ନୂଆଦିଲ୍ଲୀ: ଅବମାନନା ମାମଲାରେ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଛନ୍ତି ଆଇନଜୀବୀ ପ୍ରଶାନ୍ତ ଭୂଷଣ । ଏଥିରେ ଦର୍ଶାଯାଇଛି ଯେ ଯେପର୍ଯ୍ୟନ୍ତ ଏ ବାବଦରେ ଏକ ରିଭ୍ୟୁ ପିଟିସନ ଦାଖଲ ନ ହେଉଛି ସେପର୍ଯ୍ୟନ୍ତ ଏହି ଦଣ୍ଡର ଶୁଣାଣି ସ୍ଥଗିତ ରଖାଯିବା ଉଚିତ ।
ଅଗଷ୍ଟ 14ରେ ସର୍ବୋଚ୍ଚ ନ୍ୟାୟାଳୟ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ବି.ଆର. ଗଓ୍ବଇ ଏବଂ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ଅଧ୍ୟକ୍ଷତାରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି କରୁଥିବା ଖଣ୍ଡପୀଠ ଅଗଷ୍ଟ ୨ରେ ଏହି ମାମଲାର ସମ୍ପୂର୍ଣ୍ଣ ରାୟ ସଂରକ୍ଷିତ ରଖିଥିଲେ।
ଏହାପୂର୍ବରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦୁଇଟି ଟ୍ବିଟ କରି କୋର୍ଟର ଅବମାନନା କରିଥିବା ଅଭିଯୋଗ ହୋଇଛି । ଏହି ଟ୍ବିଟଗୁଡିକ ବିଚାରପତିଙ୍କ ବିରୋଧରେ ତାଙ୍କର ବ୍ୟକ୍ତିଗତ ଆଚରଣ ବିଷୟରେ କରାଯାଇଥିବା ବେଳେ ଏହା ନ୍ୟାୟ ବ୍ୟବସ୍ଥାରେ ବାଧା ସୃଷ୍ଟି କରୁନାହିଁ ବୋଲି ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ ।