ନୂଆଦିଲ୍ଲୀ: ଭାରତୀୟ ଉପକଳବର୍ତ୍ତୀ ଅଞ୍ଚଳ ପାଇଁ ମାଡି ଆସୁଛି ବିପଦ। ବିଗତ 50 ବର୍ଷ ମଧ୍ୟରେ 8.5 ସେଣ୍ଟିମିଟର ବୃଦ୍ଧି ପାଇଛି ସାମୁଦ୍ରିକ ଜଳସ୍ତର। ସେହିପରି ବାର୍ଷିକ 1.70ମିମି ହାରରେ ବୃଦ୍ଧି ପାଉଛି ସମୁଦ୍ରର ଜଳ ପତ୍ତନ। ଖାଲି ସେତିକି ନୁହେଁ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ସମୁଦ୍ର 4 ଫୁଟ ଫୁଲିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ମଙ୍ଗଳବାର ରାଜ୍ୟସଭାରେ ଏହି ତଥ୍ୟ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବାବୁଲ୍ ସୁପ୍ରିୟୋ।
ମିଳିତ ଜାତିସଙ୍ଘର ଏକ ରିପୋର୍ଟ ଅନୁସାରେ ଭାରତ ମହାସାଗରର ଜଳସ୍ତର 3.6ମିମି ପ୍ରତି ବର୍ଷରେ ବୃଦ୍ଧି ପାଇବାରେ ଲାଗୁଛି । ସେହିପରି ଅନ୍ୟ 10ଟି ଭାରତୀୟ ସମୁଦ୍ର ଉପକୁଳର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବରରେ ସର୍ବାଧିକ ସମୁଦ୍ରର ଜଳ ପତ୍ତନ ବଢୁଥିବାର ରିପୋର୍ଟ ରହିଛି। ପ୍ରତି ବର୍ଷ 5.16 ମିମି ହାରରେ ଏଠାରେ ସମୁଦ୍ରର ଜଳସ୍ତର ଫୁଲିବାରେ ଲାଗିଛି। ସେହିପରି ଗୁଜରାଟର କାନ୍ଦଲା ଠାରେ 3.18ମିମି, ପଶ୍ଚିମବଙ୍ଗର ହଳଦିଆଠାରେ 2.89ମିମି ହାରରେ, ଆଣ୍ଡାମାନ-ନିକୋବରର ରାଜଧାନୀ ପୋର୍ଟବ୍ଲୋୟାର ଠାରେ 2.2 ମିମି, ଗୁଜୁରାଟର ଓଖାରେ 1.5 ମିମି ଏବଂ ଓଡିଶାର ପାରଦୀପ ଠାରେ 1 ମିମି ହାରରେ ସମୁଦ୍ର ଜଳସ୍ତର ଫୁଲିବାରେ ଲାଗିଛି।
ଏହା ସହିତ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସୁନାମି, ସାମୁଦ୍ରିକ ଝଡ ଏବଂ ବାତ୍ୟା ଆଦି କାରଣ ପାଇଁ ସମୁଦ୍ରତଟ କ୍ଷୟ ପାଇବାରେ ଲାଗିଛି। ଅନ୍ୟପଟେ ସମୁଦ୍ରରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳ ବିପଦ ମୁହଁ ଆଡକୁ ଠେଲି ହୋଇଯାଉଛି। ଅସ୍ବାଭାବିକ ଭାବେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ଯୋଗୁଁ ନିୟମିତ ଭାବେ ବିଶ୍ବ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହା ଫଳରେ ମେରୁମଣ୍ଡଳରେ ଥିବା ବଡ ବଡ ବରଫଖଣ୍ଡ ଗ୍ଲେସିୟର ତରଳିବା ଯୋଗୁଁ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଆଗାମୀ ଦିନରେ ଜୁଆରର ଉଚ୍ଚତା ଅଧିକରୁ ଅଧିକ ବୃଦ୍ଧି ସପାଇବା ବୋଲି ବ୍ରିଟେନର ଏକ ସଂସ୍ଥା ଚେତାବନୀ ଦେଇଛି।