ଭୋପାଳ: ମଧ୍ୟପ୍ରଦେଶ ସରକାରରେ କୋରୋନା ଆତଙ୍କ । ଶିବରାଜ ସରକାରଙ୍କ ସମବାୟ ମନ୍ତ୍ରୀ ଅରବିନ୍ଦ ଭଦୌରିଆ କୋରୋନା ପଜିଟିଭ ଥିବା ଜଣାପଡିଛି । ଯାହା ପରେ ତାଙ୍କୁ ବିରାୟୁରେ ଥିବା ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ଯେତେବେଳେ ସମବାୟ ମନ୍ତ୍ରୀ ଅସୁସ୍ଥତା ଅନୁଭବ କରିଥିଲେ ଏହାପରେ ବି ସେ କ୍ୟାବିନେଟ ବୈଠକରେ କେମିତି ଯୋଗ ଦେଲେ?
ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ମିଟିଂରେ ଅନ୍ୟ ମନ୍ତ୍ରୀ ମାନେ ଉପସ୍ଥିତ ଥିଲେ । ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏବେ ଚିନ୍ତା ପ୍ରକଟ କରାଯାଇଛି ।
ଏହାପୂର୍ବରୁ ମନ୍ତ୍ରୀ ଅରବିନ୍ଦ ସିଂ ଭଦୌରିଆ 2 ଦିନ ପୂର୍ବେ ସ୍ବର୍ଗତଃ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ଲକ୍ଷ୍ନୌରେ ପହଞ୍ଚିଥିଲେ । କେବଳ ଏତିକି ନୁହେଁ ଶାରଦା ବିହାରରେ ଚାଲିଥିବା ଏକ ମିଟିଂରେ ସେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ମଧ୍ୟ ଭେଟିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ