ନୂଆଦିଲ୍ଲୀ: ରାକ୍ଷୀପୂର୍ଣ୍ଣିମା ଅବସରରେ କେରଳର ସନ୍ଥ ମାତା ଅମୃତାନନ୍ଦମୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ପଠାଇଛନ୍ତି। ଏହି ଭିଡିଓ ବାର୍ତ୍ତାକୁ ମାତା ଅମୃତାନନ୍ଦମୟୀଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଅପଲୋଡ ହୋଇଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟ୍ୟାଗ କରାଯାଇଛି। ଏହି ଭିଡିଓରେ ମାତା ଅମୃତାନନ୍ଦମୟୀ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଯେ, ତାଙ୍କୁ ଜାତୀୟ ସ୍ୱାର୍ଥରେ ଅଧିକ କାର୍ଯ୍ୟ କରିବାକୁ ଆଶୀର୍ବାଦ ଏବଂ ଶକ୍ତି ପ୍ରଦାନ କରନ୍ତୁ।
ମାତା ଅମୃତାନନ୍ଦମୟୀ କହିଛନ୍ତି ଯେ “ପୁରାଣରେ ଶ୍ରୀକୃଷ୍ଣଙ୍କର କଥା ଅଛି, ଯେଉଁଥିରେ ସେ 7 ଦିନର ଝଡ଼ ଏବଂ ତୋଫାନ ସମୟରେ ଗୋବର୍ଦ୍ଧନ ପର୍ବତକୁ ଛୋଟ ଆଙ୍ଗୁଠିରେ ଉଠାଇ ସମସ୍ତ ଗୋପ-ଗୋପୀଙ୍କୁ ସୁରକ୍ଷା ଦେଇଥିଲେ। ଭଗବାନଙ୍କ ଆଶୀର୍ବାଦ ପ୍ରଧାନମନ୍ତ୍ରୀଙ୍କ ଉପରେ ରହିବା ଉଚିତ ଯାହା ଦ୍ବାରା ସେ ଏହିପରି ସମସ୍ତଙ୍କୁ ସୁରକ୍ଷା ଦେଇ ପାରିବେ”। ସେ କହିଛନ୍ତି, “ଆଜି ଆମ ଦେଶ ଉପରେ ପଡୋଶୀ ଦେଶରୁ ଯୁଦ୍ଧର ଧମକ ଆସୁଛି, ମହାମାରୀ ଯୋଗୁଁ ଦେଶ ଭିତରେ ଭୟଙ୍କର ସଙ୍କଟର ପରିସ୍ଥିତି ଦେଖାଦେଇଛି, ଯେଉଁଥିପାଇଁ ଲୋକମାନେ ଆର୍ଥିକ, ଭାବନାତ୍ମକ ଓ ଶାରୀରିକ ସ୍ତରରେ ଦୁର୍ବଳ ଅଛନ୍ତି । ଏପରି ପରିସ୍ଥିତିରେ, ଇଶ୍ବର ପ୍ରଧାନମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଇ ସଠିକ ନିଷ୍ପତ୍ତି ନେବା, ଦେଶକୁ ସୁରକ୍ଷା ଦେବା ଏବଂ ସାହାସର ସହ ଆଗକୁ ବଢିବା ପାଇଁ ଶକ୍ତି ଦିଅନ୍ତୁ ।
ଏଥି ସହ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଟ୍ୱିଟରେ ଉତ୍ତର ଦେଇ କହିଛନ୍ତି ଯେ, 'ଆଦରଣୀୟ ଅମୃତାନନ୍ଦମୟୀ ଜୀ, ମୁଁ ଆପଣଙ୍କୁ ରାକ୍ଷୀପୂର୍ଣ୍ଣିମାର ଶୁଭ କାମନା ଜମାଉଛି। ଆମର ମହାନ ରାଷ୍ଟ୍ର ପାଇଁ କାମ କରିବା ମୋର ସମ୍ମାନ ଏବଂ ସୌଭାଗ୍ୟ । ଆପଣଙ୍କର ଏବଂ ଭାରତର ନାରୀ ଶକ୍ତିର ଆଶୀର୍ବାଦ ମୋତେ ବହୁତ ଶକ୍ତି ଦେଇଥାଏ । ଭାରତର ଅଭିବୃଦ୍ଧି ଏବଂ ପ୍ରଗତି ପାଇଁ ଏହା ବେଶ ଗୁରୁତ୍ୱପୂର୍ଣ୍ଣ''।