେ ଡରରେ ଭଉଣୀଟିଏ ମାସେ ଆଗରୁ ତା ଭାଇ ପାଇଁ ରାକ୍ଷୀଟିଏ ପଠାଇ ଦେଇଥାଏ। ଭାଇ ଘରକୁ ଆସିଲେ ଭଉଣୀ ପାଉଣା ପାଇଁ ଅଳି କରି ବସେ।
ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ 'ଇଟିଭି ଭାରତ' ପରିବାର ପକ୍ଷରୁ ସମସ୍ତ ଭାଇ-ଭଉଣୀଙ୍କୁ ଅଶେଷ ଅଶେଷ ଅଭିନନ୍ଦନ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ