ନୂଆଦିଲ୍ଲୀ: ନିଜର ସାମ୍ବିଧାନିକ ଦାୟିତ୍ବ ନିର୍ବାହ କରିବା ସମୟରେ ସାଧାରଣ ଜନତାଙ୍କ ଆବଶ୍ୟକତା ପ୍ରତି ଦୃଷ୍ଟି ଦେବାକୁ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ସଂଖ୍ୟାଲଘୁ ଏବଂ ସମାଜରେ ସାଧାରଣ ଅଧିକାରରୁ ବଞ୍ଚିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ।
ଶନିବାର ରାଜ୍ୟପାଳଙ୍କ ୫୦ତମ ବାର୍ଷିକ ସମ୍ମିଳନୀ ରାଷ୍ଟ୍ରପତି ଭବନରେ ଉଦ୍ଘାଟିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସ୍ବାସ୍ଥ୍ୟସେବା, ଶିକ୍ଷା ଏବଂ ପର୍ଯ୍ୟଟନ ଦିଗରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି । ସେ କହିଛନ୍ତି, ଏହି କ୍ଷେତ୍ରରେ ଗରିବ ଏବଂ ନିମ୍ନ ବର୍ଗର ଲୋକଙ୍କ ବିକାଶ ପାଇଁ ସୁଯୋଗ ମିଳିବ। ଏହା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନାର ଲାଭ ସାଧାରଣ ଲୋକ କିପରି ଉଠାଇ ପାରିବେ ସେ ଦିଗରେ ଦୃଷ୍ଟି ଦେବାକୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କହିଛନ୍ତି ପିଏମ ମୋଦି।
ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଉପ ରାଜ୍ୟପାଳ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ପ୍ରଥମ ଥର ପାଇଁ କାର୍ଯ୍ୟଭାର ସମ୍ଭାଳିଥିବା ୧୭ ଜଣ ରାଜ୍ୟପାଳ ଓ ଉପରାଜ୍ୟପାଳ ସାମିଲ ଥିଲେ । ଏଥିସହିତ ସମ୍ମିଳନୀରେ ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖର ଉପରାଜ୍ୟପାଳ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ଜଳ ଶକ୍ତି ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।