ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ଚର୍ଚ୍ଚାର ବିନ୍ଦୁ ପାଲଟିଥିବା ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ପରିବାରକୁ ମିଳିଛି ଆଂଶିକ ନ୍ୟାୟ । ତେଣେ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମକୁ 7 ବର୍ଷ ପୁରିଥିଲେ ବି ଆଜି ଯାଏଁ ନ୍ୟାୟ ଅପେକ୍ଷାରେ ପରିବାର । ଏ ଘଟଣାରେ ଶୁକ୍ରବାର ରାଷ୍ଟ୍ରପତିଙ୍କୁ ଦୟା ଯାଚିକା ପଠାଇଛନ୍ତି ସମ୍ପୃକ୍ତ ଅଭିଯୁକ୍ତ । ଯାହାକୁ ଖାରଜ କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ କରି ଚିଠି ଲେଖିଛନ୍ତି ନିର୍ଭୟାଙ୍କ ମା’ ।
ସୂଚନା ଅନୁଯାୟୀ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିନୟ ଶର୍ମା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ଦୟା ଯାଚିକା ପଠାଇଛନ୍ତି । ହେଲେ ଏହି ନାରକୀୟ କାଣ୍ଡ ପାଇଁ ଦୋଷୀର ଯାଚିକାକୁ ଖାରଜ କରିବା ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ପୀଡିତାଙ୍କ ମା’ । ତାଙ୍କ କହିବା ଅନୁଯାୟୀ ଫାଶୀ ଦଣ୍ଡରୁ ବଞ୍ଚିବା ପାଇଁ ଅଭିଯୁକ୍ତ ଏପରି ଯାଚିକା ପଠାଇଛି । ଏହା ଅଭିଯୁକ୍ତର ଏକ ଚାଲ ।
ତେବେ ଚିଠିରେ ପୀଡିତାଙ୍କ ମା’ ଲେଖିଛନ୍ତି କି ନିର୍ଭୟା ପାଇଁ ନ୍ୟାୟର ଅପେକ୍ଷା ବହୁତ ଲମ୍ବା ହୋଇଛି । ଘଟଣାରେ 13 ଡିସେମ୍ବର 2013ରେ ଟ୍ରାଏଲ କୋର୍ଟରେ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ଯେଉଁଥିରେ 13 ମାର୍ଚ୍ଚ 2014 ମସିହାରେ ଦିଲ୍ଲୀ ହାଇକୋର୍ଟ ମୋହର ମାରିଥିଲା । ଏହାପରେ 5 ମେ 2017ରେ ସୁପ୍ରିମକୋର୍ଟ ଦୋଷୀଙ୍କ ଯାଚିକାକୁ ଖାରଜ କରି ଫାଶୀଦଣ୍ଡ ଦେବାକୁ ଆଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ରାୟର ପୁନର୍ବିଚାର ଯାଚିକାକୁ 9ଜୁଲାଇ 2018ରେ ଖାରଜ କରାଯାଇଥିଲା ।
ଅନ୍ୟପଟେ ଦୋଷୀଙ୍କୁ ଏପରି ଯାଚିକା ପଠାଇବାର ଅଧିକାର ନଦେବା ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ