ଲକ୍ଷ୍ନୌ: ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣକୁ ନେଇ ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଏହି ବୈଠକରେ ମନ୍ଦିର ନିର୍ମାଣର ତିଥି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଯୋଧ୍ୟା ଗସ୍ତ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ । ସେପଟେ ବୈଠକର ଏଜେଣ୍ଡାକୁ ନେଇ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ନିକଟରେ କୌଣସି ସୂଚନା ନଥିବା ସେ କହିଛନ୍ତି ।
ରାମ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ସମେତ ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରାୟ ସମସ୍ତ ସଦସ୍ୟ ଏହି ବୈଠକ ପାଇଁ ଅଯୋଧ୍ୟା ପହଞ୍ଚି ସାରିଛନ୍ତି । ଅପରାହ୍ନ 3 ଟା ସମୟରେ ଏହି ବୈଠକ ଅନୁଷ୍ଠିତ ହେବ । ତେବେ ବୈଠକର 2 ଦିନ ପୂର୍ବରୁ ଅର୍ଥାତ ଜୁଲାଇ 16 ତାରିଖରେ ବୈଠକ କରି ଶନିବାର ହେବାକୁ ଥିବା ବୈଠକର ଏଜେଣ୍ଡା ସମ୍ପର୍କରେ ଆଲୋଚନା ହୋଇଥିଲା । କିନ୍ତୁ ଏହି ବୈଠକ ସମ୍ପର୍କରେ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ପାଖରେ କୌଣସି ସୂଚନା ରହିନଥିବା ସେ କହିଛନ୍ତି । ବୈଠକରେ କେଉଁ ବିଷୟରେ ଆଲୋଚନା ହେବ ସେନେଇ ତାଙ୍କୁ କୌଣସି ସୂଚନା ଦିଆଯାଇନଥିବା ସେ କହିଛନ୍ତି ।
ତେବେ ବୈଠକ ସମ୍ପର୍କରେ ସୂଚନା ପାଇନଥିବା ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଅସନ୍ତୋଷ ସାମ୍ନାକୁ ଆସିଥିଲା । ଏନେଇ ମହନ୍ତଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା କୁହାଯାଉଛି । ଅନ୍ୟପକ୍ଷେ ଏହାର ସୂଚନା ପାଇବା ମାତ୍ରେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ଏବଂ ଟ୍ରଷ୍ଟର ଆର୍ଥିକ ଦାୟିତ୍ୱ ତୁଲାଉଥିବା ଡ. ଅନିଲ ମିଶ୍ର ନୃତ୍ୟ ଗୋପାଳ ଦାସଙ୍କ ସହ ଆଲୋଚନା କରି ଏହି ବୈଠକରେ ଯୋଗଦେବାକୁ ତାଙ୍କୁ ରାଜି କରାଇଥିଲେ ।
ଏନେଇ ମଣିରାମ ଦାସ କ୍ୟାଣ୍ଟନମେଣ୍ଟର ଉତ୍ତରାଧିକାରୀ ମହନ୍ତ କମଲନୟନ ଦାସ କହିଛନ୍ତି, ମହନ୍ତ ଦାସଙ୍କର ଅସନ୍ତୋଷର କୌଣସି ପ୍ରଶ୍ନ ଉଠୁନାହିଁ । ବୁଝାମଣା ଅଭାବ ଯୋଗୁଁ ସେ ଏଭଳି କହିଥିଲେ । ସେ ଆଜିର ବୈଠକରେ ନିଶ୍ଚିତ ଯୋଗ ଦେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ