ଲକ୍ଷ୍ନୌ: ବଂଶବାଦକୁ ନେଇ ସର୍ବଦା ଅନ୍ୟ ଦଳକୁ ଘେରୁଥିବା ମାୟାବତୀ ଆଜି ଖୋଦ ବଂଶବାଦକୁ ଗୁରୁତ୍ବ ଦେଇଛନ୍ତି । ବିଏସପି ସୁପ୍ରିମୋ ମାୟାବତୀ ଦଳର ଗୁରୁତ୍ବପୂର୍ଣ୍ଣ ଦାୟୀତ୍ବ ନିଜ ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ସେ ନିଜ ଭାଇ ଆନନ୍ଦ କୁମାରଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ପଦବୀ ଦେଇଛନ୍ତି । ସେହିପରି ପୁତୁରା ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ ଦାୟିତ୍ବ ପ୍ରଦାନ କରିଛନ୍ତି । ଦେଶର ସମସ୍ତ ରାଜ୍ୟରେ ଦଳକୁ ମଜବୁତ କରିବା ଲକ୍ଷ୍ୟରେ ମାୟା ଆନନ୍ଦ ଏବଂ ଆକାଶଙ୍କୁ ଏହି ଦାୟୀତ୍ବ ହସ୍ତାନ୍ତର କରିଛନ୍ତି ।
ସେହିପରି ଦଳର ବରିଷ୍ଠ ନେତା ଦାନିଶ ଅଲିଙ୍କୁ ଲୋକସଭାରେ ଦଳର ନେତା ଭାବେ ଚୟନ କରାଯାଇଛି । ଏହା ସହିତ ଜୌନପୁର ସାଂସଦ ଶ୍ୟାମ ସିଂହଙ୍କୁ ଲୋକସଭାରେ ଦଳର ଉପନେତା କରାଯାଇଛି । ସେପଟେ ଦଳର ବରିଷ୍ଠ ନେତା ଶତିସ ଚନ୍ଦ୍ର ମିଶ୍ରଙ୍କୁ ରାଜ୍ୟସଭାରେ ଦଳର ନେତା କରାଯାଇଛି । ରବିବାର ଲକ୍ଷ୍ନୌ ସ୍ଥିତ ନିଜ ବାସଭବନରେ ମାୟାବତୀଙ୍କ ଅଧ୍ୟକ୍ଷତାରେ ଦଳୀୟ କର୍ମକର୍ତ୍ତାଙ୍କ ଏକ ବୈଠକ ବସିଥିଲା । ଏହି ବୈଠକରେ ବିଏସପି ଅଧ୍ୟକ୍ଷା ମାୟାବତୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା । ଉତ୍ତରପ୍ରଦେଶ ଉପନିର୍ବାଚନ ପାଇଁ ଏବଂ ଦେଶରେ ଦଳକୁ ଅଧିକ ମଜବୁତ କରିବାକୁ ନେଇ ନୂଆ ଗଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଛି ।
ସୂଚନା ଯୋଗ୍ୟ ଯେ, ଲୋକସଭା ନିର୍ବାଚନରେ ବହୁଜନ ସମାଜ ପାର୍ଟି(ବିଏସପି) ଏବଂ ସମାଜବାଦୀ ପାର୍ଟି(ଏସପି) ମେଣ୍ଟ କରିଥିଲେ । କିନ୍ତୁ ସନ୍ତୋଷଜନକ ଫଳାଫଳ ନମିଳିବାରୁ ନିର୍ବାଚନ ପରେ ଏହି ମେଣ୍ଟ ଭାଙ୍ଗି ଯାଇଥିଲା ।