ନୂଆଦିଲ୍ଲୀ: ଭାରତରେ କୋଭିଡ୍ ଟୀକା ସ୍ପୁଟ୍ନିକ୍ ଭି ଉତ୍ପାଦନ କରିବାକୁ ମସ୍କୋ ଆଗ୍ରହୀ ବୋଲି ଋଷର ‘ଡାଇରେକ୍ଟ ଇନ୍ଭେଷ୍ଟମେଣ୍ଟ୍ ଫଣ୍ଡ୍’ର ସିଇଓ କିରିଲ୍ ଡିମିତ୍ରିଏଭ୍ କହିଛନ୍ତି। ରୁଷୀୟ ଟୀକା ବିକାଶ ନିମନ୍ତେ ଏହି ସଂସ୍ଥା ଅର୍ଥ ବିନିଯୋଗ କରିଛି। ଋଷର ସ୍ପୁଟ୍ନିକ୍ ଭି କୋରୋନା ଟୀକା ପ୍ରତି ଭାରତ ଆଗ୍ରହ ଦେଖାଇଛି ଯାହା କୋଭିଡ୍ -19 ପାଇଁ ବିଶ୍ୱର ପ୍ରଥମ ଟିକା ଭାବେ ପଞ୍ଜୀକୃତ ହୋଇପାରିଛି। ଏକ ଭାରତୀୟ ନ୍ୟୁଜ ଚ୍ୟାନେଲ୍ ସହ ସାକ୍ଷାତ୍କାରରେ ଡିମିତ୍ରିଏଭ୍ କହିଛନ୍ତି ଯେ ଏହି ଟିକା ଭାରତରେ ଉତ୍ପାଦନ ନିମନ୍ତେ ଋଷ ଭାରତୀୟ ନିୟନ୍ତ୍ରକ ଏବଂ ଉତ୍ପାଦନକାରୀଙ୍କ ସହ ଯୋଗାଯୋଗ ଚଳାଇଛନ୍ତି।
ସେ କହିଛନ୍ତି, ଭାରତ, ଭାରତୀୟ ବୈଜ୍ଞାନିକ ଏବଂ ଭାରତୀୟ ନିର୍ମାତାଙ୍କ ସହ ଆମର ଉତ୍ତମ ସହଯୋଗ ରହିଛି। ଏହା ସହ ସେମାନେ ଆମର ଜ୍ଞାନକୌଶଳ ମଧ୍ୟ ବୁଝନ୍ତି। ଡିମିତ୍ରିଏଭ୍ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ୟାପକ ପରିମାଣର କୋଭିଡ୍ ଟିକା ଉତ୍ପାଦନ ନିମନ୍ତେ ଭାରତର ଉତ୍ପାଦନକାରୀ ସାମର୍ଥ୍ୟ ଅଛି। ସେହି ଦୃଷ୍ଟିରୁ ରୁଷ୍ ଭାରତକୁ ଉତ୍ପାଦନକାରୀ ଅଂଶୀଦାର କରିବାକୁ ଆଗ୍ରହୀ। ଭାରତ ଟିକା ଉତ୍ପାଦନ ନିମନ୍ତେ ଉନ୍ମୁକ୍ତ ଥିବା କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟରୁ ଆମେ ଶୁଣିଛୁ। ଟିକା କ୍ଷେତ୍ରରେ ଶୀର୍ଷସ୍ତରୀୟ କମ୍ପାନିମାନଙ୍କରେ ଭାରତ ବ୍ୟାପକ ଅର୍ଥ ବିନିଯୋଗ କରିସାରିଛି। ଏହାଛଡ଼ା ଭାରତରେ ଉତ୍ପାଦନ କ୍ଷମତା ମଧ୍ୟ ରହିଛି। ସୁତରାଂ, ଭାରତରେ ସ୍ପୁଟ୍ନିକ୍ ଭି ଉତ୍ପାଦନ ନିମନ୍ତେ ମସ୍କୋ ଆଗ୍ରହୀ।
ଏହା ବ୍ୟତିରେକେ ସେ ମଧ୍ୟ କହିଛନ୍ତି ଯେ, ଭାରତରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ରୁଷ୍ ଉନ୍ମୁକ୍ତ ରହିଛି। ଭାରତ, ସାଉଦି ଆରବ ଏବଂ ୟୁଏଇ ସମେତ ୨୦ଟି ଦେଶ ସହିତ ଆମେ କାର୍ଯ୍ୟ କରୁଛୁ। ଆମେ ଚାହୁଁ ଏହି ଟିକା ବିଶ୍ବବ୍ୟାପୀ ଉତ୍ପାଦନକାରୀ ଅଂଶୀଦାରଙ୍କ ଲାଗି ସୁଲଭ ଓ ଗ୍ରହଣୀୟ ହେଉ। କେତେକ ବୈଜ୍ଞାନିକ କହିଛନ୍ତି ଯେ, ସେମାନେ ଭୟ କରୁଛନ୍ତି ଯେ ଏହି ଦ୍ରୁତ ନିୟାମକ ଅନୁମୋଦନ ଦ୍ବାରା ମସ୍କୋ ଏହି ରୋଗ ବିରୁଦ୍ଧରେ ଏକ ଟିକା ବିକଶିତ କରିବା ପାଇଁ ଚାଲିଥିବା ବୈଶ୍ବିକ ଦୌଡ଼ ମଧ୍ୟରେ ସୁରକ୍ଷା ପୂର୍ବରୁ ଜାତୀୟ ସମ୍ମାନ ସ୍ଥାପନ କରିପାରେ।
ତେବେ କିରିଲ୍ ଡିମିତ୍ରିଏଭ୍ ଏହି ଚିନ୍ତାଧାରାକୁ ଖାରଜ କରି କହିଛନ୍ତି ଯେ, "ଏହି ଟିକା ନିରାପଦ ଏବଂ ନିର୍ଭରଯୋଗ୍ୟ ଅଟେ। ମୋର 90 ବର୍ଷିୟ ପିତାମାତାଙ୍କୁ ମିଶାଇ ମୋର ସମସ୍ତ ପରିବାରଙ୍କୁ ଏହି ଟିକା ଦିଆଯାଇଛି । ଆମର ଲକ୍ଷ୍ୟ ହେଉଛି ଋଷରେ 40 ନିୟୁତ ଲୋକଙ୍କୁ ଟକା ପ୍ରଦାନ କରିବା।" ସେ ଆହୁରି ମଧ୍ୟ କହିଥିଲେ ଯେ, ସ୍ପୁଟ୍ନିକ୍ ଭି ଟିକା ପଛରେ ଥିବା ବିଜ୍ଞାନ ବର୍ଷ ବର୍ଷ ଧରି କାର୍ଯ୍ୟ କରିଆସୁଛି। ଗତ 6 ବର୍ଷ ହେଲା ଟିକା ପ୍ଲାଟଫର୍ମ ବିକଶିତ ହୋଇ ଆଶୁଛି ଏବଂ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ସେ କହିଛନ୍ତି ।