ବେଙ୍ଗାଲୁରୁ: ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ପୂର୍ବତନ ମନ୍ତ୍ରୀ ଆନନ୍ଦ ଅସନୋଟିକରଙ୍କ ଠାରୁ ବନ୍ଧୁକ ଜବତ ହୋଇଛି ।
ଅସନୋଟିକର ଗୋଆ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା । ସେ ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିବାବେଳେ ବିମାନବନ୍ଦର କର୍ମଚାରୀମାନେ ତାଙ୍କର ଯାଞ୍ଚ କରିଥିଲେ । ସେହି ସମୟରେ ତାଙ୍କ ବ୍ୟାଗରେ ବନ୍ଧୁକ ମିଳିଥିଲା । ଫଳରେ ବିମାନବନ୍ଦର କର୍ମଚାରୀ ସଙ୍ଗେ ସଙ୍ଗେ ପୂର୍ବତନ ମନ୍ତ୍ରୀଙ୍କୁ ବିମାନବନ୍ଦର ପୋଲିସ ଷ୍ଟେସନକୁ ନେଇ ଅଟକ ରଖି ବନ୍ଧୁକ ବିଷୟରେ ପଚରାଉଚରା କରିଥିଲେ । ସେହି ସମୟରେ ଅସନୋଟିକର ଏହା ଏକ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଏବଂ ଏହା ସେ ନିଜ ସୁରକ୍ଷା ପାଇଁ ରଖିଛନ୍ତି ବୋଲି ପୋଲିସକୁ ସୂଚନା ଦେଇଥିଲେ ।
ତେବେ ବନ୍ଧୁକର ଲାଇସେନ୍ସ ଦସ୍ତାବିଜ ଗୁଡିକ ତାଙ୍କ ନିକଟରେ ନଥିଲା । ଫଳରେ ବିମାନବନ୍ଦର ସୁରକ୍ଷା କର୍ମଚାରୀମାନେ ତାଙ୍କୁ ଅଟକ ରଖିଥିଲେ । ପରେ ସେ ତାଙ୍କ ସମର୍ଥକଙ୍କ ସହାୟତାରେ ବନ୍ଧୁକର ଦସ୍ତାବିଜ ଆଣି ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ପରେ ତାଙ୍କୁ ଛାଡି ଦିଆଯାଇଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ