ପାଟନା: ଅଭିନେତାରୁ ରାଜନେତା ପାଲଟିଥିବା ସାଂସଦ ଶତ୍ରୁଘ୍ନ ସିହ୍ନା ପାଟନା ସାହିବ ଆସନରୁ ହ୍ୟାଟ୍ରିକ୍ କରିବା ନେଇ ଆଶାବାଦୀ ଅଛନ୍ତି । ଶୁକ୍ରବାର ନିଜ ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଥିବା ଶତ୍ରୁଘ୍ନ ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହାସହ ଏଥର ସେ ରେକର୍ଡ ବ୍ୟବଧାନରେ ବିପକ୍ଷ ପ୍ରାର୍ଥୀଙ୍କୁ ହରାଇବେ ବୋଲି କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଗତ ଏପ୍ରିଲ 6ରେ ଶତ୍ରୁଘ୍ନ ବିଜେପି ଛାଡି କଂଗ୍ରେସରେ ମିଶିଥିଲେ । ବିଜେପି ସାଂସଦ ଭାବେ ଲଗାତାର 2 ଥର ଜିତିଥିବା ଏହି ବଲିଉଡ ଅଭିନେତା ଏଥର କଂଗ୍ରେସ ଟିକେଟ୍ରେ ସାଂସଦ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସରେ ମିଶିବା ପରେ ପ୍ରଥମ ଥର ପାଇଁ ସେ ନିଜ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି । ଆଜି ସନ୍ଧ୍ୟାରେ ସେ ପାଟନା ଏୟାରପୋର୍ଟରେ ପହଞ୍ଚି ସିଧା ଏଠାରେ ପହଞ୍ଚିଛନ୍ତି ।
ଏଠାରେ ଉପସ୍ଥିତ ସାମ୍ବାଦିକଙ୍କୁ ସେ କହିଥିଲେ ଯେ ଗତଥର ପାଟନା ସାହିବରେ ସେ ଅଧିକ ଭୋଟ୍ ବ୍ୟବଧାନରେ ଜିତିଥିଲେ । ବିହାରର କୌଣସି ଆସନରେ ଏହା ସର୍ବାଧିକ ଭୋଟ୍ ବ୍ୟବଧାନରେ ବିଜୟ ଥିଲା । ତେବେ ଏଥର ଆହୁରି ବଡ ରେକର୍ଡ ହେବ । ଏଥର ବିଜୟୀ ବ୍ୟବଧାନ ଆହୁରି ଅଧିକ ହେବା ସହ ସେ ହ୍ୟାଟ୍ରିକ୍ କରିବେ ବୋଲି କହିଛନ୍ତି । ଗତଥର ସେ ଏଠାରେ ଭୋଜପୁରୀ ଆକ୍ଟରଙ୍କୁ ପରାସ୍ତ କରିଥିବାବେଳେ 2009ରେ ବଲିଉଡ ଅଭିନେତା ଶେଖର ସୁମନଙ୍କୁ ହରାଇଥିଲେ ।
ଏହାସହ ବିଜେପିକୁ ଟାର୍ଗେଟ୍ କରି ଶତ୍ରୁଘ୍ନ କହିଛନ୍ତି ଯେ ସେ କେବେ ମଧ୍ୟ ବିଜେପିର ବରିଷ୍ଠ ନେତାଙ୍କୁ ନିଜ ପାଇଁ ପ୍ରଚାର କରିବାକୁ କହିନାହାଁନ୍ତି । କାରଣ ବିହାରର ଲୋକ ଜାଣିଛନ୍ତି ଯେ ଶତ୍ରୁଘ୍ନ କିଏ । ତାଙ୍କ ସହ ସେମାନେ ବହୁତ ପୁରୁଣା ଦିନରୁ ସମ୍ପର୍କରେ ରହି ଆସିଛନ୍ତି । ତେଣୁ ତାଙ୍କର ଜିତିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି ।