ଥିରୁଅନନ୍ତପୁରମ: କୋରୋନାକୁ ନେଇ ଅଧିକ ତଥ୍ୟ ଓ ବାସ୍ତବ ତଥ୍ୟ ଖୋଜି କାଢିବା ପାଇଁ ଲାଗି ପଡିଛନ୍ତି ବିଭିନ୍ନ ବୈଜ୍ଞାନିକ, ଡାକ୍ତର, ଗବେଷଣାକାରୀ ଓ ଅନୁସନ୍ଧାନକାରୀ । ଏମିତିରେ କୋରୋନା ସମ୍ପର୍କରେ ଅନଲାଇନ ସର୍ଚ୍ଚ କଲେ ସଠିକ୍ ତଥ୍ୟ ମିଳିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଯାହାକୁ ହୃଦବୋଧ କରି ଲୋକଙ୍କ ପାଖରେ ଯଥା ସମ୍ଭବ ସଠିକ ଓ ଭରସାଯୋଗ୍ୟ ତଥ୍ୟ ପହଞ୍ଚାଇବାକୁ ଆଗେଇ ଆସିଛି କେରଳର ଏକ ଇନଷ୍ଟିଚ୍ୟୁଟ ।
କେରଳ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫର୍ମେସନ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ଆଇଆଇଆଇଟିଏମ-କେ)ର ଏକ ଟିମ ଏନେଇ ବାହାର କରିଛି ଏକ ନୂଆ ସର୍ଚ୍ଚ ଇଞ୍ଜିନ । ଯେଉଁଥିରେ ଲୋକେ ସିଧାସଳଖ କୋରୋନା ସମ୍ବନ୍ଧୀୟ ବୈଜ୍ଞାନିକ ତଥ୍ୟ ପାଇପାରିବେ । ଏହା ଅନେକ ଗବେଷଣାକୁ ସାହାଯ୍ୟ କରିବା ପରି ତଥ୍ୟ ଯୋଗାଇବା ସହ ଲୋକଙ୍କୁ କୋରୋନା ସମ୍ପର୍କରେ ସଚେତନ କରିବାରେ ମଧ୍ୟ ସାହାଯ୍ୟ କରିବ ।
‘www.vilokana.in’ ନାମକ ଏହି ସର୍ଚ୍ଚ ଇଞ୍ଜିନକୁ ଇନଷ୍ଟିଚ୍ୟୁଟର ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ ଓ ନ୍ୟୁରୋମର୍ଫିକ ଡିପାର୍ଟମେଣ୍ଟର ପ୍ରଫେସର ଏ.ପି. ଜେମ୍ସ ଓ ତାଙ୍କ ଟିମ ପ୍ରସ୍ତୁତ କରିଛନ୍ତି । ତେବେ ସାଇଟର ନାମକରଣ ଏକ ସଂସ୍କୃତ ଶବ୍ଦ ଅନୁଯାୟୀ କରାଯାଇଛି । ଯାହାର ଅର୍ଥ ହେଉଛି ଖୋଜି ବାହାର କରିବା । ତେବେ ଏହା ହେଉଛି ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯେଉଁଥିରେ ଆପଣ କି ୱାର୍ଡ ଦେଇ ମଧ୍ୟ କୋରୋନା ସମ୍ବନ୍ଧରେ ସର୍ଚ୍ଚ କରିପାରିବେ । ଏଥିସହ ଆପଣ ଚାହିଁଲେ କୌଣସି ତଥ୍ୟ ମଧ୍ୟ ଦେଇପାରିବେ । ଯାହାକୁ ଆଧାର କରି କିମ୍ବା ବ୍ୟବହାର କରି ଅନୁସନ୍ଧାନକାରୀମାନେ ଆଗକୁ କିଛି ନୂଆ ତଥ୍ୟ ଯୋଗାଇ ଦେଇପାରିବେ ।