ନୂଆଦିଲ୍ଲୀ: ପୁଣି ଥରେ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିଛନ୍ତି ବିଜେପିର ଭୋପାଳ ସାଂସଦ ସାଧ୍ବୀ ପ୍ରଜ୍ଞା ଠାକୁର । ଗଣତନ୍ତ୍ରର ମନ୍ଦିର ସଂସଦରେ ସେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ‘ଦେଶଭକ୍ତ’ କହିଛନ୍ତି । ଲୋକସଭାରେ ତାଙ୍କର ଏହି ବୟାନ ପରେ ବିପକ୍ଷ କଡା ବିରୋଧ କରାବା ସହ ଗୃହରେ ହଟ୍ଟଗୋଳ କରିଛନ୍ତି ।
ଉଲ୍ଲୋଖ ଯୋଗ୍ୟ ଯେ, ବୁଧବାର ଲୋକସଭାରେ ‘ଏସପିଜି’ ସଂଶୋଧନ ବିଧେୟକ ଉପରେ ଚର୍ଚ୍ଚା ସମୟରେ ସାସଂଦ ଏ. ରାଜା ନକାରାତ୍ମକ ମାନସିକତା ନେଇ ଗଡସେଙ୍କ ଉଦାହରଣ ଉପସ୍ଥାପନ କରିଥିଲେ । ଏହାକୁ ବିରୋଧ କରି ସାଂସଦ ପ୍ରଜ୍ଞା ଠାକୁର ଛିଡା ହୋଇ ଦେଶଭକ୍ତଙ୍କ ଉଦାହରଣ ନଦେବା ପାଇଁ ତାଗିଦ୍ କରିଥିଲେ । ଏହାପରେ କଂଗ୍ରେସ ସାଂସଦ ଏହାକୁ ଜୋରଦାର ବିରୋଧ କରିଥିଲେ ।
ଏ. ରାଜା ଗୃହରେ କହିଥିଲେ ଗଡସେ ନିଜେ ସ୍ବୀକାର କରିଥିଲେ କି, ସେ ଦୀର୍ଘ 32 ବର୍ଷ ଗାନ୍ଧୀଙ୍କ ବିରୋଧରେ ନିଜ ମନରେ ଦ୍ବେଷ ରଖିଥିଲେ, ଏହା ଫଳସ୍ବରୁପ ସେ ଗାନ୍ଧୀଙ୍କୁ ହତ୍ୟା କରିଥିଲେ । ଏହାସହ ଗଡସେ ଗାନ୍ଧୀଙ୍କୁ ହତ୍ୟା କରିବା ପଛରେ କିଛି ସ୍ବତନ୍ତ୍ର ବିଚାରାଧାରାର ବିଶ୍ବାସରୁ ହିଁ ଜନ୍ମିଥିଲା ବୋଲି ଏ ରାଜା କହିଥିଲେ । ଏହି ଭଳି ବୟାନ ଉପସ୍ଥାପନା କରୁଥିବା ସମୟରେ ପ୍ରଜ୍ଞା ଠାକୁର କ୍ରୋଧିତ ହୋଇ ଦେଶଭକ୍ତଙ୍କ ଉଦାହରଣ ନଦେବା ପାଇଁ କହିଥିଲେ । ପରେ ଏହାକୁ ନେଇ ଗୃହରେ ହୋ ହାଲ୍ଲା ହୋଇଥିଲା ।
ଏହା ପ୍ରଥମ ଥର ନୁହେଁ ସାଧାରଣ ନିର୍ବାଚନ ପୂର୍ବରୁ ଅନେକ ଥର ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହି ବିବାଦ ଘେରକୁ ଆସିଥିଲେ ପ୍ରଜ୍ଞା ଠାକୁର ।