ଇସଲାମାବାଦ: ଭାରତ ନିଜ ବାୟୁସେନାକୁ ଆହୁରି ମଜବୁତ କରିବା ପାଇଁ ଆମେରିକା ଠାରୁ କ୍ରୟ କରିବ ଏୟାର ଡିଫେନ୍ସ ପ୍ରଣାଳୀ। ଭାରତକୁ ଏହି ଏୟାର ଡିଫେନ୍ସ ପ୍ରଣାଳୀ 1.9 ଆରବ ଡଲାରରେ ବିକ୍ରି କରିବାକୁ ମଞ୍ଜୁରୀ ଦେଇଛି ଆମେରିକା । ସେପଟେ ଭାରତର ଏହି ପଦକ୍ଷେପ ପାକିସ୍ତାନ ମନରେ ଭୟ ସୃଷ୍ଟି କରିଛି। ଭାରତର ଏହି ନିଷ୍ପତ୍ତି ପୂର୍ବରୁ ଦକ୍ଷିଣ ଏସୀୟାକୁ ଆହୁରି ଅସ୍ଥିର କରିବ ବୋଲି ପାକିସ୍ତାନ କହିଛି ।
ଏନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଆଇଶା ଫାରୁକି କହିଛନ୍ତି, 'ଆମେରିକାର ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି ଦ୍ବାରା ଜାରି କରାଯାଇଥିବା ନୋଟିସ ଆମେ ଦେଖିଲୁ । ଏହି ନୋଟିସରେ ଭାରତକୁ ଏୟାର ଡିଫେନ୍ସ ପ୍ରଣାଳୀ ବିକ୍ରି କରାଯାଉଥିବା ଉଲ୍ଲେଖ ରହିଛି । ଏହି ସମୟରେ ଭାରତକୁ ଏଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବିକ୍ରି କରିବା ଚିନ୍ତାର ବିଷୟ । କାରଣ ଭାରତ-ପାକିସ୍ତାନ ମଧ୍ୟରେ ପୂର୍ବରୁ ହିଁ ତିକ୍ତତା ଲାଗି ରହିଛି । ଆମେରିକାର ଏହି ନିଷ୍ପତ୍ତି ଦକ୍ଷିଣ ଏସିଆରେ ସାମରିକ ସନ୍ତୁଳନକୁ ବିଗାଡିପାରେ । '
ସେ ଆହୁରି କହିଛନ୍ତି ଯେ, ପାକିସ୍ତାନ ବିରୋଧରେ ଭାରତର ଆକ୍ରମକ ନୀତି ଏବଂ ଭାରତୀୟ ରାଷ୍ଟ୍ରଦୂତ ଏବଂ ନେତାଙ୍କ ଧମକପୂର୍ଣ୍ଣ ବୟାନ ସମ୍ପର୍କରେ ଅନ୍ତରାଷ୍ଟ୍ରୀୟ ସଙ୍ଗଠନ ଅବଗତ ଅଛି। ଦକ୍ଷିଣ ଏସିଆ ଅସ୍ତ୍ରଶସ୍ତ୍ରର ଦୌଡ ଏବଂ ଆକ୍ରମଣର ବିପଦ ଉଠାଇପାରିବ ନାହିଁ । ଏହି କ୍ଷେତ୍ରକୁ ଆହୁରି ଅସ୍ଥିର ହେବାରୁ ରୋକିବାର ଦାୟିତ୍ବ ଅନ୍ତରାଷ୍ଟ୍ରୀୟ ସଙ୍ଗଠନର ବୋଲି ସେ କହିଛନ୍ତି।