ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣର ମୋଟ ମାମଲା 50 ଲକ୍ଷ ଅତିକ୍ରମ କରିଛି । ଦୁଇ ମାସ ମଧ୍ୟରେ 40 ଲକ୍ଷ ମାମଲା ବୃଦ୍ଧି ପାଇଛି । ମାତ୍ର 11 ଦିନ ମଧ୍ୟରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା 50 ଲକ୍ଷ ଅତିକ୍ରମ କରିଛି । ଏହି ମାରାତ୍ମକ ଭୁତାଣୁ ଦ୍ବାରା 82 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ଜୀବନ ଯାଇଛି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟତମ ସୂଚନା ମୁତାବକ, ଗତ 24 ଘଣ୍ଟାରେ ଦେଶରେ 90 ହଜାର 123ଟି ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ 1290 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ସେପ୍ଟେମ୍ବର 15 ସୁଦ୍ଧା 50 ଲକ୍ଷ 20 ହଜାର 360 ଛୁଇଁଛି ପଜିଟିଭ ସଂଖ୍ୟା । ଏଥିରେ ବର୍ତ୍ତମାନ ସୁଦ୍ଧା 82 ହଜାର 66 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ସେହିପରି 50 ଲକ୍ଷ ଆକ୍ରାନ୍ତଙ୍କ ମଧ୍ୟରୁ 39 ଲକ୍ଷ 42 ହଜାର 361 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 95 ହଜାର 933 ଜଣ ଦେଶର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି ।