ଲଣ୍ଡନ: ଯଦି ଆପଣ ଏବେ ବୟସର ଅପରାହ୍ନରେ ପହଞ୍ଚିଛନ୍ତି ଏବଂ ବ୍ୟାୟାମ ଅବା ଜିମ୍ ଯିବାରେ ଆପଣଙ୍କ ଶରୀର ସାଥ ଦେବନି ବୋଲି ଭାବୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । କାରଣ ବ୍ୟାୟାମ କରିବାର କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ । ଆପଣ କେବେବି ଏହା କରିପାରିବେ । ଆପଣଙ୍କ ବୟସ 50 ହେଉ ଅବା 60 ଆପଣ ଯେବେ ଚାହିଁବେ ସେବେ ଖୁବ ସୁନ୍ଦର ସ୍ବାସ୍ଥ୍ୟର ଅଧିକାରୀ ହୋଇପାରିବେ। ଯୁବକଙ୍କ ଭଳି ଆପଣ ମଧ୍ୟ ସୁନ୍ଦର ଓ ସୁଠାମ ଶରୀର ବନାଇପାରିବେ ।
ତେବେ ଏହା ଆମେ କହୁନାହୁଁ, ବର୍ମିଂଙ୍ଗହାମ୍ ୟୁନିଭର୍ସିଟିର ନୂଆ ରିସର୍ଚ୍ଚ କହୁଛି । ଏହା ଅନୁସାରେ ବ୍ୟାୟାମ କରିବାର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ । ଆପଣଙ୍କ ବୟସ 60 ପାର ହେଲେ ମଧ୍ୟ ଆପଣ ଯୁବକଙ୍କ ଭଳି ଜିମ ଯାଇ ସ୍ବାସ୍ଥ୍ୟ ବନାଇପାରିବେ। କାରଣ ଆପଣଙ୍କ ପାଖରେ ମଧ୍ୟ ଯୁବକଙ୍କ ଭଳି ସମାନ କ୍ଷମତା ରହିଛି । ବୃଦ୍ଧଙ୍କ ମଧ୍ୟରେ ଏପରି କ୍ଷମତା ଥିବା ଆବିଷ୍କାର କରିଛି ବର୍ମିଂହାମ ୟୁନିଭର୍ସିଟିର ନୂଆ ରିସର୍ଚ୍ଚ।
ତେବେ ଏନେଇ ଗବେଷକ ଏକ ପରୀକ୍ଷା କରିଥିଲେ । ଏହି ପରୀକ୍ଷାରେ ଗବେଷକ ଦୁଇଟି ବର୍ଗଙ୍କୁ ସାମିଲ କରିଥିଲେ । ଗୋଟିଏ ବର୍ଗରେ 60 ବର୍ଷରୁ ଅଧିକ ବୟସରେ ଲୋକେ ସାମିଲ ଥିଲେ । ଯେଉଁମାନେ 20 ବର୍ଷ ପର୍ଯ୍ୟନ୍ତ ଅତି କମ୍ରେ ସପ୍ତାହରେ ଦୁଇ ଥର ବ୍ୟାୟାମ କରିଥିଲେ । ଅନ୍ୟପଟେ ଯେଉଁମାନେ ନିୟମିତ ବ୍ୟାୟାମ କରୁନଥିଲେ । ଏହି ପରୀକ୍ଷା ଲାଗି ଗବେଷକ ଏକ ଆଇସୋଟୋପ ଟ୍ରେସରର ବ୍ୟବହାର କରିଥିଲେ । ପ୍ରତିଦିନ ବ୍ୟାୟାମ ପରେ ଏବଂ ପୂର୍ବରୁ ଏକ ପାନୀୟ ସମସ୍ତେ ପାନ କରୁଥିଲେ । ଫଳରେ ସେମାନଙ୍କ ମାଂସପେଶୀରେ କେତେ ପ୍ରୋଟିନ ବୃଦ୍ଧି ପାଉଛି ତାହା ଗବେଷକ ଜାଣିପାରୁଥିଲେ।
ତେବେ ଏହି ପରୀକ୍ଷାରୁ ଜଣାପଡିଥିଲା ଯେ ଉଭୟ ବର୍ଗଙ୍କୁ ବ୍ୟାୟାମର ଉପକାର ମିଳିପାରିଛି । ଅର୍ଥାତ ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ଉଭୟ ପ୍ରକାର ବୟସ୍କ ବ୍ୟକ୍ତି ସେମାନଙ୍କ ଶରୀରକୁ ଯୁବକଙ୍କ ଭଳି ସୁନ୍ଦର ଓ ସୁଠାମ ବନାଇପାରିଥିଲେ । ନିୟମିତ ବ୍ୟାୟାମ ନକରିଥିଲେ ମଧ୍ୟ ଯେବେବି ସେମାନେ ଜିମ ଯିବା ଆରମ୍ଭ କରିଥିଲେ। ସେବେଠାରୁ ସେମାନଙ୍କୁ କୌଣସି ପ୍ରକାର ଥକ୍କା କିମ୍ବା ଆଳସ୍ୟ ପରିଲକ୍ଷିତ ହୋଇନଥିଲା । ଏହାସହ ଯେଉଁମାନେ ଲଗାତାର ଜିମ ଯାଉଥିଲେ ସେମାନଙ୍କ ଶରୀର ମଧ୍ୟ 60 ବର୍ଷ ପରେ ବି ସଠିକ ଭାବେ କାର୍ଯ୍ୟ କରୁଥିଲା ।
ତେବେ ଏହି ପରୀକ୍ଷାରୁ ଏହା ସ୍ପଷ୍ଟ ଯେ, ଏହାଦ୍ବାରା କୌଣସି ଫରକ ପଡିନଥାଏ କି ଆପଣ ସାରା ଜୀବନ ଜଣେ ନିୟମିତ ବ୍ୟାୟାମକର୍ତ୍ତା କି ନୁହେଁ । ଆପଣ ଯେ କୌଣସି ବୟସରେ ଏହା ଆରମ୍ଭ କରିପାରିବେ ଏବଂ ସେବେଠାରୁ ହିଁ ଆପଣଙ୍କୁ ଏହାର ଲାଭ ମିଳିପାରିବ।