ନିଜ କାର୍ଯ୍ୟକ୍ରମ ବଳରେ ଦେଶକୁ ଚକିତ କରାଇ ଦେବାର ଦକ୍ଷତା ପ୍ରଧାନ ମନ୍ତ୍ରୀଙ୍କର ରହିଛି । ତେଣୁ, ଜୁଲାଇ 3 ତାରିଖ ଦିନ ଯେତେବେଳେ, ଶ୍ରୀଯୁକ୍ତ ମୋଦିଙ୍କର ଲେହରେ ଅବତରଣ, ଆହତ ସୈନ୍ୟମାନଙ୍କୁ ସାକ୍ଷାତ, ସେନା ଅଧିକାରୀଙ୍କଠାରୁ ତଥ୍ୟସଂଗ୍ରହ ଏବଂ ଏକ ଉତ୍ସାହପ୍ରଦ ଭାଷଣ ପ୍ରଦାନର ଦୃଶ୍ୟାବଳୀ ସବୁ ଟେଲିଭିଜନ ଚ୍ୟାନେଲରେ ପ୍ରଦର୍ଶିତ ହେଲା, ଏଥିରେ କୌଣସି ଭିନ୍ନତା ନଥିଲା । ପୂର୍ବ ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଥିବା ପୃଷ୍ଠଭୂମିରେ ଆୟୋଜିତ ଏହି ଗସ୍ତ ଅନେକ କାରଣରୁ ମହତ୍ତ୍ବପୂର୍ଣ୍ଣ । ବିବାଦୀୟ ଦୃଶ୍ୟପଟ୍ଟକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ, ଏହି ସଂକଟ ପ୍ରତି ସରକାରଙ୍କ ଗମ୍ଭୀରତାକୁ ପୁଣି ଥରେ ଉଜ୍ଜୀବିତ କରିଛି । ବୋଧହୁଏ, ସାମରିକ ଅଧିକାରୀ ସ୍ତରୀୟ ଆଲୋଚନାରେ ସମସ୍ୟାର ସମାଧାନ ବାହାରିବା ଆଶାରେ ସରକାର ଏହି ଘଟଣାକୁ ଗୌଣ କରି ଦେଖୁଛନ୍ତି ବୋଲି ମତାମତ ପ୍ରକାଶ ପାଇଆସିଥିଲା । ହେଲେ ଗଲୱାନରେ ଜୁନ 15 ତାରିଖରେ ସଂଘଠିତ ରକ୍ତାକ୍ତ ସଂଘର୍ଷ ଏହି ଆଶାକୁ ଧୂଳିସାତ୍ କରିଦେଇଥିଲା । ମୁଁ ଭାବୁଛି, ଅତୀତର ଉଭୟ ପକ୍ଷ ନିମନ୍ତେ ପାରସ୍ପରିକ ସନ୍ତୁଷ୍ଟି ସହିତ ଶାନ୍ତିପୂର୍ଣ୍ଣ ଭାବରେ ସମାହିତ ହୋଇଥିବା ଚୀନ୍ ସହ ବିଭିନ୍ନ ମୁହାଁମୁହିଁ ସ୍ଥିତି ତୁଳନାରେ ବର୍ତ୍ତମାନର ସ୍ଥିତି ସ୍ପଷ୍ଟ ରୂପରେ ଭିନ୍ନ । ଗତ ଦୁଇ ମାସ ଧରି ଚୀନର ବୈଦେଶିକ ମନ୍ତ୍ରାଳୟ ଉତ୍ତେଜନା ପ୍ରଶମନ ସଂପର୍କରେ “ଯେତେ ଶୀଘ୍ର ସମ୍ଭବ ଉତ୍ତେଜନା ହ୍ରାସ ସହିତ ଶାନ୍ତି ଓ ସ୍ଥିରତାକୁ ବଜାୟ ରଖିବା” କଥା କହିଆସୁଛି । ତଥାପି ଗଲୱାନ ଉପତ୍ୟକା ଉପରେ ସେମାନେ ଅଗ୍ରହଣୀୟ ଦାବି ଉପସ୍ଥାପନ କରିବାକୁ ଦ୍ବିଧାବୋଧ କରିନାହାନ୍ତି ଏବଂ ଭାରତ ନିଜର ଅଞ୍ଚଳ ବୋଲି ବିଚାର କରୁଥିବା ଅଞ୍ଚଳରେ ସାମରିକ ସ୍ଥିତି ସୁଦୃଢ଼ କରିବାରେ ବ୍ୟସ୍ତ ଅଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଲଦାଖ ଗସ୍ତରୁ ଗୋଟିଏ କଥାର ସଂକେତ ମିଳେ ଯେ, ସଂପ୍ରତି ଚାଲିଥିବା ଆଲୋଚନାରେ ଆଖିଦୃଶିଆ ପ୍ରଗତି ନହେବା ଭାରତ ପକ୍ଷରେ ଗ୍ରହଣୀୟ ନୁହେଁ । ତାଙ୍କର ଏହି ଯାତ୍ରା ସଂପର୍କରେ ଚୀନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇବ ବୋଲି ପ୍ରଧାନମନ୍ତ୍ରୀ ସଚେତନ ଥିଲେ ଏବଂ ବାସ୍ତବରେ ତାହା ହିଁ ହୋଇଥିଲା । ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଥିଲେ, “ଏ ସମୟରେ କୌଣସି ପକ୍ଷ ପରିସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରିବାର ସମ୍ଭାବନା ଥିବା ଭଳି କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ ।” ଏହି ଗସ୍ତକୁ ବିଚାରକୁ ନେଲେ, ବାସ୍ତବ ନିୟନ୍ତ୍ରଣ ରେଖା (LAC)ରେ ଅଚଳାବସ୍ଥା ଲାଗି ରହିବା ତୁଳନାରେ ଏକ ନିର୍ଦ୍ଦିଷ୍ଟ ସ୍ତରର ତୀବ୍ରତା ଅଧିକ ଗ୍ରହଣୀୟ ବୋଲି ଏଥିରେ ସ୍ପଷ୍ଟ ସଂକେତ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଭାଷଣ ସିଧାସଳଖ ଓ କଡ଼ା ଭାଷା ସମ୍ବଳିତ ଥିଲା । ଚୀନର ବିସ୍ତାରବାଦୀକୁ ଆହ୍ବାନ ଦେଇ ସେ କହିଥିଲେ, “ଇତିହାସ ସାକ୍ଷୀ ରହିଛି ଯେ, ବିସ୍ତାରବାଦୀ ଶକ୍ତି ହୁଏତ ପରାସ୍ତ ହୋଇଛି କିମ୍ବା ପଛଘୁଞ୍ଚା ଦେବା ପାଇଁ ବାଧ୍ୟ ହୋଇଛି ।” “ଯେଉଁମାନେ ଦୁର୍ବଳ ସେମାନେ କେବେହେଲେ ଶାନ୍ତି ପ୍ରତିଷ୍ଠାର ସୂତ୍ରପାତ କରିପାରିବେ ନାହିଁ” ବୋଲି ସେ କହିଥିଲେ । ଭାରତ ଯେ ଦୁର୍ବଳ ସ୍ଥିତିରେ ରହି ବୁଝାମଣା କରିବ ନାହିଁ ବୋଲି ଏଥିରୁ ସଂକେତ ମିଳିଥିଲା ।
ପ୍ରଧାନମନ୍ତ୍ରୀ ନିଜ ଦେଶର ଶ୍ରୋତାମାନଙ୍କ ସଂପର୍କରେ ବି ସଚେତନ ଥିଲେ । ଭାରତ ସୀମା ଭିତରେ ଚୀନ ସେନା ପ୍ରବେଶ କରିନାହିଁ ବୋଲି ସେ ଦେଇଥିବା ମନ୍ତବ୍ୟକୁ କେତେକ ମହଲରେ ସମାଲୋଚନା କରାଯାଇଥିବା ପରିପ୍ରେକ୍ଷୀରେ ସେ ଦେଶର ନାଗରିକମାନଙ୍କୁ ଆଶ୍ବସ୍ତ କରିବାକୁ ଚାହୁଁଥିଲେ ଯେ, ଭାରତୀୟ ଅଞ୍ଚଳକୁ ଦଖଲ କରିବା ଲାଗି ଚୀନର ଉଦ୍ୟମ ବିରୋଧରେ ଭାରତ ଦୃଢ଼ ଜବାବ ଦେବ । ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ, ଶକ୍ତି ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶିଳ୍ପ କ୍ଷେତ୍ରରେ ଚୀନ କମ୍ପାନିଗୁଡ଼ିକର ଅଂଶଗ୍ରହଣ ସଂପର୍କରେ ସମୀକ୍ଷା କରିବା ଲାଗି ନିକଟରେ ସରକାର ନେଇଥିବା ନିଷ୍ପତ୍ତିରେ ମଧ୍ୟ ଏହା ପ୍ରତିଫଳିତ ହୋଇଥିଲା । ଭାରତର ଅଭିପ୍ରାୟ ଜଣାଇ ଦିଆଯାଇଛି ସତ, ହେଲେ ଆଗକୁ ଆହୁରି କଠିନ ରାସ୍ତା ରହିଛି । ଦୁର୍ଭାଗ୍ୟବଶତଃ, କେତେକ ଟେଲିଭିଜନ ଗଣମାଧ୍ୟମ, ଅତ୍ୟନ୍ତ ଚାଞ୍ଚଲ୍ୟକର ଢଙ୍ଗରେ ଶିରୋନାମା ପ୍ରସ୍ତୁତ କରିବା ସହିତ ଚୀନ ଉପରେ ଆମେ ଏକ ବୃହତ୍ ବିଜୟ ହାସଲ କରିଥିବା ଢଙ୍ଗରେ ଖବର ଉପସ୍ଥାପନ କରିବା ପାଇଁ ତୀବ୍ର ପ୍ରତିଯୋଗିତାରେ ଲାଗି ପଡ଼ିଥିବା ଭଳି ମନେ ହେଉଛି । ଏହା ଆମକୁ ଆତ୍ମସନ୍ତୋଷବୋଧର ଏକ ଶିଥିଳ ପର୍ଯ୍ୟାୟ ଭିତରକୁ ନେଇଯାଇପାରେ । କଠୋର ବାସ୍ତବତା ହେଉଛି ଯେ ଯେଉଁ ଅଞ୍ଚଳକୁ ଆମେ ଭାରତୀୟ ଅଞ୍ଚଳ ବୋଲି ବିଚାର କରୁ, ସେଠାରେ ଚୀନ ସୈନ୍ୟମାନେ ଏବେ ବି ରହିଛନ୍ତି ଏବଂ ସଂକଳ୍ପବଦ୍ଧ ଭାବରେ ଆମେ ଏହାର ପ୍ରତ୍ୟୁତ୍ତର ଦେବୁ ବୋଲି ଏବେ ପ୍ରଧାନ ମନ୍ତ୍ରୀ ଜଣାଇ ଦେଇଛନ୍ତି । ଆମେ ଆକ୍ରମଣାତ୍ମକ ସିଡ଼ିରେ ମାତ୍ର ଗୋଟିଏ ପାଦ ଚଢ଼ିଛୁ ଏବଂ ଉପରକୁ ଉଠୁଥିବା ବେଳେ ପ୍ରତି ପାଦରେ ବିପଦ ଆଶଙ୍କା ରହିଛି । ସଂଘର୍ଷ ଏକପାଖିଆ ପ୍ରତିଯୋଗିତା ନୁହେଁ ଏବଂ ବିରୋଧୀ ପକ୍ଷର ବି ନିଜସ୍ବ ଆଭିମୁଖ୍ୟ ରହିଛି । ସୁତରାଂ, ଆମେ ଚୀନର ପ୍ରତିକ୍ରିୟା ଲାଗି ପ୍ରସ୍ତୁତ ରହିବା ନିହାତି ଆବଶ୍ୟକ । ଏହା ବାସ୍ତବ ନିୟନ୍ତ୍ରଣ ରେଖାରେ ପରିବର୍ତ୍ତନଶୀଳ ଦୃଷ୍ଟିକୋଣରୁ ଆରମ୍ଭ କରି ଆମର ନୀତି ଏବଂ ବାଣିଜ୍ୟ କ୍ଷେତ୍ରରେ ପ୍ରତିଶୋଧ ହୋଇପାରେ କିମ୍ବା ଏମିତି କି ଏକ ସୀମାବଦ୍ଧ ସାମରିକ ସଂଘର୍ଷ ବି ହୋଇପାରେ ।
ଆମେ ଏବେ ଏଭଳି ଏକ ଲମ୍ବା ଦୌଡ଼ରେ ଉପନୀତ ହୋଇଛୁ, ଯେଉଁଠି ସମ୍ମିଳିତ ସାମରିକ ପ୍ରସ୍ତୁତି ଏବଂ ଏକ ଶକ୍ତିଶାଳୀ ଓ ଜିଦଖୋର ପଡ଼ୋଶୀର ମୁକାବିଲା ଲାଗି ସରକାରୀ ସ୍ତରରେ ସାମଗ୍ରିକ ଦୃଷ୍ଟିଭଙ୍ଗୀର ଆବଶ୍ୟକତା ରହିଛି । କେବଳ ଅଳଙ୍କାରପୂର୍ଣ୍ଣ ଭାଷା ଓ ବାକ୍ପଟୁତାରୁ ଦୂରେଇ ଯାଇ ଆମେ ଆମ ନୀତି ସଂପର୍କିତ ନିଷ୍ପତ୍ତି ସମୂହର ସମ୍ଭାବ୍ୟ ପ୍ରଭାବ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥାର ସ୍ପଷ୍ଟ ଆକଳନ କରିବା ଆବଶ୍ୟକ । ଭାରତ ସମ୍ଭାବ୍ୟ ଆକସ୍ମିକ ସ୍ଥିତି ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଚୀନ ନେତୃତ୍ବ ମଧ୍ୟ ସେମାନଙ୍କ ଆଚରଣର ପରିଣତି ସଂପର୍କରେ ଗଭୀର ଆତ୍ମଚିନ୍ତନ କରିବା ଆବଶ୍ୟକ । ସଂଗ୍ରାମର ବିଜୟକୁ ଯୁଦ୍ଧର ବିଜୟ ସହ ସମାନ ବୋଲି ବିବେଚନା କରିବା ରଣନୈତିକ ଚିନ୍ତାଧାରାରେ ଅନ୍ୟତମ ବୃହତ୍ ନିର୍ବୋଧତା । ଦି ଆଲ୍ୟୁର୍ ଅଫ ବାଟ୍ଲ ଶୀର୍ଷକ ତାଙ୍କ ବହିଲେ ଲେଖକ କାଥାଲ ଜେ. ନୋଲାନ ଲେଖିଛନ୍ତି:
“ଗୋଟିଏ ଦିନର ସଂଗ୍ରାମରେ ବିଜୟଲାଭ ଯଥେଷ୍ଟ ନୁହେଁ । ତୁମକୁ ସମଗ୍ର ଅଭିଯାନ, ତା’ପରେ ବର୍ଷ, ତା’ପରେ ଦଶନ୍ଧି ଉପରେ ବିଜୟ ହାସଲ କରିବାକୁ ହେବ । ବିଜୟ ନିଶ୍ଚିତ ରୂପେ ରାଜନୈତିକ ସ୍ଥାୟିତ୍ବକୁ ବାଟ କଢ଼ାଇବା କଥା । ଯଦି ଏହା ନକରେ, ତେବେ ପୁଣି ସୁସ୍ଥ ଏବଂ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହେବା ପାଇଁ ଏକ ବିରତି ନେବା ପରେ, ଯୁଦ୍ଧ ଅବ୍ୟାହତ ରହିବ ।”
ହୁଏତ ପାଙ୍ଗଙ୍ଗ ସୋ’ର ଉତ୍ତର କୂଳରେ ଥିବା ପର୍ବତ ଶିଖର ପାଇଁ ସଂଗ୍ରାମରେ ବିଜୟ ଲାଭ କରିଛି ବୋଲି ଚୀନ ସେନା ଅନୁଭବ କରିପାରେ, କିନ୍ତୁ ବାସ୍ତବରେ ସେମାନେ ଭାରତ-ଚୀନ ମଧ୍ୟରେ ଶତ୍ରୁଭାବର ଏକ ଯୁଗକୁ ଆମନ୍ତ୍ରଣ କରିଛନ୍ତି ଏବଂ ଏହାର ଗୁରୁତ୍ବପୂର୍ଣ୍ଣ ଭୌଗୋଳିକ-ରାଜନୈତିକ ପ୍ରଭାବ ଏହି ସମଗ୍ର ଅଞ୍ଚଳ ଉପରେ ପଡ଼ିବ । ଭବିଷ୍ୟତରେ ଏହା କିଭଳି ରୂପ ନେବ ତାହା ଅନିଶ୍ଚିତ, କିନ୍ତୁ ଅପରିପକ୍ବ ଭାବେ ବିଜୟ ଘୋଷଣା କରିବା ଉଭୟ ପକ୍ଷ ପାଇଁ ନିର୍ବୋଧତାର ପରିଚାୟକ ହେବ ।