କୋଲକାତା: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ସରକାରୀ ଛୁଟି ଦିବସ ରୂପେ ପାଳନ କରାଯାଉ । ଦେଶର ଅଗ୍ରଣୀ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଜଣେ ହେଉଛନ୍ତି ସୁବାଷ ଚନ୍ଦ୍ର ବୋଷ । ଦେଶକୁ ସ୍ବାଧୀନତା ଆଣିବାରେ ତାଙ୍କର ଥିଲା ଅତୁଳନୀୟ ଅବଦାନ । ହେଲେ ଆଜି ପର୍ଯ୍ୟନ୍ତ ଏହି ମହାନ ସଂଗ୍ରାମୀଙ୍କ ମୃତ୍ୟୁ ଉପରୁ ପରଦା ଉଠି ପାରିଲା ନାହିଁ । ତେବେ ନେତାଜୀଙ୍କ ସହିତ କଣ ଘଟିଛି ତାହାକୁ ସାର୍ବଜନୀନ କରିବାକୁ ଆଜି (ବୁଧବାର) ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ମମତା ବାନାର୍ଜୀ ତାଙ୍କ ଚିଠିରେ ଲେଖିଛନ୍ତି, ଆଗାମୀ ଜାନୁଆର 23ରେ ନେତାଜୀଙ୍କ 125 ତମ ଜୟନ୍ତୀ ପାଳନ କରାଯିବ । ନେତାଜୀ ପଶ୍ଚିମବଙ୍ଗର ଜଣେ ମହାନ ବୀର ପୁତ୍ର । ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ । ଦେଶର ଜଣେ ପ୍ରକୃତ ହିରୋ । ଭାରତ ଛାଡ ଆନ୍ଦୋଳନ ସମୟରେ ଜଣେ ଆଇକନ ଥିଲେ । ସେ ସର୍ବଦା ସବୁ ପୀଢି ପାଇଁ ପ୍ରେରଣାଦାୟୀ ରହିବେ । ତାଙ୍କର ଦୃଢ ନେତୃତ୍ବରେ ଭାରତୀର ହଜାର ହଜାର ବୀର ସେନା ଏହି ଦେଶପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ । ନେତାଜୀ ସର୍ବାଦା ଆମ ହୃଦୟର ଏକ ସ୍ବତନ୍ତ୍ରରେ ରହିଛନ୍ତି ଏବଂ ରହିବେ । ତେଣୁ ତାଙ୍କ ଜୟନ୍ତୀ ବା ଜନ୍ମତିଥିକୁ ସରକାରୀ ଛୁଟି ଭାବେ ପାଳନ କରାଯାଉ । ଏଥିସହ ତାଙ୍କ ସହିତ ପ୍ରକୃତ କଣ ଘଟିଛି ତାହାର ସନ୍ଧାନ କରି ସାର୍ବଜନୀନ କରିବାକୁ ସେ ପିଏମଙ୍କ ଚିଠି ଲେଖି ଜଣାଇଛନ୍ତି ମମତା ।
ସୂଚନାଯୋଗ୍ୟ, 1945ରେ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ହୋଇଥିବା ନେଇ ସମସ୍ତେ ବିଶ୍ବାସ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପ୍ଲେନ କ୍ରାସ ଯୋଗୁଁ ମୃତ୍ୟୁ ହୋଇନଥିବା ଜଣାବାକୁ ମିଳିଥିଲା ।