ହାଇଦ୍ରାବାଦ: ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏହା ପାଇଁ ବ୍ୟବରାଦ ହୋଇଥିବା ପାଣ୍ଠି। ବେଳେବେଳେ ଆବଶ୍ୟକୀୟ ପରିମାଣର ପାଣ୍ଠି ଉପଲବ୍ଧ ରହିଥିଲେ ମଧ୍ୟ ଏହାକୁ ରୂପାୟନ କରିବା ଦିଗରେ ଅନେକ ସମସ୍ଯାର ସାମ୍ନା କରିବାକୁ ପଡିଥାଏ। ନିକଟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରିବା ପାଇଁ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ, ରାଜ୍ୟ ସରକାରଙ୍କୁ କୁହାଯାଇଥିଲା। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ସହାୟତାର ଉପଯୋଗ କରିବାକୁ କୁହାଯାଇଥିଲା। ହେଲେ ଅନେକ ରାଜ୍ୟ ଏହାକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଗ୍ରହଣ କରିଥିଲେ। ଏହାର ମୁଖ୍ୟ କାରଣ ହେଉଛି କେନ୍ଦ୍ର ସରକାରଙ୍କ ଯୋଜନାର ଆଭମୁଖ୍ୟ ଏବଂ ଲକ୍ଷ୍ୟ କ’ଣ, ତାହାକୁ ଅନେକ ରାଜ୍ୟ ବୁଝିବାରେ ଅସଫଳ ହୋଇଥାନ୍ତି। ବେଳେ ବେଳେ ରାଜନୈତିକ ଉଦ୍ଦେଶ୍ୟ ରଖି ଅନେକ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ନିଜ ରାଜ୍ୟରେ କାର୍ଯ୍ୟକାରୀ କରିନଥାନ୍ତି ବୋଲି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଅଭିଯୋଗ କରିଥାନ୍ତି।
ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ହୋଇଥିବା ‘ପୋଷଣ ଅଭିଯାନ’। ଏହି ଯୋଜନା କେବଳ ନାମକୁ ମାତ୍ର ରହିଛି। ପଶ୍ଚିମବଙ୍ଗ, ହରିୟାଣା, ପଞ୍ଜାବ, କେରଳ, ଓଡିଶା ଏବଂ ଗୋଆ ଭଳି ରାଜ୍ୟ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଦିଗରେ ବହୁତ ପଛରେ ପଡିଛନ୍ତି। ଏହି ଯୋଜନା ପାଇଁ କେନ୍ଦ୍ର ସରକାର 3769 କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଏହା ମଧ୍ୟରୁ କେବଳ 1058 କୋଟି ଅର୍ଥାତ 33 ପ୍ରତିଶତ ଅର୍ଥ ଏହି ଯୋଜନା ବାବଦରେ ଖର୍ଚ୍ଚ ହୋଇଛି।
ପଶ୍ଚିମବଙ୍ଗ, ଓଡିଶା ଏବଂ ଗୋଆରେ ଏହି ଯୋଜନାକୁ ତୃଣମୂଳସ୍ତରରେ ରୂପାୟନ କରାଯାଇ ପାରିନାହିଁ। ଏହି ପାଣ୍ଠିର ମାତ୍ର 1 ପ୍ରତିଶତ ଟଙ୍କା କର୍ଣ୍ଣାଟକ ଏବଂ ପଞ୍ଜାବରେ ଖର୍ଚ୍ଚ ହୋଇଛି । ସେହିପରି ହରିୟାଣା ଏବଂ କେରଳରେ ଏହି ପାଣ୍ଠି 10 ପ୍ରତିଶତରୁ କମ ଟଙ୍କା ଖର୍ଚ୍ଚ ହୋଇଛି। ପଶ୍ଚିମବଙ୍ଗରେ କ୍ଷମତାସୀନ ଥିବା ତୃଣମୂଳ କଂଗ୍ରେସ ସରକାରଙ୍କ ସହ, କେନ୍ଦ୍ରର ମତଭେଦ ରହିଛି। ଏହି କାରଣକୁ ସେଠାରେ ‘ପୋଷଣ ଅଭିଯାନ’ ଲାଗୁ ହୋଇନାହିଁ। ଏହା ଉପରେ ମତ ରଖି ପଶ୍ଚିମବଙ୍ଗ ସରକାରଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ଶଶୀ ପଞ୍ଜା ସ୍ପଷ୍ଟୀକରଣ ଦେଇଥିଲେ। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପୋଷଣ ଅଭିଯାନ ଯୋଜନା, କେନ୍ଦ୍ର ଠାରୁ ଢେର ଗୁଣରେ ଭଲ ବୋଲି ମନ୍ତ୍ରୀ କହିଥିଲେ। ତେବେ ସମାନ ସ୍ଥିତି ବିଜେପି ଶାସିତ ଗୋଆରେ ମଧ୍ୟ ଦେଖିବାକୁ ମିଳିଛି।
ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅନ୍ୟ ରାଜ୍ୟ ତୁଳନାରେ ପଞ୍ଜାବର ସ୍ଥିତି ଅନ୍ୟ ରାଜ୍ୟଙ୍କ ଅପେକ୍ଷା ଭଲ ରହିଛି। ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ଏହି ଯୋଜନା ଲାଗୁ ଉପରେ ଏକ ସର୍ଭେ କରାଯାଇଥିଲା। ଏହି ସ୍ଥିତି ଆଗାମୀ ଦିନରେ ଆହୁରି ଖରାପ ହେବ ବୋଲି ସର୍ଭେରେ ସ୍ପଷ୍ଟ କରାଯାଇଥିଲା । ଏକ ଅନ୍ତରାଷ୍ଟ୍ରୀୟ ପତ୍ରିକା ଏଦିଗରେ ସର୍ଭେ କରି ଚେତାବନୀ ଦେଇଥିଲା ଯେ, ଭାରତ 2022 ସୁଦ୍ଧା ପୋଷଣ ଅଭିଯାନର ଲକ୍ଷ୍ୟକୁ ପ୍ରାପ୍ତ କରିପାରିବ ନାହିଁ। ଯଦି ସେ ଶିଶୁ ଏବଂ ମହିଳାଙ୍କ ପୋଷଣରେ ବାଧକ ସାଜୁଥିବା ସମସ୍ୟାର ସମାଧାନ କରା ଯାଇପାରିବ ନାହିଁ। ଇଣ୍ଡିଆନ ମେଡିକାଲ ରିସର୍ଚ୍ଚ କାଉନସିଲ ମଧ୍ୟ କିଛି ଏଭଳି ମତ ରଖିଥିଲା।
ପୋଷଣକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ଅନେକ ପ୍ରକାର ଯୋଜନା ଏବଂ କାର୍ଯ୍ୟକ୍ରମ ଥାଇ ସୁଦ୍ଧା ପର୍ଯ୍ୟପ୍ତ ପୋଷଣ ଅଭାବରୁ ପ୍ରତି ବର୍ଷ ଗର୍ଭବତୀ ମହିଳା ଏବଂ 6 ବର୍ଷରୁ କମ ଶିଶୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ 2018 ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୋଷଣ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଅଙ୍ଗନୱାଡି କେନ୍ଦ୍ର ସାହାଯ୍ୟରେ 2022 ସୁଦ୍ଧା ଦେଶର କୁପୋଷଣ ସମସ୍ୟାର ସମାଧାନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଛି ।
ଏ ଯୋଜନାକୁ କାର୍ଯ୍ୟକାରୀ କରି ପ୍ରତିବର୍ଷ ପିଲାଙ୍କ ମଧ୍ୟରେ ଦେଖାଦେଉଥିବା ଗେଡାପଣ ସମସ୍ୟାକୁ 2 ପ୍ରତିଶତ, ଅପପୃଷ୍ଟି 2 ପ୍ରତିଶତ , ରକ୍ତହୀନତା ଏବଂ ସ୍ବଳ୍ପ ଓଜନକୁ 2 ପ୍ରତିଶତ ଲେଖାଏଁ କମ କରିବାକୁ ସବୁ ରାଜ୍ୟକୁ, ନୀତି ଆୟୋଗଙ୍କ ପକ୍ଷରୁ ଟାର୍ଗେଟ ଦିଆଯାଇଥିଲା। ଏହାପରେ ନୀତି ଆୟୋଗଙ୍କ ପକ୍ଷରୁ 27ଟି ରାଜ୍ୟରେ ସର୍ଭେ କରାଯାଇଥିଲା । ଯାହାର ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା । କେବଳ 78 ପ୍ରତିଶତ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳା ଅଙ୍ଗନୱାଡି ସହ ଜଡିତ ଥିବା ବେଳେ ମାତ୍ର 46 ପ୍ରତିଶତ ମହିଳା ପୋଷଣଯୋଗ୍ୟ ଖାଦ୍ୟ ପାଇପାରୁଥିବା ରିପୋର୍ଟରେ ପ୍ରକାଶ ପାଇଥିଲା।
ଗର୍ଭବତୀ ଏବଂ ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମାଆଙ୍କୁ ସାହାଯ୍ୟ କରିବା ପାଇଁ ମାତୃ ବନ୍ଦନା ଯୋଜନାର ଶୁଭାରମ୍ଭ କରିଥିଲେ କେନ୍ଦ୍ର ସରକାର। ଏହି ଯୋଜନା ଅଧିନରେ ସେମାନଙ୍କୁ 25 ଦିନ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଇବାର ନିୟମ ରହିଛି। ହେଲେ ସେମାନଙ୍କୁ ଏହି ଲକ୍ଷ୍ୟର ଅଧା ଦିନ ମଧ୍ୟ ସଠିକ ଭାବରେ ଖାଦ୍ୟ ମିଳୁନାହିଁ। ଏ ଦିଗରେ ଆମକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଯଦି କୁପୋଷଣ ସମସ୍ୟାର ସମାଧାନ କରାନଯାଇ ପାରିବ, ତେବେ ଭବିଷ୍ୟତ ପୀଢି ସହ ଏକ ମଜବୁତ ରାଷ୍ଟ୍ର ଗଠନ କରିବା ଅସମ୍ଭବ ହୋଇପଡିବ।