ହାଇଦ୍ରାବାଦ: ଗୋଟିଏ ସମ୍ପର୍କରେ ସବୁବେଳେ ମଣିଷ ନିଜର ଗୁରୁତ୍ବ ଖୋଜିଥାଏ । ସେ ସମ୍ପର୍କ ପତ୍ନୀ ସହ ହେଉ ଅବା ପଡୋଶୀ ଅବା ଛୁଆପିଲାଙ୍କ ସହ । ସବୁବେଳେ ଲୋକେ ନିଜକୁ ପ୍ରାଧାନ୍ୟ ଦିଅନ୍ତି । ନିଜର ଗୁରୁତ୍ବ ଓ ମହତ୍ତ୍ବକୁ ସମସ୍ତେ ପ୍ରାଥମିକତା ଦିଅନ୍ତି । ଏହା କେବଳ ଆଧୁନିକ ପିଢି ନୁହେଁ, ଯୁଗ ଯୁଗର କାହାଣୀ ।
ଏନେଇ ବହୁ ବର୍ଷ ପୂର୍ବେ 1950ରେ ଏକ ସର୍ଭେ ହୋଇଥିଲା । ଏଥିରେ ରିସର୍ଚ୍ଚରମାନେ 100 ଲୋକଙ୍କର ଏକ ସର୍ଭେ କରିଥିଲେ । ଏହାର ମୂଳ ଲକ୍ଷ୍ୟ ଥିଲା ଗୋଟିଏ ସମ୍ପର୍କରେ ଲୋକେ କାହାକୁ ଗୁରୁତ୍ବ ଦିଅନ୍ତି । ଆଉ ବେଶୀ ଉତ୍ତର ଆସିଥିଲା ‘ମୁଁ’ । ଏହା ମଣିଷର ମାନସିକତାର ଏକ ପରୀକ୍ଷା ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି କୌଣସି ଆଲୋଚନା ଅବା ବିଷୟବସ୍ତୁର ପ୍ରମୁଖରେ ନିଜେ ଥାଆନ୍ତି ତେବେ ଲୋକେ ଏହା ପ୍ରତି ଅଧିକ ଇଚ୍ଛା ପ୍ରକାଶ କରନ୍ତି । ସମ୍ପର୍କରେ ତୁମେ ଅବା ମୁଁ ଭିତରୁ ଲୋକେ ମୁଁ କୁ ଅଧିକ ପସନ୍ଦ କରନ୍ତି । ପ୍ରେରଣାଦାୟୀ ବକ୍ତା ସିତେନ୍ଦର ସେହରାୱତ କହିଛନ୍ତି ଯେ ସମ୍ପର୍କରେ ନିଜକୁ ଅଧିକ ଗୁରୁତ୍ବ ଦେଲେ ଲୋକେ ବେଶୀ ଇମୋସନାଲ ଓ କମ୍ପୋର୍ଟେବଲ ଅନୁଭବ କରନ୍ତି ।
ତେବେ ଏହି ଭାବନା କେବଳ ପ୍ରେମ ସମ୍ପର୍କରେ ନୁହେଁ ସମସ୍ତ ପ୍ରକାର ରିଲେସନରେ ଦେଖାଯାଏ । ହେଲେ ଏବେ ସମୟ ଆସିଛି ସମ୍ପର୍କର ଏହି ଦିଗକୁ ବଦଳାଇବା । କାରଣ ଏବେ ସମସ୍ତେ ଏକ ବ୍ୟସ୍ତମୟ ଜୀବନ ଜିଉଁଛନ୍ତି । ଆଉ ନିଜ କଥା ଭାବିବା ପାଇଁ ବି କାହା ପାଖରେ ସମୟ ନାହିଁ । ସମସ୍ତେ ଥକ୍କା, ବ୍ୟସ୍ତ, ଦୁଃଖର ସାମନା କରୁଛନ୍ତି । ତେଣୁ ପରସ୍ପରକୁ ବୁଝିବା ବଡ କଥା । ସେଥିପାଇଁ ପ୍ରଥମେ ନିଜ ବିଷୟରେ ସଚେତନ ହେବା ଉଚିତ । ମଣିଷ ନିଜଦ ଦୁଃଖ ଓ ବିଷାଦ ଅନ୍ୟ ଉପରେ ଲଦିଦିଏ । ଆଉ ଆଶା କରେ ସମସ୍ତେ ଏହା ବୁଝିବେ । ଯାହା ଏବେ ସମ୍ଭବ ନୁହେଁ । କାରଣ ଅନ୍ୟର କଥା ବୁଝିବା ବଦଳରେ ନିଜ ବୋଝ ତାହା ଉପରେ ଲଦିବା ନିଶ୍ଚୟ ଏକ ଭୁଲ । ଆଜି ସୋସାଇଟି ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ପ୍ରତି ଲୋକ ସମାଜ କଥା ଭାବି ବଞ୍ଚିବାକୁ ଚାହେଁ । ବରଂ ଏହା ବଦଳରେ ନିଜ ଓ ପରିବାର କଥା ଭାବିଲେ ସମସ୍ତଙ୍କ ଚିନ୍ତାଧାର ନିଶ୍ଚୟ ବଦଳିବ ।
ଏହି ଲକଡାଉନରେ ପରିବାର ସହ ସମୟ ବିତାନ୍ତୁ । ଦେଖିବେ ଆପଣଙ୍କ ସମ୍ପର୍କର ଏକ ନୂଆ ଦିଗ ଆସିବ । ସମସ୍ତଙ୍କୁ ବିଶେଷ କରି ପୁରୁଷଙ୍କୁ ଲାଗିଥାଏ ସେମାନେ ସବୁ ପ୍ରକାର କାମ କରୁଛନ୍ତି । ପୁରା ଦୁନିଆର ଚିନ୍ତା, କଷ୍ଟ ଓ ବୋଝ ସେମାନଙ୍କ ମୁଣ୍ଡରେ ଲଦା ହେବା ଭଳି ଲାଗେ । ହେଲେ ଅଫିସ ବାହାରେ ଆଉ ଏକ ଦୁନିଆ ଘର ଅଛି ବୋଲି ସେମାନେ ଭୁଲିଯାଆନ୍ତି । ଯାହାକୁ ସମ୍ଭାଳନ୍ତି ନିଜ ବାପା, ମାଆ ଓ ପତ୍ନୀ । ଏହି ଲକଡାଉନରେ ସେମାନଙ୍କ ସହ ସମୟ କାଟନ୍ତୁ । ଆଉ ହୃଦୟରୁ ଏକ ଧନ୍ୟବାଦ ଦିଅନ୍ତୁ । ଆପଣଙ୍କ ଦୈନନ୍ଦିନ ଜୀବନକୁ ସେମାନେ ସମ୍ଭାଳିଛନ୍ତି ବୋଲି ଆପଣ ଅଫିସରେ ଶାନ୍ତିରେ କାମ କରୁଛନ୍ତି । ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର । ସେମାନଙ୍କ ହସଖୁସିରେ ସାମିଲ ହୁଅନ୍ତୁ । ଦେଖିବେ ଆପଣଙ୍କ ପ୍ରତିଦିନର ଅଭିଯୋଗ ହାଲକା ହୋଇଯିବ । ଯାହାକୁ ନେଇ ଆପଣ ବ୍ୟସ୍ତ ରହୁଥିବେ ସେସବୁ ଆପଣଙ୍କୁ ବେକାର ଲାଗିବ ।
ଧୈର୍ଯ୍ୟ ଏକ ବଡ ଜିନିଷ । ସବୁଥିରେ ଏହାକୁ ବଜାୟ ରଖନ୍ତୁ । ଘରୁ କାମ କରୁଥିବାବେଳେ ସମୟ ବାହାର କରି ନିଜ ସ୍ତ୍ରୀ, ଛୁଆ ପିଲାଙ୍କ ସହ ବିତାନ୍ତୁ । ଏହା ଆପଣଙ୍କୁ ରିଲାକ୍ସ ଲାଗିବ ଏବଂ ଅନେକ ଖୁସି ଦେବ । ଶାନ୍ତିର ଏହା ଅନ୍ୟ ଏକ କାରଣ । ଅନ୍ୟ କିଛି ଦ୍ବାରା ବିରକ୍ତ ହେବା ଅପେକ୍ଷା ନିଜ ପାଇଁ ସମୟ ବାହାର କରନ୍ତୁ । କାମ କରିବାବେଳେ କିଛି ଜିନିଷ ଚିନ୍ତାରେ ପକାଇପାରେ ଅବା ବିରକ୍ତ ଲାଗିପାରେ । ସେସମୟରେ ବ୍ରେକ ନିଅନ୍ତୁ । ପରିବାର ସହ ସମୟ କାଟନ୍ତୁ । ସେମାନଙ୍କ କଥା ବୁଝନ୍ତୁ । ସେମାନଙ୍କ ସମସ୍ୟା ଶୁଣନ୍ତୁ । ନିଜ ଅସୁବିଧା ସାମାନ୍ୟ ଲାଗିବ । ନିଜର ସମସ୍ତ ପ୍ରକାର ନେଗେଟିଭ ରିଲେସନକୁ ଏହି ସମୟରେ ଛାଡି ଦିଅନ୍ତୁ । ଆପଣଙ୍କ ସମସ୍ୟାର 90 ପ୍ରତିଶତ ସେତେବେଳେ ଶେଷ ହୋଇଯିବ ଯେତେବେଳେ ଆପଣ ଅନ୍ୟ ଆଗରେ ନିଜ କଥା କହିବେ । ନିଜର ସମସ୍ତ ଅସୁବିଧା ନିଜ ଲୋକ ଆଗରେ କହିଦିଅନ୍ତୁ । ଦେଖିବେ ଆରାମ ଲାଗିବା ସହ ସମସ୍ତ ସମାଧାନ ମିଳିଯିବ ।
ସମ୍ପର୍କର ଭାଷା ବଦଳାନ୍ତୁ । ଏହି ଲକଡାଉନରେ ନିଜ ଲୋକଙ୍କୁ ବୁଝନ୍ତୁ । ସେମାନଙ୍କୁ ସମୟ ଦିଅନ୍ତୁ । ପ୍ରତିଶ୍ରୁତି ଦିଅନ୍ତୁ । ଅଧିକ ସମୟ କାଟନ୍ତୁ । ଭଲ ପାଆନ୍ତୁ । ପୂର୍ବରୁ କରିଥିବା ଭୁଲ ସୁଧାରି ଦିଅନ୍ତୁ । କେବଳ ନିଜକୁ ନୁହେଁ ସମ୍ପର୍କର ବିପରୀତ ଲୋକ କଥା ବି ବୁଝନ୍ତୁ । ଗୋଟିଏ ଦିଗ ନେଇ କେବେ ଆଗାନ୍ତୁ ନାହିଁ । ସମ୍ପର୍କ 2ଟି ଡଙ୍ଗା । ଉଭୟ ଏକାସହ ଚାଲିବା ଆବଶ୍ୟକ । ସେ ସମ୍ପର୍କ କାହା ସହ ବି ହେଉ କିନ୍ତୁ ସମ୍ମାନ ଓ ଭଲ ପାଇବା ଉଭୟ ଆଡୁ ରହିବା ଜରୁରୀ । କେବଳ ନିଜକୁ ନୁହେଁ ତାଙ୍କୁ ବି ଗୁରୁତ୍ବ ଦିଅନ୍ତୁ । ଏହା ହିଁ ସମ୍ପର୍କର ପ୍ରକୃତ ଭାଷା ।