ମୁମ୍ବାଇ: ମହାରାଷ୍ଟ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଗଠନର ଅଙ୍କ ଛିଡିନାହିଁ । ମେଣ୍ଟ କରି ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଶିବସେନା ଓ ବିଜେପି ନିର୍ବାଚନ ପରେ ଆମ୍ନାସାମ୍ନି ସ୍ଥିତିରେ ନଜର ଆସିଛନ୍ତି । 24 ଅକ୍ଟୋବରର ନିର୍ବାଚନ ଫଳାଫଳ ବିଜେପିର ଚିନ୍ତା ବଢାଇଦେଇଥିଲା । ଦଳକୁ ବର୍ତ୍ତମାନ ଗତ ନିର୍ବାଚନଠାରୁ 17 ସିଟ୍ର କ୍ଷତି ଉଠାଇବାକୁ ପଡୁଛି । ଅନ୍ୟପକ୍ଷେ ଏହାର ସୁଯୋଗ ଉଠାଇବାକୁ ଯାଇ ଶିବସେନା ମୁଖ୍ୟମନ୍ତ୍ରୀ ପଦର ଦାବିକୁ ନେଇ ଅଡିବସିଛି । ଏପରି ସ୍ଥିତିରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପ୍ରତିକ୍ରୟା ସାମ୍ନାକୁ ଆସିଛି ।
ଶିବସେନା ସବୁବେଳେ ସତ୍ୟର ରାଜନୀତି କରୁଥିବା ବେଳେ ଏହା କ୍ଷମତା ଲୋଭୀ ଦଳ ନୁହେଁ ବୋଲି ସାଂସଦ ସଞ୍ଜୟ ରାଉତ କହିଛନ୍ତି । କେବେଳ ଏତିକି ନୁହେଁ ସଞ୍ଜୟ ବିଜେପିକୁ ଟାର୍ଗେଟ କରିବା ସହ କହିଛନ୍ତି ଯେ ମହାରାଷ୍ଟ୍ରରେ କେହି ଦୁଷ୍ୟନ୍ତ ଚୌଟାଲା ନାହାନ୍ତି, ଯାହାଙ୍କ ବାପା ଜେଲରେ ଅଛନ୍ତି ।
ସରକାର ଗଠନକୁ ନେଇ ଉଭୟ ଶିବସେନା ଓ ବିଜେପି ମଧ୍ୟରେ ଟଣାଓଟରା ସ୍ଥିତି ଚାଲିଥିବା ବେଳେ ବୁଧବାର ବିଜେପିର ବୈଠକ ହେବାକୁ ଯାଉଛି । ଏଥିରେ ଦେବେନ୍ଦ୍ର ଫଡନାଭିସଙ୍କୁ ବିଧାୟକ ଦଳର ନେତା ଚୟନ କରାଯିବା ନେଇ ସୂଚନା ମିଳୁଛି ।