ମୁମ୍ବାଇ: ମୁମ୍ବାଇକୁ ପୁଣି ଫେରିଲା ରାତ୍ରକାଳୀନ କର୍ଫ୍ୟୁ । ରାତି 11ରୁ ସକାଳ 6ଟା ପର୍ଯ୍ୟନ୍ତ କର୍ଫ୍ୟ ଲାଗୁ କରିବାକୁ ଘୋଷଣା କରିଛି ବିଏମସି । ଯାହା ଜାନୁଆରୀ 5 ପର୍ଯ୍ୟନ୍ତ ବଳବତ୍ତର ରହିବ । କୋରୋନା ସଂକ୍ରମଣ ଭୟ କମି ନଥିବାବେଳେ ଏବେ ଖ୍ରୀଷ୍ଟମାସ ଓ ନୂଆବର୍ଷର ସେଲିବ୍ରେସନ କରିବେ ଲୋକେ । ଅନ୍ୟପକ୍ଷରେ ବ୍ରିଟେନରେ ଦେଖା ଦେଇଥିବା କରୋନାର ନୂତନ ଷ୍ଟ୍ରେନ୍ ମଧ୍ୟ ସରକାରଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି। ଫଳରେ ସତର୍କତାମୂଳକ ମହାରାଷ୍ଟ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି(ସୋମବାର) ଅପରାହ୍ନରେ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ । ଏହା ପରେ ରାଜ୍ୟର କେତେକ ସ୍ଥାନରେ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଆସନ୍ତାକାଲିଠୁ ଲାଗୁ ହେବ । ଏହାସହ ଉଦ୍ଧବ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯାହା ଅନୁଯାୟୀ ବର୍ତ୍ତମାନ ୟୁରୋପୀୟ ଦେଶ ଏବଂ ମଧ୍ୟ ପୂର୍ବ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ଆସନ୍ତାକାଲି ଠାରୁ ବାଧ୍ୟତାମୂଳକ ଅନୁଷ୍ଠାନିକ 14 ଦିନ କ୍ବାରେନଣ୍ଟିନରେ ରହିବାକୁ ପଡିବ । ମହାରାଷ୍ଟ୍ରରେ ପହଞ୍ଚିବାର ପଞ୍ଚମ କିମ୍ବା ସପ୍ତମ ଦିନରେ RT-PCR ଟେଷ୍ଟ କରିବାକୁ ପଡିବ । ତେବେ ରାଜ୍ୟରେ କୋରୋନା ସ୍ଥିତିକୁ ସମୀକ୍ଷା କରିବା ସହ ରୋଗର ବିସ୍ତାରକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।
ବ୍ରିଟେନ ବ୍ୟତୀତ କିଛି ଦେଶରେ ନୂଆ ଷ୍ଟ୍ରେନ୍ ଆରମ୍ଭ ହୋଇଯାଇଛି । ଭାରତ ସମେତ ପ୍ରାୟ 12ଟି ଦେଶ ବ୍ରିଟେନକୁ ଯାଉଥିବା ବିମାନ ସେବାକୁ ସ୍ଥଗିତ ରଖିଛନ୍ତି । ଅନ୍ୟପକ୍ଷରେ ମିଳିଥିବା ରିପୋର୍ଟ ଅନୁଯାୟୀ ବ୍ରିଟେନ, ଡେନମାର୍କ, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଏବଂ ଇଟାଲୀରେ ନୂତନ କୋରୋନା ଭୂତାଣୁ ଚିହ୍ନଟ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ