ଆସନ୍ତା ମାସ ଯେ କୌଣସି ସମୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନ ମନ୍ତ୍ରୀ ଶିଞ୍ଜୋ ଆବେ ଏକ ଦ୍ବିପାକ୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ସଂପର୍କରେ ବିଭିନ୍ନ ରିପୋର୍ଟରୁ ସଂକେତ ମିଳିଥିବା ବେଳେ ଏହାକୁ ଉପଲକ୍ଷ୍ୟ କରି, ବେଜିଂ ବିରୋଧରେ ମିଳିତ ସାମ୍ମୁଖ୍ୟ ଗଠନ କରିବା ନୂଆଦିଲ୍ଲୀ ଏବଂ ଟୋକିଓ ପାଇଁ କଷ୍ଟସାଧ୍ୟ ବ୍ୟାପାର ହେବ ବୋଲି ଚୀନ୍ ସରକାରଙ୍କ ସହ ଅନୁବନ୍ଧିତ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ, ଜାପାନୀ ପ୍ରସଙ୍ଗ ସଂପର୍କରେ ଅନୁଧ୍ୟାନ କରୁଥିବା ଜଣେ ଆଗଧାଡ଼ିର ଭାରତୀୟ ବିଦ୍ବାନ କହିଛନ୍ତି ଯେ, ଭାରତ ଓ ଜାପାନର ସଂପର୍କ କୌଣସି ତୃତୀୟ ଦେଶ ବିରୋଧରେ ଅଭିପ୍ରେତ ନୁହେଁ । ଚୀନର ପ୍ରଭାବଶାଳୀ ଦୈନିକ ଇଂରାଜୀ ସମ୍ବାଦପତ୍ର ‘ଗ୍ଲୋବାଲ୍ ଟାଇମ୍ସ’ରେ ପ୍ରକାଶିତ “ଚୀନ ବିରୋଧରେ ମିଳିତ ସାମ୍ମୁଖ୍ୟ ଗଠନ ଭାରତ ଓ ଜାପାନ ପାଇଁ କଷ୍ଟକର” ଶୀର୍ଷକ ଏକ ଲେଖାରେ ସିଂଘୁଆ ବିଶ୍ବବିଦ୍ୟାଳୟ ପରିଚାଳିତ ନ୍ୟାସନାଲ ଷ୍ଟ୍ରାଟେଜି ଇନ୍ଷ୍ଟିଚ୍ୟୁଟ୍ର ଗବେଷଣା ବିଭାଗ ନିର୍ଦ୍ଦେଶକ କ୍ବିଙ୍ଗ୍ ଫେଙ୍ଗ୍ ଉଲ୍ଲେଖ କରିଛନ୍ତି ଯେ, “ଚୀନକୁ ଚପାଇ ଦେବା ଲାଗି ଭାରତ ଯଦି ଜାପାନର ସହଯୋଗ ଲୋଡ଼ିବାକୁ ଉଦ୍ୟମ କରେ, ତେବେ ଏହା ବିଫଳ ହେବା ସୁନିଶ୍ଚିତ” ।
ଏ ବର୍ଷ ଲଦାଖ ସୀମାରେ ଭାରତ ଓ ଚୀନ୍ ମଧ୍ୟରେ ସଂଘର୍ଷ ଘଟିବା ଯୋଗୁଁ ବିଗତ 45 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବାସ୍ତବିକ ନିୟନ୍ତ୍ରଣ ରେଖା (LAC)ର ଉଭୟ ପଟେ ଜୀବନହାନି ଘଟିଥିବା ପରିପ୍ରେକ୍ଷୀରେ କ୍ବିଙ୍ଗଙ୍କ ଏହି ଲେଖା ପ୍ରକାଶିତ ହୋଇଛି । କ୍ବିଙ୍ଗ ଲେଖିଛନ୍ତି, “ସୀମାରେ ସଂଘର୍ଷ ପରେ, ଭାରତ ଏକପାଖିଆ ଭାବେ ଏବଂ ଅନୁଚିତ କାର୍ଯ୍ୟକଳାପ ଆରମ୍ଭ କରିଦେଇଛି ଏବଂ ଚୀନକୁ ଉତ୍ତେଜିତ କରିବାକୁ ଉଦ୍ୟମ କରୁଛି ।” “ଉଦାହରଣ ସ୍ବରୂପ, ସୀମା ବିବାଦ ଲାଗିଥିବା ସମୟରେ ଭାରତ ‘ଟିକ୍ଟକ୍’ ଏବଂ ‘ଉଇଚାଟ୍’ ସମେତ ଚୀନ୍ର 59ଟି ମୋବାଇଲ ଆପ୍ଲିକେସନ୍ ଉପରେ ନିଷେଧାଦେଶ ଜାରି କରିଛି । ଚୀନ ଉପରେ ଅଙ୍କୁଶ ଲଗାଇବା ପାଇଁ ଭାରତ ଜାପାନ ଓ ଅଷ୍ଟ୍ରେଲିଆର ସହଯୋଗ ଲୋଡ଼ିବାକୁ ମଧ୍ୟ ଉଦ୍ୟମ କରିଛି । ହେଲେ, ବିଶ୍ବ ମହାମାରୀ ପରବର୍ତ୍ତୀ ସମୟରେ ଭାରତର ଅର୍ଥନୈତିକ ପୁନରୁଦ୍ଧାର ଏବଂ ବିକାଶ କ୍ଷେତ୍ରରେ ଏହା ସହାୟକ ହେବ ନାହିଁ । ଚୀନକୁ ଆଘାତ ଦେବାକୁ ଉଦ୍ୟମ କରି ଭାରତ ଅର୍ଥନୈତିକ କ୍ଷେତ୍ରରେ ଅଧିକରୁ ଅଧିକ କ୍ଷତିଗ୍ରସ୍ତ ହେବ । ଚୀନର ଜାତୀୟ ସ୍ବାର୍ଥର ମୁକାବିଲା ପାଇଁ ଆହ୍ବାନ କରିବାରେ ଭାରତର ଜାତୀୟ ସାମର୍ଥ୍ୟ ପର୍ଯ୍ୟାପ୍ତ ହୋଇ ନପାରେ ।” ତେବେ, ସମକାଳୀନ ଭାବରେ ଏହି ଲେଖାରେ ଏହା ବି ଉଲ୍ଲେଖ କରାଯାଇଛି ଯେ, ଚୀନ-ଭାରତ ଓ ଚୀନ-ଜାପାନ ସଂପର୍କରେ ସେଭଳି ଅଧୋଗତି ହୋଇନାହିଁ ଯେଉଁଭଳି ଚୀନ୍-ଯୁକ୍ତରାଷ୍ଟ୍ର ଆମେରିକା ସଂପର୍କ କ୍ଷେତ୍ରରେ ହୋଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ, “ଯଦିଓ ବେଜିଂ ଉପରେ ଚାପ ପକାଇବାକୁ ନୂଆଦିଲ୍ଲୀ ଚାହୁଁଛି, ତଥାପି ଆପୋସ ଆଲୋଚନା ମାଧ୍ୟମରେ ଚୀନ-ଭାରତ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ଉଦ୍ୟମ ଏବେ ବି ସାଧାରଣ ଧାରା ଭାବେ ବିଦ୍ୟମାନ ।”
“ଜାପାନ ଦୃ୍ଷ୍ଟିକୋଣରୁ ଦେଖିଲେ, ବିଶ୍ବ ମହାମାରୀ ପରବର୍ତ୍ତୀ ସମୟରେ ଅର୍ଥନୈତିକ ବିକାଶ ପ୍ରସଙ୍ଗ ବିଚାରକୁ ନେଇ ଏହା ହୁଏତ ଚୀନ ସହିତ ସଂପର୍କକୁ ମଜଭୁତ କରିବାକୁ ଚାହିଁପାରେ । ଏହି କାରଣରୁ, ବେଜିଂକୁ ଉସୁକାଇବା ଦିଗରେ ନୂଆଦିଲ୍ଲୀ ଓ ଟୋକିଓ କୌଣସି ଉଗ୍ର ବିବୃତି ବା କାର୍ଯ୍ୟକଳାପରୁ ବିରତ ରହିବେ ।” କ୍ବିଙ୍ଗ ଆହୁରି ଲେଖିଛନ୍ତି ଯେ, ଯଦିଓ ଭାରତ ଓ ଜାପାନ ସହିତ ଚୀନର ବିବାଦ ଲାଗି ରହିଛି, ତଥାପି ଏସିଆରେ ଭାରସାମ୍ୟ ବଜାୟ ରଖିବା ପାଇଁ ପାରସ୍ପରିକ ସହଯୋଗର ଧାରାକୁ ସଶକ୍ତ କରିବାକୁ ନୂଆଦିଲ୍ଲୀ ଓ ଟୋକିଓ ଚାହିଁପାରନ୍ତି । ଏହି ଲେଖାରେ ଉଲ୍ଲେଖ କରାଯାଇଛି ଯେ, “ଏସିଆର ଦୁଇଟି ଗୁରୁତ୍ବପୂର୍ଣ୍ଣ ଅର୍ଥବ୍ୟବସ୍ଥା ସଂପନ୍ନ ରାଷ୍ଟ୍ର ଭାବେ ଭାରତ ଓ ଜାପାନ ମଧ୍ୟରେ ସ୍ବାଭାବିକ ସହଯୋଗ ବଜାୟ ରହୁ ବୋଲି ଆମେ ଚାହୁଁ । ସର୍ବୋପରି, ସେମାନଙ୍କର ସଫଳତା ଯୋଗୁଁ ସମଗ୍ର ଏସିଆ କ୍ଷେତ୍ରରେ ସହଯୋଗିତା ଲାଗି ଅନୁକୂଳ ବାତାବରଣ ସୃଷ୍ଟି ହେବ ।” “କିନ୍ତୁ, ଯଦି ମିଳିତ ଭାବରେ ଚୀନ ଉପରେ ଚାପ ପ୍ରୟୋଗ କରିବା ଲାଗି ଏଭଳି ସହଯୋଗ ଉଦ୍ଦିଷ୍ଟ ତେବେ ଆମେ ଏହାକୁ ଦୃଢ଼ ଭାବରେ ବିରୋଧ କରିବୁ । କାରଣ, ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏହା ଅସ୍ଥିରତା ସୃଷ୍ଟି କରିବ ।” ଯଦିଓ ଏ ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯାଇ ନାହିଁ, ତଥାପି ଗଣମାଧ୍ୟମ ରିପୋର୍ଟରୁ ମିଳିଥିବା ସଂକେତ ଅନୁସାରେ ସେପ୍ଟେମ୍ବର ପ୍ରଥମ ଭାଗରେ ମୋଦି ଓ ଆବେଙ୍କ ମଧ୍ୟରେ ଅନ୍ଲାଇନ୍ରେ ବାର୍ଷିକ ଦ୍ବିପାକ୍ଷିକ ଶିଖର ସମ୍ମିଳନୀ ଆୟୋଜିତ ହେବା ସମ୍ଭାବନା ରହିଛି । ଯେଉଁ ଦୁଇଟି ଦେଶ ସହିତ ଭାରତ ବାର୍ଷିକ ଦ୍ବିପାକ୍ଷିକ ଶିଖର ସମ୍ମିଳନୀ କରିଥାଏ, ସେଥିରୁ ଜାପାନ ଅନ୍ୟତମ । ଅନ୍ୟ ଦେଶଟି ହେଉଛି ରୁଷିଆ ।
ତେବେ, ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ଆନ୍ଦୋଳନ ଯୋଗୁଁ ଗତ ବର୍ଷ ଆସାମର ଗୌହାଟୀରେ ଆୟୋଜିତ ହେବାକୁ ଥିବା ଦ୍ବିପାକ୍ଷିକ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଥିଲା । ଗତ ଜୁନ ମାସରେ ଲଦାଖ ସୀମାରେ ଭାରତ ଓ ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବା ପରବର୍ତ୍ତୀ କାଳରେ ଗତ ମାସରେ ଜାପାନ ଭାରତ ପ୍ରତି ଖୋଲାଖୋଲି ସମର୍ଥନ ବ୍ୟକ୍ତ କରିଥିଲା । ଏକ ବୁଦ୍ଧିଜୀବୀ ମଣ୍ଡଳୀ ପକ୍ଷରୁ ଏଠାରେ ଆୟୋଜିତ “କୋଭିଡ୍ ପରବର୍ତ୍ତୀ ଯୁଗରେ ଭାରତ-ଜାପାନ ସଂପର୍କ” ଶୀର୍ଷକ ଅନ୍ଲାଇନ୍ ଆଲୋଚନାରେ ଭାଗ ନେଇ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ସାତୋଶି ସୁଜୁକି କହିଥିଲେ ଯେ, ଲଦାଖରେ ଚୀନ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସ୍ଥିତାବସ୍ଥା ପରିବର୍ତ୍ତନ ଲାଗି ଯେ କୌଣସି ଉଦ୍ୟମକୁ ଟୋକିଓ ଦୃଢ଼ ବିରୋଧ କରେ । ‘ଗ୍ଲୋବାଲ୍ ଟାଇମ୍ସ’ରେ ପ୍ରକାଶିତ ଏହି ସଦ୍ୟତମ ଲେଖା ପରିପ୍ରେକ୍ଷୀରେ ଅବଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ୍ ନାମକ ବୌଦ୍ଧିକ ମଣ୍ଡଳୀର ଖ୍ୟାତନାମା ଗବେଷକ ତଥା ଜାପାନୀ ପ୍ରସଙ୍ଗ ଅଧ୍ୟୟନ କ୍ଷେତ୍ରରେ ଜଣେ ଅଗ୍ରଣୀ ବିଦ୍ବାନ କେ.ଭି. କେଶବନ ଈଟିଭି ଭାରତକୁ କହିଲେ ଯେ, ଭାରତ ଓ ଜାପାନ ମଧ୍ୟରେ ସ୍ଥାପିତ ସଂପର୍କ କୌଣସି ତୃତୀୟ ଦେଶ ବିରୋଧରେ ଉଦ୍ଦିଷ୍ଟ ନୁହେଁ ।
2014 ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାପାନ ଗସ୍ତ ସମୟରେ ହିଁ ଭାରତ-ଜାପାନ ସଂପର୍କ ଏକ “ସ୍ବତନ୍ତ୍ର ରଣନୈତିକ ଏବଂ ବିଶ୍ବସ୍ତରୀୟ ସହଭାଗିତା” ସ୍ତରକୁ ଉନ୍ନୀତ ହୋଇଥିଲା । କେଶବନ କହିଲେ, “ଆମ (ଭାରତ ଓ ଜାପାନ) ମଧ୍ୟରେ ଏକ ରଣନୈତିକ ସହଭାଗିତା ସ୍ଥାପିତ ହୋଇଛି ଏବଂ ଏ କ୍ଷେତ୍ରରେ ଶାନ୍ତି ଏବଂ ସାମୁଦ୍ରିକ ଅଞ୍ଚଳର ସୁରକ୍ଷା ନିଶ୍ଚିତ ବଜାୟ ରଖିବାରେ ଆମେ ସଫଳ ହେବୁ । ‘ଦକ୍ଷିଣ ଚୀନ ସାଗର’ ଏବଂ ‘ପୂର୍ବ ଚୀନ ସାଗର’ ଅଞ୍ଚଳରେ ଚୀନ୍ ବଦମାସି କରୁଛି ।” ଭାରତ ସହିତ ସୀମା ବିବାଦ ବ୍ୟତୀତ, ସୀମା ପରିସରଭୁକ୍ତ ଅଞ୍ଚଳକୁ କେନ୍ଦ୍ର କରି ଦକ୍ଷିଣ ଚୀନ ସାଗର ଅଞ୍ଚଳର ଅନେକ ଦେଶ ସହିତ ଚୀନର ବିବାଦ ଲାଗି ରହିଛି । ପୂର୍ବ ଚୀନ ସାଗର ଅଞ୍ଚଳରେ ଅବସ୍ଥିତ ସେନ୍କାକୁ ଦ୍ବୀପପୁଞ୍ଜକୁ କେନ୍ଦ୍ର କରି ଚୀନର ଟୋକିଓ ସହ ବିବାଦ ଲାଗି ରହିଛି । ଏହି ଦ୍ବୀପପୁଞ୍ଜକୁ ଚୀନ ଡିଆୟୁ ଦ୍ବୀପପୁଞ୍ଜ ବୋଲି କହିଆସୁଛି ଏବଂ ଗତ ମାସରେ ଏହି ସବୁ ଦ୍ବୀପ ନିକଟବର୍ତ୍ତୀ ସମୁଦ୍ରରେ ଚୀନର କେତେକ ତଟରକ୍ଷୀ ଜାହାଜ ପ୍ରବେଶ କରିବା ପରେ ଜାପାନ ଏହାର ଦୃଢ଼ ବିରୋଧ କରିଥିଲା । ଭାରତକୁ ଲକ୍ଷ୍ୟରେ ରଖି ପାକିସ୍ତାନ ସହିତ ସହଭାଗିତା ଢଙ୍ଗରେ ଚୀନ ଅନେକ ସହଭାଗିତା ସ୍ଥାପନ କରିଥିବା କଥା ଉଲ୍ଲେଖ କରି କେଶବନ କହିଲେ ଯେ ଏକ ନୂତନ କ୍ଷେତ୍ରୀୟ ଧାରା ଗଠନ ଲାଗି ବେଜିଂ ଉଦ୍ୟମ କରୁଛି । “ଏକ ଅବାଧ, ସମ୍ମିଳିତ ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଗଠନ ନିମନ୍ତେ ସହାୟତା କରିବା ଲାଗି ଶକ୍ତିଶାଳୀ ତ୍ରିପାକ୍ଷିକ ପ୍ରତିରକ୍ଷା ସହଯୋଗ ଏବଂ ଆଦାନପ୍ରଦାନର ଧାରା ସ୍ଥାପନ ଦିଗରେ ବାସ୍ତବ ଅବଦାନ” ସକାଶେ ଗତ ମାସରେ ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ଦ୍ବାରା ଜାରି ଏକ ମିଳିତ ବିବୃତି ସଂପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଜାପାନର ପୂର୍ବତଟରୁ ଆଫ୍ରିକାର ପୂର୍ବତଟ ପର୍ଯ୍ୟନ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନର ପ୍ରଭାବ ବୃଦ୍ଧି ପାଉଥିବା ସମୟରେ ଏହି କ୍ଷେତ୍ରରେ ଶାନ୍ତି ଓ ସମୃଦ୍ଧି ସ୍ଥାପନ ଦିଗରେ ପ୍ରକ୍ରିୟା ବଜାୟ ରଖିବା ଉଦ୍ଦେଶ୍ୟରେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସହିତ ଭାରତ ଏକ କ୍ବାଡ୍ ବା ଚତୁର୍ଦେଶୀୟ ସଂଗଠନର ଅଂଶ ରୂପେ କାର୍ଯ୍ୟ କରୁଛି ।