ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏମଧ୍ୟରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରକୁ ନେଇ ପୁଣି ଥରେ ବିବାଦ ଦେଖିବାକୁ ମିଳିଛି । ନିର୍ମୋହୀ ଆଖଡା ମହନ୍ତ ଧର୍ମଦାସ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଜମି ବିବାଦର ଆଇନଗତ ଯୁଦ୍ଧରେ ନିର୍ମୋହୀ ଆଖଡାର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବୋଲି ନୋଟିସରେ କୁହାଯାଇଛି।
ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟରେ ସ୍ଥାନ ନ ପାଇ ନିର୍ମୋହୀ ଆଖଡା ଅସନ୍ତୋଷ ବ୍ୟକ୍ତ କରିଛି। ନୋଟିସରେ ଟ୍ରଷ୍ଟକୁ ଅନ୍ତର୍ଭୁକ୍ତ କରିବାକୁ ମହନ୍ତ ଧର୍ମଦାସ ଦାବି କରିଛନ୍ତି। ନୋଟିସରେ ମହନ୍ତ ଧର୍ମଦାସ କହିଛନ୍ତି ଯେ 2 ମାସ ମଧ୍ୟରେ ତାଙ୍କୁ ନୂତନ ରାମ ମନ୍ଦିରରେ ପୁରୋହିତ ଭାବରେ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯିବା ଉଚିତ।
ନିର୍ମୋହୀ ଆଖଡା ମହନ୍ତ ଧର୍ମଦାଲ କହିଛନ୍ତି ଯେ ଯଦି ତାଙ୍କର ଦାବିକୁ ବିଚାର କରାଯାଏ ନାହିଁ ତେବେ ସେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ପ୍ରକାଶଥାଉକି, ସୁପ୍ରିମକୋର୍ଟରେ ଆଇନଗତ ଯୁଦ୍ଧ ସମୟରେ ନିର୍ମୋହୀର ଭୂମିକା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। ଧର୍ମଦାସ ରାମ ମନ୍ଦିରର ପୁରୋହିତଙ୍କ ସିଂହାସନ ଦାବି କରିଛନ୍ତି।
ଅଯୋଧ୍ୟା ଜମି ବିବାଦ ଉପରେ ଏହି ରାୟ ଦେବାବେଳେ ସୁପ୍ରିମକୋର୍ଟ ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ମୋଦି ସରକାରଙ୍କ ଦ୍ବାରା 15 ଜଣିଆ ଟ୍ରଷ୍ଟ ଗଠନ କରାଯାଇଥିଲା। ଏହି ଟ୍ରଷ୍ଟର ନାମ ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’ ରଖାଯାଇଛି। ଏହି ଟ୍ରଷ୍ଟର ଦାୟିତ୍ବ ହେଉଛି ରାମ ମନ୍ଦିର ନିର୍ମାଣ ଓ ଏହାର ସମସ୍ତ ବ୍ୟବସ୍ଥା କରିବ ।