ନୂଆଦିଲ୍ଲୀ: ପାର୍ବତ୍ୟାଞ୍ଚଳରୁ ଆସୁଥିବା ବରଫ ପବନ ଯୋଗୁଁ ସମଗ୍ର ଉତ୍ତର ଭାରତର ଲୋକେ ଶୀତରେ ଥରୁଛନ୍ତି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଥଣ୍ଡା କମିବାର ଆଶଙ୍କା ନଥିବା ବେଳେ ଦିଲ୍ଲୀ, ହରିୟାଣା, ୟୁପି ସମେତ ପୁରା ଉତ୍ତର ଭାରତର ଲୋକେ ହାଡଭଙ୍ଗା ଶୀତ ଅନୁଭବ କରୁଛନ୍ତି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ 1-2 ଦିନ ପର୍ଯ୍ୟନ୍ତ ଏହିପରି ପାଗ କୋହଲା ରହିବ ।
ହରିୟାଣାର ତାପମାତ୍ରା 1.7 ଡିଗ୍ରୀ ସେଲସିୟସ ଥିବା ବେଳେ ଦିଲ୍ଲୀ ସର୍ବନିମ୍ନ ତାପମାତ୍ରା 7.2 ଏବଂ ସର୍ବୋତମ 13 ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ଉତ୍ତରପ୍ରଦେଶରେ 7 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ତେବେ ପ୍ରବଳ ଥଣ୍ଡା କାରଣରୁ ଗତ ମଙ୍ଗଳବାର ଉତ୍ତରପ୍ରଦେଶରେ 28 ଜଣ ଲୋକଙ୍କ ମୃତ୍ୟୁ ଘଟିଛି ।
ସେହିପରି ବୁନ୍ଦେଲଖଣ୍ଡ ଏବଂ ମଧ୍ୟ ୟୁପିର 17 ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ତେବେ କାନପୁର ସହରରେ 10, ଫତେହପୁର 2, ଔରୌୟା 2 ଏବଂ କାନପୁର ଦେହାତରେ 2 ଜଣ ଲୋକଙ୍କ ପ୍ରବଳ ଥଣ୍ଡାରେ ମୃତ୍ୟୁ ଘଟିଛି ।