ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଜମ୍ମୁ କାଶ୍ମୀର ବିଧିବଦ୍ଧ ଭାବେ ବିଭାଜନ ହେବ । ଅର୍ଥାତ ଜମ୍ମୁ କାଶ୍ମୀର କାଲି ଠାରୁ ଦୁଇଟି କେନ୍ଦ୍ର ଶାସିତ ରାଜ୍ୟ ଭାବେ ଜନ୍ମନେବ । ଅଗଷ୍ଟ 5ରେ ଜମ୍ମୁ କାଶ୍ମୀରକୁ 2ଟି କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ କରିବା ପାଇଁ ସଂସଦରେ ବିଲ ପାରିତ ହୋଇଥିଲା । ତେବେ ବିଲରେ ଥିବା ଆଇନ ଅନୁସାରେ ଅକ୍ଟୋବର 31 ଅର୍ଥାତ ଆସନ୍ତାକାଲି ଠାରୁ ଏହା କାର୍ଯ୍ୟକାରୀ ହେବ । ସେଥିପାଇଁ ଉଭୟ କେନ୍ଦ୍ର ଶାସିତ ଅଞ୍ଚଳରେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସମେତ ଉପ-ରାଜ୍ୟପାଳ ମଧ୍ୟ ନିଯୁକ୍ତ ହୋଇସାରିଛନ୍ତି । କିନ୍ତୁ ଜମ୍ମୁ କାଶ୍ମୀରରେ ଏହି ଆଇନ ଲାଗୁ ହେବା ପୂର୍ବରୁ ଦିଲ୍ଲୀରେ ହଲଚଲ ବଢିଯାଇଛି ।
ସମଗ୍ର ଦିଲ୍ଲୀକୁ 48 ଘଣ୍ଟିଆ କଡା ସୁରକ୍ଷା ବଳରେ ରଖାଯାଇଛି । ଗୁଇନ୍ଦା ସୂଚନାକୁ ଆଧାର କରି ଏହି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜମ୍ମୁ ଏବଂ ଲଦାଖରେ ନୂତନ ଶାସନ ଆରମ୍ଭ ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ବଡଧରଣର ଅଘଟଣ ଘଟାଇ ପାରନ୍ତି ବୋଲି ଗୁଇନ୍ଦା ସୂଚନା ଦେଇଛି । ଫଳରେ ସରକାର ଦିଲ୍ଲୀର ସୁରକ୍ଷାକୁ ସୁ-ନିଶ୍ଚିତ କରିଛନ୍ତି ।
ଦିଲ୍ଲୀର ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ, ଶିକ୍ଷା ଅନୁଷ୍ଠାନ ଜନଗହଳି ସ୍ଥାନ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ସେହିପରି ସମଗ୍ର ଜମ୍ମୁ କାଶ୍ମୀରରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଜମ୍ମୁର ଉପ-ରାଜ୍ୟପାଳ ଭାବେ ଗିରୀଶ ଚନ୍ଦ୍ର ସିଂହ ଓ ଲଦାଖର ଉପ-ରାଜ୍ୟପାଳ ଭାବେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ନିଯୁକ୍ତି ଦିଆଯାଇଛି । ଉଭୟ ଉପ-ରାଜ୍ୟପାଳ ଆସନ୍ତାକାଲି ନିଜ ନିଜ ଦାୟିତ୍ବ ଗ୍ରହଣ କରିବେ ।