କୋଲକାତା: କୋରୋନା କାଳରେ ସବୁ ଠପ୍। ଜୀବନ ଏକ ପ୍ରକାର ଅଧାରେ ଅଟକି ରହିଛି। ଏହା ଭିତରେ ବିଭିନ୍ନ ପର୍ବ ପର୍ବାଣୀ ଓ ପରମ୍ପରାକୁ ସଂକ୍ରମଣ ଭୟରେ ଜଳାଞ୍ଜଳୀ ଦେବାକୁ ପଡୁଛି। ତେବେ ପ୍ରତିବର୍ଷ ଗାଁ ଠୁ ସହର, ଗଳି କନ୍ଦି ଓ ଛକ ଛକରେ ପୂଜା ପାଉଥିବା ଗଜାନନଙ୍କୁ ଏ ବର୍ଷ ଆବାହନ କରାଯାଉ ନାହିଁ। ଅତ୍ୟନ୍ତ ନିରାଡମ୍ବର ଭାବେ କଟକଣା ଭିତରେ ପାଳନ ହେଉଛି ଗଣେଷ ପୂଜା।
ସେଥି ମଧ୍ୟରେ କୋଭିଡ୍ ମହାମାରୀ ପାଇଁ 96 ବର୍ଷ ପୁରୁଣା କୋଲକାତାରେ ଗଣେଶ ପୂଜା ପାଳନ କରିବାର ପରମ୍ପରା ବନ୍ଦ ହୋଇଯାଇଛି। ଏହି ପୂଜାପାଠ କୋଲକାତାର ମହାରାଷ୍ଟ୍ର ନିବାସରେ ପାଳନ କରାଯାଉଥିଲା ଏବଂ ପ୍ରତିବର୍ଷ ପାଳନ କରିବାର ଏହି ପରମ୍ପରା 1926 ମସିହାରେ ଆରମ୍ଭ ହୋଇଥିଲା।
11 ଦିନିଆ ଉତ୍ସବ ବହୁ ପରିମାଣରେ ଆୟୋଜିତ ହୋଇଥିବା ବେଳେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ରୁହନ୍ତି। ହେଲେ ଚଳିତ ବର୍ଷ ସବୁ ବନ୍ଦ। ମହାମାରୀରେ ବିପଦକୁ ନବଢାଇବା ପାଇଁ ପୂଜା ବନ୍ଦ କରାଯାଇଥିବା ଇଭେଣ୍ଟର ମ୍ୟାନେଜର କହିଛନ୍ତି।
ଚଳିତ ବର୍ଷ ଗଣେଶ ଚତୁର୍ଥୀ କିଛି ସ୍ଥାନରେ ପାଳନ କରାଯାଉଥିବା ବେଳେ ଜନସମାଗମରୁ ଦୂରେଇ ରହିବା ଏବଂ ସାମାଜିକ ଦୂରତା ନୀତି ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗଣେଶ ଚତୁର୍ଥୀ ପର୍ବ ସମଗ୍ର ବିଶ୍ୱରେ ଏବଂ ମୁଖ୍ୟତଃ ମହାରାଷ୍ଟ୍ରରେ ବେଶ ଧୁମଧାମରେ ପାଳନ କରାଯାଏ ।