ଆମେଥି : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଙ୍ଗଳବାର ହାଜତରେ ପ୍ରାଣ ହରାଇଥିବା ମୃତ ରାମ ଅବତାରର ପରିବାରକୁ ଭେଟିଛନ୍ତି । ସେ ପରିବାରକୁ ଶାନ୍ତ୍ବନା ଦେବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସାରା ରାଜ୍ୟରେ ଅରାଜକତା ଦେଖାଦେଇଛି । ପୋଲିସ ନିରୀହଙ୍କୁ ଅତ୍ୟାଚାର କରିବା ସହ ରାଜ୍ୟର ଆଇନ ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ପ୍ରିୟଙ୍କା କହିଛନ୍ତି । ସେପଟେ ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ପ୍ରିୟଙ୍କା ।
ଗତ 4 ଦିନ ପୂର୍ବରୁ ଏକ ଚୋରି ଅଭିଯୋଗରେ ରାମ ଅବତାରକୁ ପୋଲିସ ଗିରଫ କରିଥିଲା । ତେବେ ପୋଲିସ ହାଜତରେ ଥିବା ସମୟରେ ରାମର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତାର ମୃତ୍ୟୁ ପରେ ପୋଲିସ ପରିବାରକୁ ଥାନାକୁ ଡକାଇ ତାଙ୍କ ମୃତଦେହ ନେବା ପାଇଁ କହିଥିଲେ । ପୋଲିସର ନିର୍ଯ୍ୟାତନା ଯୋଗୁଁ ପୁଅର ମୃତ୍ୟୁ ହେବା ନେଇ ମୃତ ରାମର ମାଆ କହିଛନ୍ତି ।