କୋରୋନା ମହାମାରୀର ପ୍ରକୋପ ଜାରି ରହିଛି । ସାରା ବିଶ୍ବରେ ଏହି ମହାମାରୀ ଏ ଯାଏଁ 1 ଲକ୍ଷ 50 ହଜାରରୁ ଅଧିକ ମୁଣ୍ଡ ନେଇସାରିଲାଣି । 22 ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଚିନ୍ତାର ବିଷୟ ହେଲା ଯେ, କୋରୋନା ଯୁଦ୍ଧରେ ସମ୍ମୁଖ ବୀର ସାଜିଥିବା ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନେ ଭାଇରସରେ ଆକ୍ରାନ୍ତ ହେଉଛନ୍ତି । ଏପରିକି ସ୍ବାସ୍ଥ୍ୟକ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଉଥିବା ଧନୀ ରାଷ୍ଟ୍ରଗୁଡିକ ମଧ୍ୟ ଏଭଳି ସ୍ଥିତିର ସମ୍ମୁଖୀନ ହୋଇ ଅସହାୟ ମଣୁଛନ୍ତି । ସ୍ବାସ୍ଥ୍ୟକ୍ଷେତ୍ରରେ ଅପେକ୍ଷାକୃତ କମ୍ ବଜେଟ ବ୍ୟବସ୍ଥା କରୁଥିବା ଭାରତ ଭଳି ଦେଶର ତ ଅବସ୍ଥା ସହଜରେ କହିହେବନି । କୋରୋନା ମହାମାରୀ ନିୟନ୍ତ୍ରଣ ପାଇଁ ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରିବା ସହ ବ୍ୟାପକ ପରୀକ୍ଷଣ ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପରାମର୍ଶକୁ ଗ୍ରହଣ କରିବା ସ୍ଥିତିରେ ନାହିଁ ଭାରତ । କାରଣ ଏଥିପାଇଁ ଡାଏଗ୍ନୋଷ୍ଟିକ କିଟ, ହସ୍ପିଟାଲ ବେଡ ଓ ମେଡିକାଲ ଷ୍ଟାଫଙ୍କ ପାଇଁ ଆବଶ୍ୟକ ସୁରକ୍ଷା ଉପକରଣର ଅଭାବ ରହିଛି । ଏଭଳି ସ୍ଥିତିରେ ମହାମାରୀର ମୁକାବିଲା ପାଇଁ ଲକଡାଉନ ଓ ସେଲଫ କ୍ବାରେନଣ୍ଟାଇନ ଛଡା ଅନ୍ୟ ବିକଳ୍ପ ନାହିଁ ।
ଏପ୍ରିଲ 6 ତାରିଖ ସୁଦ୍ଧା ଭାରତ ପାଖରେ 10 ହଜାରରୁ କମ ପର୍ସନାଲ ପ୍ରୋଟେକଟିଭ ଇକ୍ବିପମେଣ୍ଟ -ପିପିଇ ଉପଲବ୍ଧ ଥିଲା । ଏଥି ମଧ୍ୟରୁ ଚୀନ କିଛି ପିପିଇ ଯୋଗାଇଥିଲା । ଆହୁରି 50 ଲକ୍ଷ ପିପିଇ ଓ 15 ଲକ୍ଷ ରୋଗ ପରୀକ୍ଷଣ କିଟ ଚୀନରୁ ଆସିବାର ଅଛି । ଏବେ ଆସନ୍ତୁ ନଜର ପକାଇବା କେଉଁ ଦେଶରେ ପ୍ରତି 10 ଲକ୍ଷ ଜନସଂଖ୍ୟାରେ ଟେଷ୍ଟିଂ ହାର କେତେ ରହିଛି । ରିପୋର୍ଟ ଅନୁସାରେ ଇସ୍ରାଏଲରେ ପ୍ରତି 10 ଲକ୍ଷ ଜନସଂଖ୍ୟାରେ ଟେଷ୍ଟିଂ ହାର 18 ହଜାର 6 ଶହ ରହିଛି । ଇଟାଲୀରେ ଏହି ହାର 17 ହଜାର 327 ରହିଥିଲା ବେଳେ ଅଷ୍ଟ୍ରେଲିଆରେ ଏହି ହାର ରହିଛି 14 ହଜାର 3 ଶହ । ଦକ୍ଷିଣ କୋରିଆରେ ପ୍ରତି 10 ଲକ୍ଷ ଲୋକଙ୍କ ପିଛା ଟେଷ୍ଟିଂ ହାର 10 ହଜାର 46 ଥିଲା ବେଳେ ଭାରତରେ ଏହି ହାର ମାତ୍ର 161 ରହିଛି । ଚୀନରୁ ମଗାଯାଇଥିବା ଟେଷ୍ଟିଂ କିଟ ଆସିଲେ ମଧ୍ୟ ମାମଲା ସଂଖ୍ୟା ବଢିବା ସମ୍ଭାବନା ଥିବାରୁ ତାହା ଯଥେଷ୍ଟ ହେବ ନାହିଁ । ଏଭଳି ଏକ ଜଟିଳ ପରିସ୍ଥିତିରେ ଦେଶର ଡାକ୍ତରୀ ଉପକରଣ ଉତ୍ପାଦନ କରୁଥିବା କମ୍ପାନୀମାନେ ଯୁଦ୍ଧକାଳୀନ ଭାବେ କାମ କରିବା ଜରୁରୀ । କିନ୍ତୁ ଉଦ୍ବେଗର ବିଷୟ ହେଲା, ସେମାନେ କ୍ଷମତା ମୁତାବକ ଅଧା କାମ ବି କରିବାରେ ଅସମର୍ଥ । ତେଣୁ ଏ ଦିଗ ପ୍ରତି ଉଚିତ ଧ୍ୟାନ ଦେବା ଜରୁରୀ ହୋଇପଡିଛି ।
କୋରୋନା ମହାମାରୀ ବିଶ୍ବବ୍ୟାପୀ 59 ମିଲିୟନ ନର୍ସଙ୍କ ଅଭାବ ସୃଷ୍ଟି କରିଥିବା ଘୋଷଣା କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଇଟାଲୀରେ 9 ଏବଂ ସ୍ପେନରେ 14 ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଭାଇରସରେ ଆକ୍ରାନ୍ତ ହୋଇଥିଲେ । ଏଭଳି ସ୍ଥିତିରେ କୋରୋନା ଚିକିତ୍ସା କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଅଧିକ ପିପିଇର ଆବଶ୍ୟକ ହୋଇପଡିଛି । ଭାରତ ସେହି ଦେଶଙ୍କ ସୂଚୀରେ ସାମିଲ ହୋଇଛି, ଯେଉଁଠି ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାରରୁ ଅଧିକ ହେଲାଣି । ଏ ପରିପ୍ରେକ୍ଷୀରେ ବ୍ୟାପକ ଡାଏଗ୍ନୋଷ୍ଟିକ ଟେଷ୍ଟ୍ ସହ ମେଡିକାଲ ଷ୍ଟାଫଙ୍କ ସୁରକ୍ଷା ପାଇଁ ଉପକରଣ ଯୋଗାଇ ଦେବା ହିଁ କୋରୋନା ବିରୋଧୀ ଲଢେଇର ପ୍ରାଥମିକତା ହେବା ଉଚିତ । ଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ ବାୟୋଲୋଜି ( ଆଇଜିଆଇବି ) ବିକଳ୍ପ ବ୍ୟବସ୍ଥା ଭାବେ ଏକ ଶସ୍ତା କାଗଜ ଭିତ୍ତିକ ଡାଏଗ୍ନୋଷ୍ଟିକ କିଟ ବିକଶିତ କରୁଥିଲା ବେଳେ ଦେଶରେ କେମିତି କୋରୋନା ଟେଷ୍ଟ କିଟ ପ୍ରସ୍ତୁତ ହୋଇପାରିବ, ସେନେଇ କେନ୍ଦ୍ର ସରକାର ପଦକ୍ଷେପ ନେବା ଆବଶ୍ୟକ ।
ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ ଦେଶର ଡାକ୍ତରଙ୍କ ପାଇଁ ସୁରକ୍ଷିତ କପଡା ପ୍ରସ୍ତୁତ କରିବାକୁ ଯୋଜନା କରୁଛି । 70 ଲକ୍ଷ ପିପିଇ ପ୍ରସ୍ତୁତ ପାଇଁ କେନ୍ଦ୍ର ସରକାର ଦେଶର 39ଟି କମ୍ପାନୀ ଓ 1 କୋଟିରୁ ଅଧିକ ଏନ-95 ମାସ୍କ ପାଇଁ ତିନିଟି କମ୍ପାନୀ ସହ ରାଜିନାମା ସ୍ବାକ୍ଷର କରିଛନ୍ତି । ଉଦ୍ବେଗର କଥା ଯେ, ଲକଡାଉନ ଓ ଅର୍ଥାଭାବ ଯୋଗୁଁ ଏକ ପ୍ରତିଶତ ପିପିପି ମଧ୍ୟ ଯୋଗାଣ ହୋଇପାରିନାହିଁ । ଆମଦାନୀ ଉପରେ ଅଧିକ ନିର୍ଭର ହୋଇ ଅସୁବିଧା ହେବାରୁ ନ୍ୟୁୟର୍କ ସହରରେ ସପ୍ତାହକୁ ଲକ୍ଷେ କୋରୋନା ଟେଷ୍ଟ କିଟ୍ ପ୍ରସ୍ତୁତ କରିବାକୁ ପଦକ୍ଷେପ ନିଆଯାଇଛି । ଭାରତରେ ମଧ୍ୟ ଏଭଳି ଆତ୍ମନିର୍ଭରଶୀଳତା ପାଇଁ କଠିନ ପରିଶ୍ରମ କରିବାକୁ ହେବ । ଯେମିତିକି ପ୍ରମୁଖ ଅଟୋମୋବାଇଲ କମ୍ପାନୀଗୁଡିକ ଭେଂଟିଲେଟର ନିର୍ମାଣ ପାଇଁ ଆଗେଇ ଆସିଲେ, ଏହାକୁ ଦୃଷ୍ଟିରେ ରଖି ମେଡିକାଲ ଉପକରଣ କ୍ଷେତ୍ରରେ ପୁଂଜି ନିବେଶ ରାସ୍ତା ବି ଖୋଲିବା ଦରକାର । ପବ୍ଲିକ ଓ ପ୍ରାଇଭେଟ ସେକ୍ଟରର ମିଳିତ ଉଦ୍ୟମରେ କୋରୋନା ବିରୋଧୀ ଲଢେଇରେ ବିଜୟ ସମ୍ଭବ ।