ଲକ୍ଷ୍ନୌ: ଦେଶରେ କେତେକ ରାଜ୍ୟରେ ବାୟୁ ପ୍ରଦୂଷଣ ମାତ୍ରା ବଢି ବଢି ଚାଲିଛି । ତେବେ ଏହାରି ମଧ୍ୟରେ ରାଜ୍ୟର କାନପୁର ଅଞ୍ଚଳରୁ ଏକାଦଶ ଶ୍ରେଣୀର ଛାତ୍ର ପ୍ରାଞ୍ଜଲ ବାୟୁମଣ୍ଡଳର ପ୍ରଦୂଷଣକୁ ରୋକିବା ପାଇଁ ଏକ ସ୍ବତନ୍ତ୍ର ଧରଣର 'ବାୟୁ ବିଶୋଧନକାରୀ ରୋବଟ' ଉଦ୍ଭାବନ କରିଛନ୍ତି ।
ବାୟୁମଣ୍ଡଳର ବର୍ଦ୍ଧିତ ପ୍ରଦୂଷଣକୁ ନେଇ ସରକାରଙ୍କ ସମେତ କିଛି ସାଧାରଣ ଲୋକ ସଚେତନ ହୋଇପଡିଛନ୍ତି । ଏହାରି ମଧ୍ୟରେ କାନପୁରର ଛାତ୍ର ପ୍ରାଞ୍ଜଲ ସାଥୀ ଆରେନ୍ଦ୍ର ସହ ମିଶି ଏକ ବାୟୁ ବିଶୋଧନକାରୀ ରୋବଟକୁ ଉଦ୍ଭାବନ କରିଛନ୍ତି । ଏହି ରୋବଟି ବାୟୁମଣ୍ଡଳରୁ ଦୂଷିତ ବାୟୁକୁ ଗ୍ରହଣ କରି ତାକୁ ବିଶୁଦ୍ଧ କରି ଛାଡିବାର କ୍ଷମତା ରଖିଛି । ଉକ୍ତ ରୋବଟ ମଧ୍ୟରେ ବାୟୁ ବିଶୋଧନକାରୀ ଏକ ମେସିନ ଖଞ୍ଜା ଯାଇଛି ।
ଦେଶରେ ବାୟୁ ପ୍ରଦୂଷଣ ମାତ୍ରା ବଢୁଥିବା ଦେଖି ପ୍ରାଞ୍ଜଲ ଏକ ଏଭଳି ରୋବଟ ନିର୍ମାଣ କରିବାକୁ ସ୍ଥିର କରିଥିଲେ, ଯାହାକି ବାୟୁମଣ୍ଡଳରୁ ଦୂଷିତ ବାୟୁକୁ ଗ୍ରହଣ କରିବା ସହିତ ଏହାକୁ ବିଶୁଦ୍ଧ କରିବାର ସକ୍ଷମ ହୋଇଥିବ। ପରେ ସାଥୀ ଆରେନ୍ଦ୍ରଙ୍କ ସହିତ ମିଶି ପ୍ରାଞ୍ଜଲ ଏହି ରୋବଟ ପ୍ରସ୍ତୁତ କରିବା ପାଇଁ ସ୍ଥିର କରିଥିଲେ ବୋଲି କହିଛନ୍ତି ।
ରୋବଟର ପରୀକ୍ଷଣ ସମୟରେ ଏହା ଦୂଷିତ ବାୟୁକୁ ଶୋଷି ଏହାକୁ ବିଶୁଦ୍ଧ କରି ବାୟୁମଣ୍ଡଳକୁ ଛାଡିଥିଲା ଏବଂ ଦୂଷିତ ଧୂଳିକଣାଗୁଡିକ ରୋବଟର ଲଗାଯାଇଥିବା ବିଶୋଧନାକାର ମେସିନ ପଛ ପାର୍ଶ୍ବରେ ଲାଗିଯାଇଥିବା ଦେଖିବାକୁ ମିଳିଥିଲା ବୋଲି ଛାତ୍ର ପ୍ରାଞ୍ଜଲ ସୂଚନା ଦେଇଛନ୍ତି ।