ନୂଆଦିଲ୍ଲୀ: ଫାଶୀ ନାଁ ଶୁଣି ଥରହର ନିର୍ଭୟା ଦୋଷୀ। ଆଉ କିଛି ଦିନ ବଞ୍ଚିବା ଆଶାରେ ହେଉଛନ୍ତି ଛାଟିପିଟି । ଆଇନର ଯେକୌଣସି ଗଳିବାଟ ଦେଇ ଖସିଯିବାକୁ ଚେଷ୍ଟା ବି ଚଳାଉଛନ୍ତି । ଫେବୃଆରୀ ପହିଲାରେ ସମସ୍ତ 4 ଆସାମୀଙ୍କୁ ଫାଶୀ ଖୁଣ୍ଟିରେ ଝୁଲାଯିବାକୁ ବ୍ଲାକ ୱାରେଣ୍ଟ ଜାରି ହୋଇଛି । ଥରେ ପୁନଃବିଚାର ଯାଚିକା ଦେଇ 10 ଦିନ ଜୀବନ ଦାନ ପାଇଥିବା ବେଳେ ପୁଣି ସେହି ଭଳି ଆଉ ଏକ ଉପାୟ ଅବଲମ୍ବନ କରିଛି ଦୋଷୀ ମୁକେଶ ସିଂହ।
ନିକଟରେ ମୁକେଶର ରାଜକ୍ଷମାକୁ ରାଷ୍ଟ୍ରପତି ଖାରଜ କରିଛନ୍ତି । ଫଳରେ ତା'ର ବଞ୍ଚିବାର ସବୁ ରାସ୍ତା ବନ୍ଦ ହୋଇସାରିଛି । ତଥାପି ସେ ଫାଶୀରୁ ବଞ୍ଚିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛି । ଏବେ ସେ ରାଷ୍ଟ୍ରପତିଙ୍କ ଦ୍ବାରା ରାଜକ୍ଷମା ଖାରଜ ହେବା ବିରୁଦ୍ଧରେ ସୁପ୍ରିମକୋର୍ଟର ଦ୍ବାରସ୍ତ ହୋଇଛି ।
ପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ ଗୁପ୍ତା ନିଜକୁ ଘଟଣା ସମୟରେ ନାବାଳକ ଥିବା ଦାବି କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲା। ଦିଲ୍ଲୀ ହାଇକୋର୍ଟଙ୍କ 19 ଡିସେମ୍ବର ରାୟକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିଲା ଏହି ପିଟିସନ। ପବନର ଯାଚିକା ମଧ୍ୟ ଖାରଜ ହୋଇସାରିଛି । ତେବେ ନୂଆ ଡେଥ ଓ୍ବାରେଣ୍ଟ ଜାରି ହେବା ପରେ 4 ଦୋଷୀଙ୍କୁ ଫେବୃଆରୀ ପହିଲାରେ ଫାଶୀ ଦିଆଯିବ ।