ନୂଆଦିଲ୍ଲୀ: ପ୍ରଦୂଷଣରେ ଅଣନିଶ୍ବାସୀ ହେଲେଣି ଦିଲ୍ଲୀବାସୀ । ଘରୁ ବାହାରୁ ବାହାରିବା ପୂର୍ବରୁ ଦଶ ଥର ଭାବିବାକୁ ପଡୁଛି । ଆଜି ସକାଳ ସମୟରେ ପ୍ରଦୂଷଣର ମାତ୍ରା 487 ଥିବା ଜଣାପଡିଛି । ବିନା ମାସ୍କରେ ବାହାରକୁ ଯିବା ଯେପରି ସମ୍ଭବ ହେଉନାହିଁ । ଏନେଇ ଦିଲ୍ଲୀ ସାକେତ ଅଞ୍ଚଳର ଏକ ବାର ଫ୍ରେସ ଅକ୍ସିଜେନ ଗ୍ରାହକଙ୍କୁ ଦେଉଛି ।
ସୂଚନା ଅନୁସାରେ, ସାକେତରେ ଥିବା ଏହି ବାରରେ ଶୁଦ୍ଧ ଅମ୍ଲଜାନ ଭିନ୍ନ ଭିନ୍ନ ଫ୍ଲେଭରରେ ଗ୍ରାହକଙ୍କୁ ଦିଆଯାଉଛି । ବାହାର ପ୍ରଦୂଷଣରୁ କିଛି ଅଂଶରେ ରକ୍ଷା ପାଇଁ ଏହି ବାର ଶୁଦ୍ଧ ଅକ୍ସିଜେନଯୁକ୍ତ ବାୟୁ ଦେବାର ବ୍ୟବସ୍ଥା କରିଥିବା କହନ୍ତି ଜଣେ ଗ୍ରାହକ ।
ବାୟୁ ପ୍ରଦୂଷଣ ଯୋଗୁଁ ଅଧିକ ପ୍ରଭାବିତ ହେଉଥିବା ଶିଶୁ ଏବଂ ବୃଦ୍ଧ ମଧ୍ୟ ଏହି ସୁବିଧା ନେଇ ପାରିବେ । ପ୍ରଥମ ଥର ପାଇଁ ଦିଲ୍ଲୀରେ ଏଭଳି ଷ୍ଟୋର ହୋଇଛି । କାରଣ ପୂର୍ବରୁ ଅକ୍ସିଜେନ ବାର ଦିଲ୍ଲୀର କୌଣସି ଅଞ୍ଚଳରେ ବି ନଥିଲା । ଏହି ଷ୍ଟୋର ପରିଚାଳନା ଦାୟିତ୍ବରେ ଥିବା ଅଜୟ ଜନସନ କୁହନ୍ତି, ପ୍ରତିଦିନ ଷ୍ଟୋରକୁ 10ରୁ 15 ଜଣ ଲୋକେ ଆସିଥାନ୍ତି । ଗ୍ରାହକଙ୍କ ପାଇଁ ବିଭିନ୍ନ ପାତ୍ରରେ ଅକ୍ସିଜେନ ଭରି ରହିଥାଏ । ସେମାନେ ପସନ୍ଦ ଅନୁସାରେ ଭିନ୍ନ ଫ୍ଲେଭରର ଅକ୍ସିଜେନ ନେଇ ପାରିବେ ।