ଚେନ୍ନାଇ: ତାମିଲନାଡୁର ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଅନୌପଚାରିକ ବୈଠକ ଶେଷ ହୋଇଛି । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ 50 ମିନିଟ ପର୍ଯ୍ୟନ୍ତ ଆଲୋଚନା ହୋଇଛି।
ମୋଦି-ଜିନପିଙ୍ଗଙ୍କ ଆଲୋଚନା ପରେ ଭାରତ ଓ ଚୀନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରତିନିଧିମଣ୍ଡଳୀ ସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି, ବିଦେଶମନ୍ତ୍ରୀ ଏସ ଜୟଶଙ୍କର ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ।
ଭାରତରୁ ମିଳିଥିବା ସମ୍ମାନରେ ଅଭିଭୂତ ହୋଇଥିବା ନେଇ ବୈଠକ ପରେ ଚୀନ ରାଷ୍ଟ୍ରପତି କହିଛନ୍ତି । ମହାବଳୀପୁରମରେ ବିତାଇଥିବା ସମୟ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପକ୍ଷେ ଚୀନର ବୁହାନ ଠାରେ ଆୟୋଜିତ ହୋଇଥିବା ବୈଠକ ପରେ ଦୁଇ ଦେଶର ସମ୍ପର୍କରେ ପରିବର୍ତ୍ତନ ଆସିଥିବା ପିଏମମ ମୋଦି ଦର୍ଶାଇଛନ୍ତି। ଏବେ ଚେନ୍ନାଇ ଭିଜନ ଉଭୟ ଭାରତ ଏବଂ ଚୀନ ଦ୍ବିପାକ୍ଷିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି।
ତାଜ ଫିସରମ୍ୟାନରେ ପିଏମ ମୋଦି ଓ ରାଷ୍ଟ୍ରପତି ଜିନପିଙ୍ଗ ହସ୍ତତନ୍ତ ଏବଂ କଳାକୃତିର ଏକ ପ୍ରଦର୍ଶନୀରେ ସାମିଲ ହୋଇଥିଲେ। ଭାରତର କଳାକୃତି ସମ୍ପର୍କରେ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ଅବଗତ କରାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହା ବ୍ୟତୀତ ଚୀନ ରାଷ୍ଟ୍ରପତିଙ୍କୁ ସିଲ୍କରେ ତିଆରି ଏକ ସାଲ ମଧ୍ୟ ଉପହାର ଦେଇଛନ୍ତି । ଏବେ ମହାବଳୀପୁରମରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛନ୍ତି ଜିନପିଙ୍ଗ। ମୋଦିଙ୍କ ଦ୍ବାରା ଆୟୋଜିତ ମଧ୍ୟାନ୍ନ ଭୋଜନରେ ଯୋଗ ଦେଇଛନ୍ତି ଜିନପିଙ୍ଗ।