ମୁମ୍ବାଇ: ଶିବସେନାର ମୁଖ୍ୟ ମୁଖପାତ୍ର ଭାବରେ ନିଯୁକ୍ତ ହୋଇଛନ୍ତି ସାଂସଦ ସଞ୍ଜୟ ରାଉତ । ସେ ଶିବସେନାର ମୁଖପତ୍ର 'ସାମନା'ର କାର୍ଯ୍ୟକାରୀ ସମ୍ପାଦକ ମଧ୍ୟ ଅଛନ୍ତି । ସଞ୍ଜୟଙ୍କୁ ଶିବସେନାର ମୁଖ୍ୟମୁଖପାତ୍ର ନିଯୁକ୍ତ ନେଇ ମଙ୍ଗଳବାର ଦଳ ପକ୍ଷରୁ ଏକ ବୟାନରେ କୁହାଯାଇଛି ।
ସେହିପରି ଲୋକସଭା ସାଂସଦ ଅରବିନ୍ଦ ସାଓ୍ବନ୍ତ ଏବଂ ଧର୍ଯ୍ୟଶୀଳ ମାନେ, ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ , ଅନୀଲ ପରବ, ଗୁଲାବରାଓ ପାଟିଲ, ବିଧାୟକ ସୁନୀଲ ପ୍ରଭୁ ଓ ପ୍ରତାପ ସରନାଇକଙ୍କୁ ଦଳର ମୁଖପାତ୍ର ନିଯୁକ୍ତ କରାଯାଇଛି ।
ଗତ କିଛି ଦିନରୁ କଙ୍ଗନା ରଣାୱତ ଏବଂ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ମଧ୍ୟରେ ଜାରି ରହିଛି ବାକ ଯୁଦ୍ଧ । କଙ୍ଗନା ମୁମ୍ବାଇ ଆସିଲେ ତାଙ୍କୁ ଏଠାରେ ପଶିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ ରାଉତ । ଅନ୍ୟପକ୍ଷେ ମୁମ୍ବାଇ କଣ ପିଓକେ ବୋଲି କଙ୍ଗନା ପାଲଟା ଜବାବ ଦେଇଥିଲେ । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ବିରୋଧିଙ୍କ ଟାର୍ଗେଟରେ ରହିଛି ମହାରାଷ୍ଟ୍ର ସରକାର । ତେବେ ଦଳକୁ ଡିଫେଣ୍ଡ କରିବା ପାଇଁ ରାଉତଙ୍କୁ ଶିବସେନାର ମୁଖ୍ୟ ମୁଖପାତ୍ର ନିଯୁକ୍ତ କରାଯାଇଥିବା ଅନୁମାନ କରାଯାଉଛି ।