ହାଇଦ୍ରାବାଦ: ଦେଶରେ ବର୍ତ୍ତମାନ ପରିସ୍ଥିତି ଯୋଗୁଁ ବନ୍ଦ ହୋଇଛି ସମସ୍ତ କମ୍ପାନୀ । ଅଧିକାଂଶ କମ୍ପାନୀ ନିଜ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ନିର୍ଦ୍ଦେଶ ଦେଇଛି । ବହୁତ ଲୋକ ଘରୁ କାମ କରିବାବେଳେ ଅଫିସର ମାହୋଲକୁ ମିସ କରୁଛନ୍ତି । ଆଉ କିଛି ଅଳସୁଆମି ଦେଖାଇ କାମରେ ଠକି ଦେଉଛନ୍ତି । ଏପରିକି କିଛି ଲୋକ ଅନିଚ୍ଛା ପ୍ରକାଶ କରି କାମ କରୁନାହାନ୍ତି । କାରଣ ନା ଅଛି ସିସିଟିଭ ନା ଅଛି ବସଙ୍କ ଚାପ । ତେବେ ୱାର୍କ ଫ୍ରମ ହୋମରେ ରହିଛି ଅନେକ ଟେନସନ । ଆମେ ଆପଣଙ୍କୁ କହିବୁ କିପରି ଘରୁ କାମ କରିବାବେଳେ ଆରାମ ଓ ଉତ୍ସାହିତ ହୋଇ ଆପଣ ସୁରୁଖୁରୁରେ କାମ କରିପାରିବେ ।
ନିଜ କାମର ଏକ ତାଲିକା ବନାନ୍ତୁ । ଅଫିସ ଯେଉଁ କାମ କରିବାକୁ ଦେଇଛି ତାହାର ଏକ ତାଲିକା କରି କାମ କରିବା ସ୍ଥାନରେ ରଖିଦିଅନ୍ତୁ । ଯେଉଁ କାମ ସରିଯିବ ତାହା ଉପରେ ଠିକ ମାରିଦିଅନ୍ତୁ । ଦେଖିବେ କାମ ଯେତେ ଜଲଦି ସରିଯିବ ଠିକ ଚିହ୍ନ ଦେଖି ଆପଣଙ୍କୁ ଅଧିକ ଖୁସି ଲାଗିବ । କାମରୁ ବ୍ରେକ ନିଅନ୍ତୁ । ବ୍ରେକରେ ଗୀତ ଶୁଣନ୍ତୁ, କଫି ପିଅନ୍ତୁ, ସାଙ୍ଗ ସହ କଥା ହୁଅନ୍ତୁ । ନିଜକୁ ରିଲାକ୍ସ ରଖିବା ପାଇଁ କିଛି କାମ କରନ୍ତୁ । ଫଳରେ ରିଲାକ୍ସ ପରେ ପୁଣି କାମ କରିବାକୁ ଉତ୍ସାହିତ ହେବେ । ବ୍ରେକ ନେବାର ସମୟ ଠିକ କରିଦିଅନ୍ତୁ । ଲଗାତାର ଅଧିକ ବ୍ରେକ ନିଅନ୍ତୁ ନାହିଁ କି ବିରତିରେ ଅଧିକ ସମୟ କାଟନ୍ତୁନି ।
ଘରୁ କାମ କରୁଥିବା ନିଜ ସାଙ୍ଗଙ୍କ ସହ କଥା ହୁଅନ୍ତୁ । ସେମାନଙ୍କ ସହ ଆପଣଙ୍କୁ ମଧ୍ୟ ଭଲ ଲାଗିବ । ପରିବାର ଲୋକଙ୍କ ସହ ଭିଡିଓ କଲ ମଧ୍ୟ କରିପାରିବେ କିନ୍ତୁ ସେଥିରେ ଅଳ୍ପ ସମୟ ଦେବେ । ତେବେ କୌଣସି ବେକାର କିମ୍ବା ଧ୍ୟାନ ହଟାଉଥିବା ୱେବସାଇଟ ଉପରେ ନଜର ପକାନ୍ତୁ ନାହିଁ । ବର୍ତ୍ତମାନ ସମୟରେ ଏପରି ଅନେକ ଧ୍ୟାନ ଆକର୍ଷଣକାରୀ ଓ ଗୁଜବ ପ୍ରଦାନକାରୀ ନୋଟିଫିକେସନ ଆପଣଙ୍କ ଫୋନକୁ ଆସୁଥିବ । ଯାହାକୁ ଅଣଦେଖା କରନ୍ତୁ । ନଚେତ ଆପଣଙ୍କ କାମରେ ବାଧା ସୃଷ୍ଟି ହେବ । ରିଲାକ୍ସ ରହନ୍ତୁ କାମ ଉପରେ ଫୋକସ କରନ୍ତୁ ।
ଶୋଇବା ଘରେ କାମ କରନ୍ତୁ ନାହିଁ । କାମ କରିବା ପାଇଁ ଯଦି କୌଣସି ବ୍ୟବସ୍ଥା କରୁଛନ୍ତି ତେବେ ତାହା ଘରର ଅନ୍ୟ କୋଣରେ କରନ୍ତୁ । ଶୋଇବା ସ୍ଥାନରେ କାମ କଲେ ହୁଏତ ଆପଣଙ୍କୁ ହାଲିଆ କିମ୍ବା ଅନିଚ୍ଛା ଲାଗିଲେ ଆପଣ ଥକ୍କା ମେଣ୍ଟାଇବାକୁ ଶୋଇଯାଇପାରନ୍ତି । ତେଣୁ ଆପଣଙ୍କ ପାଇଁ ଭଲ ହେବ ଆପଣ ଅଲଗା ସ୍ଥାନରେ କାମ କରନ୍ତୁ । ଆହୁରି ସୁନ୍ଦର ହୋଇପାରିବ ଯଦି ଆପଣ କାମ କଲାବେଳେ ଅଫିସ ଆଉଟଫିଟରେ ରହିବେ । ଏହା ଆପଣଙ୍କୁ ଫ୍ରେସ ହୋଇ କାମ କରିବାକୁ ଉତ୍ସାହିତ କରିବ ।