ନୂଆଦିଲ୍ଲୀ: ନୂଆ ସେନା ଉପମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭଣେ । ସେନା ଉପମୁଖ୍ୟ ପଦବୀରେ ନିଯୁକ୍ତ ପୂର୍ବରୁ ନର୍ଭଣେ ଇଷ୍ଟର୍ଣ୍ଣ ଫ୍ରଣ୍ଟର ଇନଫେଣ୍ଟ୍ରୀ ବ୍ରିଗେଡର କମାଣ୍ଡର ପଦରେ ଥିଲେ । ପୂର୍ବରୁ ସେନା ଉପମୁ୍ଖ୍ୟ ପଦବୀରେ ଥିବା ଲେଫ୍ଟନାଣ୍ଟ ଜେନେରାଲ ଡି. ଅମ୍ବୁ ଶନିବାର ନିଜ ପଦବୀରୁ ଅବସର ଗ୍ରହଣ କରିଥିବାବେଳେ ତାଙ୍କ ସ୍ଥାନରେ ନର୍ଭଣେ ସେନା ଉପମୁ୍ଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।
ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ପରବର୍ତ୍ତୀ ସେନାମୁଖ୍ୟ ହେବା ନେଇ ମଧ୍ୟ ସୂଚନା ମିଳୁଛି । 31 ଡିସେମ୍ବରରେ ଜେନେରାଲ ବିପିନ ରାଓ୍ବତ ସେନାମୁଖ୍ୟ ପଦବୀରୁ ଅବସର ନେଉଥିବାରୁ ସେତେବେଳର ବରିଷ୍ଠ କମାଣ୍ଡର ଭାବେ ମନୋଜ ମୁକୁନ୍ଦ ସେନା ମୁଖ୍ୟ ହୋଇପାରନ୍ତି ।
ସେନାରେ ନିଜର 37 ବର୍ଷ ସେବା ସମୟରେ ମନୋଜ ଆତଙ୍କବାଦ ନିରୋଧକ ଅଭିଯାନ ସହ ଅନେକ ଗୁରୁତ୍ବପୂର୍ଣ୍ଣ ଅପରେସନରେ ସାମିଲ ରହିଛନ୍ତି । ମନୋଜ ଜାମ୍ମୁ ଓ କାଶ୍ମୀରର ରାଷ୍ଟ୍ରୀୟ ରାଇଫଲ ବାଟାଲିୟନ ଓ ଇଷ୍ଟର୍ଣ୍ଣ ଫ୍ରଣ୍ଟର ଇନଫେଣ୍ଟ୍ରୀ ବ୍ରିଗେଡର କମାଣ୍ଡର ମଧ୍ୟ ରହି ସାରିଛନ୍ତି ।