ଲକ୍ଷ୍ନୌ: କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ଜନତା କର୍ଫ୍ୟୁକୁ ମିଳିଛି ଦେଶବାସୀଙ୍କ ବିପୁଳ ସମର୍ଥନ । ମୋଦିଜୀଙ୍କ ଆହ୍ବାନ କ୍ରମେ ଦେଶବାସୀ ମଧ୍ୟ ଏଥିରେ ପୂର୍ଣ୍ଣ ସହଯୋଗ କରିଛନ୍ତି । ପ୍ରତିଦିନ ଭିଡ ଟ୍ରାଫିକରେ ଭର୍ତ୍ତି ଥିବା ଉତ୍ତରପ୍ରଦେଶ ଲକ୍ଷ୍ନୌର ରାସ୍ତା ଜନତା କର୍ଫ୍ୟୁ ପାଇଁ ଜନଶୂନ୍ୟ ରହିଥିଲା । ଏଥିରୁ ଅନୁମାନ କରିହେବ କି, 14 ଘଣ୍ଟା ପାଇଁ ସାରା ଦେଶକୁ ଲକଡାଉନ କରାଯାଇ ଥିବାବେଳେ ପ୍ରଥମ ଥର ପାଇଁ ସବୁଠୁ କମ ଟ୍ରାଫିକ ଚାଲାଣ କଟିଛି ।
ରବିବାର ସହରରେ ମାତ୍ର 60 ଟି ଟ୍ରାଫିକ ଚାଲାନ କଟିଥିବା ଜଣାପଡିଛି । ଯେତେବେଳେ କି ଅନ୍ୟଦିନ ମାନଙ୍କରେ ସାଧାରଣ ଲୋକଙ୍କ ଠାରୁ ହଜାର ହଜାର ସଂଖ୍ୟକ ମାମଲାରେ ନିୟମ ଉଂଲ୍ଲଘନକରୀ ଚାଲାଣ କଟାଯାଏ । ଲକ୍ଷ୍ନୌର ଏଡିସିପି ଟ୍ରାଫିକ ସୁରେଶ ଚନ୍ଦ୍ର ରାୱତ କହିଛନ୍ତି ଯେ, ରବିବାର ଇତିହାସରେ ପ୍ରଥମ ଥର ପାଇଁ ସବୁଠୁ କମ, ମାତ୍ର 60 ଚାଲାଣ କଟାଯାଇଛି ।
ଅନ୍ୟଦିନ ମାନଙ୍କରେ ଏହାର ସଂଖ୍ୟା 4 ହଜାରରୁ 5 ହଜାର ରହିଥାଏ । ରବିବାର ରଙ୍ଗ ସାଇଡ ପାଇଁ 4, ବିନା ହେଲମେଟ ବାବଦକୁ 38 ଓ ତିନିଜଣ ବାଇକରେ ଯାତ୍ରା କରିବା 10 ଏବଂ ବିନା ସିଟ ବେଲ୍ଟରେ କାର ଚଳାଇବା ଅଭିଯୋଗରେ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।
ତେବେ ଜନତା କର୍ଫୁ ପରେ କେବଳ ଜରୁରୀ ସେବାରେ ନିୟୋଜିତ ଥିବା ବ୍ୟକ୍ତି ଓ କୋରୋନା ସହ ଯୁଦ୍ଧ କରୁଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଦେବାକୁ ଯାଇ ତାଳି, ଥାଳି, ଘଣ୍ଟା ବଜାଇ ଦେଶବାସୀ କୃତଜ୍ଞତା ଜଣାଇଛନ୍ତି ।