ସରକାରୀ ଆକଳନ ଅନୁଯାୟୀ ଭାରତ ଏକ ଦେଶ ଯେଉଁଠି ବଢ଼ି ଚାଲିଥିବା ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ 12 ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ଜୀବନ ପାଇଁ ବିପଜ୍ଜନକ ପାଲଟିଥିବା ବାୟୁ ପ୍ରଦୂଷଣ ଦୂର କରିବା ସକାଳେ ଦେଶରେ ଜାତୀୟ ମୁକ୍ତ ବାୟୁ କାର୍ଯ୍ୟକ୍ରମ (ଏନସିଏପି) ଆରମ୍ଭ ହୋଇଛି। 2017ରେ ପ୍ରଦୂଷଣ ମାତ୍ରା ଯେତିକି ଥିଲା 2024 ସୁଦ୍ଧା ପ୍ରଦୂଷଣ ତାହାର 20ରୁ 30 ପ୍ରତିଶତ ହ୍ରାସ କରିବା ଉଦ୍ଦେଶ୍ୟ ରଖି ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ(ଏନଜିଟି) ପୂର୍ବରୁ କାର୍ଯ୍ୟକ୍ରମର ପରିକଳ୍ପନା କରିଥିଲା। ଏହି ଲକ୍ଷ୍ୟ ପୂରଣ କରିବା କଷ୍ଟକର ଏବଂ ଏକ ନିର୍ଦ୍ଦିଷ୍ଟ ସୀମା ବାହାରେ ପ୍ରଦୂଷଣ ନିୟନ୍ତ୍ରଣ ବାସ୍ତବରେ ସମ୍ଭବପର ନୁହେଁ ବୋଲି କେନ୍ଦ୍ର ପରିବେଶ ଏବଂ ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିବୃତିକୁ ଏନଜିଟି ନିକଟରେ ସମାଲୋଚନା କରିଛି, ଯାହାକି ଯୁକ୍ତିସଂଗତ।
ବାୟୁର ଗୁଣବତ୍ତା ମାପଦଣ୍ଡରେ ଭାରତ 180ଟି ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ଏକ ତାଲିକାରେ ସବୁଠାରେ ତଳେ ରହିଛି। ଭାରତ ମୁଣ୍ଡରୁ ଏହି କଳଙ୍କ ହଟାଇବା ପାଇଁ ହେଉଥିବା ଉଦ୍ୟମ କ୍ରମେ ନଭେମ୍ବର 2020 ସୁଦ୍ଧା ଦେଶର 122ଟି ସହରରେ ବାୟୁ ଗୁଣବତ୍ତା ପରିଚାଳନା କେନ୍ଦ୍ର ସ୍ଥାପନ କରିବାକୁ ଗ୍ରୀନ ଟ୍ରିବୁନାଲ ନିର୍ଦ୍ଦେଶ ଦେଇଥିଲା ଏବଂ ସେହିଦିନଠାରୁ ଅନ୍ୟୁନ ଛଅ ମାସ ମଧ୍ୟରେ ପୁରା କାର୍ଯ୍ୟ ସାରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ ଦୁର୍ଭାଗ୍ୟର ବିଷୟ, କେବଳ ଆଠଟି ରାଜ୍ୟର ମାତ୍ର 46ଟି ସହରରେ ଏ ଦିଗରେ କିଛି ପଦକ୍ଷେପ ନିଆଯାଇଛି ଏବଂ ପଶ୍ଚିମବଙ୍ଗ, ପଂଜାବ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ ଓଡ଼ିଶାରେ ଟ୍ରିବୁନାଲ ଆଦେଶକୁ ଉଲ୍ଲଂଘନ କରାଯାଇଛି। ବିଭିନ୍ନ ସମୟରେ ଆବଶ୍ୟକତାକୁ ଦେଖି ଆଇନର ସଂଶୋଧନ କରିବା ପରିବର୍ତ୍ତେ ପ୍ରଦୂଷଣ ନିୟନ୍ତ୍ରଣ ଯୋଜନା ପ୍ରତି ପରିବେଶ ବିଭାଗ ସବୁବେଳେ ଉଦାସୀନ ରହି ଆସିଥିବା ଲକ୍ଷ୍ୟ କରାଯାଉଛି, ଯାହାକି ଅକ୍ଷମଣୀୟ। ବଞ୍ଚିବାର ଅଧିକାର ହେଉଛି ଆମର ସାମ୍ବିଧାନିକ କର୍ତ୍ତବ୍ୟ।
ଏହାକୁ ପାଳନ କରିବାରେ ଆମେ ବିଫଳ ହୋଇଥିବା ଦର୍ଶାଇ ଟ୍ରିବୁନାଲ ନିରାଶା ପ୍ରକାଶ କରିଥିବା ବେଳେ କେବଳ ସମୟ ଗଡ଼ାଇ ଚାଲିଲେ ଯେ ସ୍ଥିତିରେ ସୁଧାର ଆସିବ ତାହାର ସମ୍ଭାବନା ହିଁ ନାହିଁ ବୋଲି ଉଦବେଗର ସହ କହିଛି। ଜୀବନ ପାଇଁ ବାୟୁ ଜରୁରୀ, ଏ କ୍ଷେତ୍ରରେ ପ୍ରଦୂଷଣ ଆଗକୁ ସହ୍ୟ କରିହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତି କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି; ନିତି ଆୟୋଗ ବାୟୁ ପ୍ରଦୂଷଣ ରୋକିବା ଲାଗି ଥିବା ଜରୁରୀ କାର୍ଯ୍ୟାନୁଷ୍ଠାନ ଯୋଜନା ନିୟମରେ ପରିଣତ କରିଛି। ତଥାପି ଦେଶରେ ଏକ ତୃତୀୟାଂଶରୁ ଅଧିକ ମହାନଗର ଏବଂ ସହର ଗ୍ୟାସ୍ ଚାମ୍ବର୍ସରେ ପରିଣତ ହେବାକୁ ଯାଉଥିବା ବେଳେ ବଛା ବଛା 122ଟି ସହରରେ ନିର୍ଦ୍ଦିଷ୍ଟ ଯୋଜନା କାର୍ଯ୍ୟକାରୀ କରାଯାଉନାହିଁ? ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସହରଗୁଡ଼ିକ ପାଇଁ ବିଭିନ୍ନ ପ୍ରସ୍ତାବ ଅନୁମୋଦନ କରୁଥିବା କେନ୍ଦ୍ରୀୟ ପ୍ରଦୂଷଣ ନିଯନ୍ତ୍ରଣ ବୋର୍ଡ(ସିପିସିବି) ଏସବୁର କାର୍ଯ୍ୟକାରିତା ଦାୟିତ୍ବ ରାଜ୍ୟ ପ୍ରଦୂଷଣ ନିଯନ୍ତ୍ରଣ ବୋର୍ଡଗୁଡ଼ିକ ଉପରେ ଛାଡି ଦେଉଛି।
ବିଭିନ୍ନ ସମୟରେ ସହରଗୁଡ଼ିକ ପାଇଁ କ’ଣ କରିବାକୁ ହେବ ସେନେଇ ସ୍ପଷ୍ଟ ନୀତିର ଅଭାବ, ସ୍ବତନ୍ତ୍ର ଆଇନଗତ ନିୟନ୍ତ୍ରଣ କରାନଯିବା ଏବଂ ବିଭିନ୍ନ ବିଭାଗର ଦାୟିତ୍ବହୀନତା କାରଣରୁ ବର୍ତ୍ତମାନର ବାୟୁ ପ୍ରଦୂଷଣ ଜନିତ ଦୁଃଖ ବହୁଗୁଣରେ ବଢିଚାଲିଛି। ଏଭଳି କ୍ଷେତ୍ରରେ ନିର୍ଦ୍ଧାରିତ ସମୟ ସୀମାରେ କାମ ସାରିବାକୁ ଏନଜିଟି ଦେଉଥିବା ନିର୍ଦ୍ଦେଶର ଫାଇଦା କଣ ବୋଲି ପ୍ରଶ୍ନ ଉଠୁଛି। ବାୟୁ ପ୍ରଦୂଷଣ ରୋକିବା ଲାଗି କ୍ଲିନ୍ ଏକଦା ଏୟାର ଆକ୍ଟ (ସିଏଏ) ନାମରେ ଆଇନ ପ୍ରଣୟନ କରିଥିବା ଯୁକ୍ତରାଷ୍ଟ୍ର ଆମେରିକା ସବୁବେଳେ ଏ ଦିଗରେ ଥିବା ଆଇନ କାନୁନର ଆବଶ୍ୟକ ସଂଶୋଧନ କରିବା ସହ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଅତ୍ୟନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସୁଛି। 1970 ପରଠାରୁ କାର୍ବନ ମୋନୋଅକ୍ସାଇଡ ଏବଂ ସଲଫର ଡାଇଅକ୍ସାଇଡ ସମେତ ହେଉଥିବା ଛଅ ପ୍ରକାର ନିର୍ଗତ ଗ୍ୟାସର ମାତ୍ରା ସେଠାରେ 77 ପ୍ରତିଶତ କମାଯାଇ ପାରିଛି। ଆମେରିକା ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଅଷ୍ଟ୍ରିଆ, କାନାଡା, ଡେନମାର୍କ, ଫ୍ରାନସ ଏବଂ ସିଙ୍ଗାପୁର ଭଳି ବାୟୁ ପ୍ରଦୂଷଣ କରୁଥିବା଼ ଯାନବାହନ ଉପରେ କଡ଼ା ଜୋରିମାନା ଲାଗୁ, ଜଙ୍ଗଲ ଅଞ୍ଚଳର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା ପ୍ରଚଳନ, ଚୀନ୍ ମଡେଲ୍ ଅନୁଯାୟୀ ପ୍ରଦୂଷଣ ବଢାଉଥିବା ଶିଳ୍ପଗୁଡ଼ିକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ।
ହେଲେ ଭାରତରେ ଏସବୁ ନେଇ ଯାହାସବୁ ଆଇନ କାନୁନ ପ୍ରଣୟନ ହେଉଛି ତାହା କେବଳ କାଗଜପତ୍ରରେ ସୀମିତ ହୋଇ ରହିଯାଉଛି ଏବଂ ବଞ୍ଚିବାର ଅଧିକାର ପାଇଁ ସମ୍ବିଧାନରେ ଥିବା ବ୍ୟବସ୍ଥା ହାରିଯାଉଛି। କେବଳ ପ୍ରଦୂଷଣର କାରଣ ପାଲଟୁଥିବା କଳକାରଖାନା ସହର ଉପକଣ୍ଠକୁ ଘୁଞ୍ଚାଇ ଦେଲେ ହେବନାହିଁ, ଏଥିସହିତ ଆବାସିକ ଅଞ୍ଚଳକୁ ଅଫିସ ପାଖାପାଖି ଅଞ୍ଚଳକୁ ଆଣିବା, ପରିବହନ ବ୍ୟବସ୍ଥାର ସମ୍ପ୍ରସାରଣ କରିବା ଆଦି ପଦକ୍ଷେନ ନିଆଗଲେ ଦେଶରେ ବାୟୁର ଗୁଣବତ୍ତାରେ ଉନ୍ନତି ଆସିବ!