ନୂଆଦିଲ୍ଲୀ: ଆଗାମୀ ଦିନରେ ବିହାର ରାଜନୀତିକୁ ଦୃଷ୍ଟିରେ ରଖି ନିତିଶ ସରକାରକୁ ଘେରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବିହାରରେ କୋରୋନା ସଂକ୍ରମଣକୁ ନେଇ ରାଜ୍ୟର ମେଣ୍ଟ ସରକାରକୁ ଟାର୍ଗେଟ କରିଛନ୍ତି ରାହୁଲ । ବିହାରରେ କୋରୋନାର ସ୍ଥିତି ଉତ୍କଟ ହୋଇପଡିଥିବାବେଳେ ଏହା ଏବେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରୁ ବାହାରେ ରହିଥିବା ରାହୁଲ ଟ୍ବିଟ କରି କହିଛନ୍ତି । ହସ୍ପିଟାଲ ଶଯ୍ୟାରେ ମୃତଦେହଗୁଡିକ ପରିତ୍ୟକ୍ତ ଅବସ୍ଥାରେ ପଡିରହିବା, ଏହା ବିହାର ସରକାରଙ୍କ ସୁଶାସନର ପର୍ଦ୍ଦାଫାସ କରୁଛି ବୋଲି ସେ କହିଛନ୍ତି ।
ବିହାରରେ କୋରୋନାର ଉତ୍କଟ ସ୍ଥିତିକୁ ନେଇ ଖବର ଶେୟାର କରିବା ସହ ଏହି ଟ୍ବିଟ କରିଛନ୍ତି । ତେବେ ରାଜ୍ୟରେ କୋରୋନାର ସ୍ଥିତି ଯାଞ୍ଚ ପାଇଁ କେନ୍ଦ୍ରୀୟ ଟିମ ବିହାର ଗସ୍ତ କରିଛନ୍ତି । ଆଗାମୀ ଦିନରେ ପରିସ୍ଥିତି ଆହୁରି ବିଗିଡିପାରେ ବୋଲି ଅନୁମାନ କରିଛନ୍ତି କେନ୍ଦ୍ରୀୟ ଟିମର ସଦସ୍ୟ ।
କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁସାରେ ବିହାରରେ ବର୍ତ୍ତମାନସୁଦ୍ଧା 27646 ପଜିଟିଭ ମାମଲା ସାମ୍ନାକୁ ଆସିସାରିଛି । ଏଥିମଧ୍ୟରୁ 217 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 17433 ଜଣ ସୁସ୍ଥ ହୋଇସାରିଛନ୍ତି ।